ଭୁବନେଶ୍ବର ୧୧।୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ଜଣେ ପ୍ରିଜାଇଡିଂ ଅଫିସର ସସ୍ପେଣ୍ଡ । ପ୍ରେସମିଟ୍ରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ । ସିସିଟିଭି ଫୁଟେଜ୍ ଆଧାରରେ ବୁଥ୍ ନଂ ୩୬ କୁଳିଆବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍ପେଣ୍ଡ କରାଯାଇଛି । ସସ୍ପେଣ୍ଡ ପରେ ବିଭାଗ ଦ୍ବାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ । ଭୋଟ୍ର ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଶାନ୍ତିଶୃଙ୍ଖଳାର ସହ ଭୋଟିଂ ଚାଲିଛି, ସିସିଟିଭିରେ ମନିଟର କରୁଛୁ । ଲୋକଙ୍କ ନିକଟରୁ ଏଯାବତ୍ କୌଣସି ଅଭିଯୋଗ ଆସିନି ।

ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୭ଟାରୁ ଭୋଟର ମାନେ ନିଜ ନିଜର ମତ ସାବ୍ୟସ୍ତ କରୁଛନ୍ତି । ସନ୍ଧ୍ୟା ୫ଟା ଯାଏଁ ଭୋଟିଂ ଚାଲିବ । ନୂଆପଡ଼ା ଉପନିର୍ବାଚନରେ ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ସୂଚନା ଦେଇଛନ୍ତି ।

ସକାଳ ୫ଟା ୩୦ରୁ ନୂଆପଡ଼ାରେ ମକ୍ ପୋଲ୍ରେ ଆରମ୍ଭ ହୋଇଛି ଉପନିର୍ବାଚନ । ମକ୍ ପୋଲ୍ ସମୟରେ ୩ ବଲାଟ୍ ୟୁନିଟ୍, ୩ ଇଭିଏମ୍ ୟୁନିଟ୍ ତ୍ରୁଟି ଆସିଥିଲା ତାକୁ ଚେଞ୍ଜ କରାଯାଇଛି । ଭୋଟ୍ ବେଳେ ବୁଥ୍ ନଂ ୭୬ରେ ଗୋଟିଏ ଇଭିଏମ୍ରେ ତ୍ରୁଟି ଦେଖା ଦେଇଥିଲା । ତାହାକୁ ପରିବର୍ତ୍ତନ କରାଯାଇଛି । କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ । ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ଚଳିତ ଉପନିର୍ବାଚନରେ ୩୫୮ ବୁଥ୍ ମଧ୍ୟରୁ ୬ଟି ପିଙ୍କ୍ ବା ସଖୀ ବୁଥ୍ କରାଯାଇଛି । ଯେଉଁଥିରେ କେବଳ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି l ଏହି ନିର୍ବାଚନ ମଣ୍ଡଳୀରେ ୧୦୧ଟି ସମ୍ବେଦନଶୀଳ ବୁଥ୍ ରହିଛି l ଏଥିରୁ ୪୭ଟି ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଓ ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳରେ ରହିଛି । ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ବୁଥ୍ ମଧ୍ୟରୁ ୮ଟି ସୁନାବେଡ଼ା ଉପତ୍ୟକାର ଦୁର୍ଗମ ଅଞ୍ଚଳରେ ରହିଛି । ଏହିସବୁ ଭୋଟ୍ କେନ୍ଦ୍ରର ୪୮ଜଣ ପୋଲିଂ ଅଧିକାରୀଙ୍କୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଗୋତମା ଏୟାରଷ୍ଟ୍ରିପରୁ ପଠାଯାଇଥିଲା । ସେଠାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଅନ୍ୟ ସାଧାରଣ ଭୋଟ୍ ଗ୍ରହଣ କେନ୍ଦ୍ର ଗୁଡ଼ିକରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ୍ଗ୍ରହଣ ହେବ ।

ନିର୍ବାଚନ ପାଇଁ ସମସ୍ତ ୩୫୮ଟି ବୁଥ୍, ୬ଟି ସଖି ବୁଥ୍, ୩୯୬ଟି ପୋଲିଂ ଦଳ, ୩୮ଟି ରିଜର୍ଭ ପୋଲିଂ ଦଳ ପାଇଁ ୧୫୫୨ ଜଣ ପୁରୁଷ ଅଧିକାରୀ ଓ ୩୨ ଜଣ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି । ଏହି ଉପନିର୍ବାଚନକୁ ଅବାଧ, ମୁକ୍ତ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ଏଥିପାଇଁ କେନ୍ଦ୍ରୀୟ ଆର୍ମଡ୍ ପୋଲିସ ଫୋର୍ସର ୧୪ଟି କମ୍ପାନୀ ମୁତୟନ ହୋଇଛନ୍ତି l ଏହାସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୬ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୫୧ ଜଣ ସବ୍ ଇନ୍ସପେକ୍ଟର, ସହକାରୀ ସବ୍ ଇନ୍ସପେକ୍ଟର, ୧୦୩ ଜଣ ହାବିଲଦାର, ୬୩୬ ଜଣ କନେଷ୍ଟବଳ, ୨୮୭ ଜଣ ହୋମଗାର୍ଡ ନିୟୋଜିତ ହୋଇଛନ୍ତି l