ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ସହର (PMAY- U 2.0) ଅଧୀନରେ ଘର ପାଉଥିବା ହିତାଧିକାରୀଙ୍କ ପାଇଁ ଓଡ଼ିଶା ସରକାର ବଡ଼ ରିହାତି ଘୋଷଣା କରିଛନ୍ତି। ଯୋଜନା ଅଧୀନରେ ୬୦ ବର୍ଗମିଟର ପର୍ଯ୍ୟନ୍ତ ଘରର ପଞ୍ଜୀକରଣ କ୍ଷେତ୍ରରେ ଷ୍ଟାମ୍ପ ଶୁଳ୍କ ଓ ରେଜିଷ୍ଟ୍ରେସନ ଫି'କୁ ମିଶାଇ ମୋଟ ଦେୟକୁ ୧ ପ୍ରତିଶତରୁ କମ୍ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚିଠି ଲେଖି ଆବଶ୍ୟକ ବିଜ୍ଞପ୍ତି ଓ ଆଦେଶ ଜାରି କରିବାକୁ ଅନୁରୋଧ କରିଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳର ୪୧ତମ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଚିଠିରେ ଉଲ୍ଲେଖ ରହିଛି।

Also Read: ଆରମ୍ଭ ହେଲା ‘ଫିଟ୍ କଲେଜ ପ୍ରୋଗ୍ରାମ’; ୧୦୦ ମାର୍କର ପରଫର୍ମାନ୍ସ ଇଣ୍ଡେକ୍ସରେ ହେବ ମୂଲ୍ୟାଙ୍କନ

ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ PMAY- U 2.0 ଅଧୀନରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (EWS)ର ହିତାଧିକାରୀମାନେ ଘର ପଞ୍ଜୀକରଣ ସମୟରେ ବଡ଼ ଆର୍ଥିକ ରିହାତି ପାଇବେ। ଏହା ଫଳରେ ସହରାଞ୍ଚଳରେ ସୁଲଭ ଆବାସ ଯୋଜନାର କାର୍ଯ୍ୟାନ୍ୱୟନ ଅଧିକ ତ୍ୱରାନ୍ୱିତ ହେବା ସହ ଘର ମାଲିକାନା ହାସଲ କରିବା ଆହୁରି ସହଜ ହେବ ବୋଲି ଆଶା କରାଯାଉଛି। କେନ୍ଦ୍ର ସରକାରଙ୍କୁ ଏହି ସମ୍ପର୍କିତ ତଥ୍ୟ ପ୍ରେରଣ ପାଇଁ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବାକୁ ମଧ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।