ଭୁବନେଶ୍ଵର: ନୂଆ ସରକାର ପାଇଁ ନୂଆପଡା ନୂଆ ଚ୍ୟାଲେଞ୍ଜ । ମୋହନ ସରକାରଙ୍କ ପାଇଁ ନୂଆପଡା ଉପନିର୍ବାଚନ ହେବାକୁ ଯାଉଛି ପ୍ରଥମ ଏସିଡ୍ ଟେଷ୍ଟ । କାରଣ ଖୁବ୍ ଶୀଘ୍ର ନୂଆପଡାରେ ହେବାକୁ ଯାଉଛି ଉପନିର୍ବାଚନ । ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ବିୟୋଗ ପରେ ଖାଲି ପଡିଛି ନୂଆପଡା ବିଧାନସଭା ସିଟ୍ । ବିଜେଡି ସହାନୁଭୂତିର କାର୍ଡ ଖେଳି ନିର୍ବାଚନ ଜିତିବାକୁ ଅଣ୍ଟା ଭିଡ଼ିଥିବା ବେଳେ ବିଜେପି କହିଛି ତାରିଖ ଆସିଲେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ। ପୂରା ଦମ ଲଗାଇ ଏହି ସିଟ୍ ହାତେଇବ ବୋଲି କହିଛି କଂଗ୍ରେସ।

ନୂଆପଡାର ଲୋକପ୍ରିୟ ନେତା ଥିଲେ ଢୋଲକିଆ । ସେଠାରୁ ୪ଥର ନିର୍ବାଚନ ଜିତି ନିଜକୁ ପ୍ରମାଣିତ କରିଥିଲେ। ଥରେ ସ୍ବାଧିନ ଭାବେ ଓ ବାକି ୨୦୦୯, ୨୦୧୯ ଓ ୨୦୨୪ ନିର୍ବାଚନରେ ବଡ ବ୍ୟବଧାନରେ ବିଜୟୀ ହୋଇଥିଲେ । ଏବେ ତାଙ୍କର ଅକାଳ ବିୟୋଗ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଟିକେଟ ଦେଇ ବିଜେଡି ସହାନୁଭୂତି କାର୍ଡ ଖେଳିବ ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ ବିଜେଡି କହିଛି ନୂଆପଡା ଉପନିର୍ବାଚନରେ ବିଜେଡି ଶତ ପ୍ରତିଶତ ଗ୍ୟାରେଣ୍ଟିରେ ଜିତିକି ଆସିବ ।

ବିଜେଡିନେତା ପ୍ରତାପ ଜେନା କହିଛନ୍ତି ନୂଆପଡା ନିର୍ବାଚନ ମଣ୍ଡଳୀ ବିଜେଡି ଓ ନବୀନ ବାବୁଙ୍କ ସହ ଦୀର୍ଘଦିନ ଧରି ରହିଛି । ଆଗକୁ ବି ନୂଆପଡା ବିଜେଡି ସହ ରହିବ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତିଉପ ନିର୍ବାଚନ ତାରିଖ ଘୋଷଣା ପରେ ବିଜେପି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ ଏବଂ ଉପନିର୍ବାଚନ ଜିତିବ  । ସେହିଭଳି କଂଗ୍ରେସ ମଧ୍ୟ ଏହି ସିଟ୍ ହାତେଇବାକୁ ପୁରା ଦମ୍ ଲଗାଇବ ବୋଲି କହିଛନ୍ତି ବରିଷ୍ଠ ନେତା ଜୟଦେବ ଜେନା ।

୨୦୨୪ ନିର୍ବାଚନରେ ରାଜେନ୍ଦ୍ର ଢୋଲକିଆଙ୍କ ସିଧା ପ୍ରତିଦ୍ବନ୍ଦିତା ହୋଇଥିଲା ସ୍ବାଧିନ ପ୍ରାର୍ଥୀ ଘାସୀରାମ ମାଝୀଙ୍କ ସହ । ସ୍ବାଧିନ ପ୍ରାର୍ଥି ହୋଇ ବି ଘାସିରାମ ମାଝୀ ପ୍ରାୟ ୫୧ ହଜାର ଭୋଟ ପାଇଥିଲେ । ଢୋଲକିଆଙ୍କୁ ମିଳିଥିଲା ପ୍ରାୟ ୬୨ ହଜାର ଭୋଟ । ହେଲେ ବିଜେପି ଓ କଂଗ୍ରେସ ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିଲେ । ବିଜେପିକୁ ପ୍ରାୟ ୪୫ ହଜାର ଭୋଟ ମିଳିଥିବା ବେଳେ କଂଗ୍ରେସ ପାଇଥିଲା ୧୫ ହଜାର ୫୦୦ ଭୋଟ । ସ୍ବାଧିନଭାବେ ଲଢିଥିବା ଘାସିରାମ ମାଝୀ କଂଗ୍ରେସରୁ ଟିକେଟ ପାଇଁ ଆଶାୟୀ ଥିଲେ । କିନ୍ତୁ ନିଜେ ସେତେବେଳେ ପିସିସି ସଭାପତି ଥିବା ଶରତ ପଟନାୟକ ସେହି ସିଟରୁ ଟିକେଟ ନେବାପରେ ଘାସିରାମ ଅସନ୍ତୁଷ୍ଟ ହୋଇ ସ୍ବାଧିନ ପ୍ରାର୍ଥି ହୋଇ ଢୋଲକିଆଙ୍କୁ କଡା ଟକ୍କର ଦେଇଥିଲେ । ତେଣୁ ଏବେ ପୁଣି ଘାସିରାମଙ୍କୁ ଦଳକୁ ଫେରାଇ କଂଗ୍ରେସ ମୈଦାନକୁ ଓହ୍ଲାଇବ ବୋଲି ଆଲୋଚନା ହେଉଛି । ସେପଟେ ବିଜେପି ପକ୍ଷରୁ ପୁଅ ଅଭିନନ୍ଦନ ପଣ୍ଡାଙ୍କ ବଦଳରେ ନିଜେ ବସନ୍ତ ପଣ୍ଡା ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଆରମ୍ଭ ହେଲଣି ।

ସାଧାରଣ ଭାବେ ସରକାରୀ ଦଳ ଉପନିର୍ବାଚନ ଜିତିବାକୁ ସହଜ ହୋଇଥାଏ । କାରଣ ନିର୍ବାଚନ ମଣ୍ଡଳୀ ପାଇଁ ସ୍ବତନ୍ତ୍ର ବିକାଶ କାର୍ଯ୍ୟପାଇଁ ସୁଯୋଗ ଥାଏ । ଏଥର ଉପନିର୍ବାଚନ ଫଳ କହିବ, ରାଜ୍ୟରେ ବିଜେପି ସରକାର ଗତ ଦେଢ ବର୍ଷରେ କେତେ ଲୋକପ୍ରିୟତା ସାଉଁଟିଛନ୍ତି ,   ବିଜେଡି ନିଜ ସଙ୍ଗଠନକୁ ମଜବୁତ ରଖିପାରିଛନ୍ତି କି ନାହିଁ ଏବଂ କଂଗ୍ରେସ ମତଭେଦ ଦୂରକରି ଲୋକଙ୍କ ଆସ୍ଥାଭାଜନ ହୋଇପାରୁଛି କି ନାହିଁ ।