ନୂଆଦିଲ୍ଲୀ: ନ୍ୟାସନାଲ ଥର୍ମାଲ ପାଓ୍ବାର କର୍ପୋରେସନ ବା ଏନଟିପିସି ଏବେ ପାରମ୍ପରିକ ଶକ୍ତିଠାରୁ ଆଗକୁ ବଢ଼ି ପରମାଣୁ ଶକ୍ତିରେ ଉଲ୍ଲେଖନୀୟ ଭାବରେ ନିବେଶ ଏବଂ ବିସ୍ତାର କରୁଛି । ଏହି କ୍ରମରେ କମ୍ପାନି ଏବେ ଦେଶରେ ୭୦୦, ୧୦୦୦ ଏବଂ ୧୬୦୦ ମେଗାୱାଟ କ୍ଷମତା ବିଶିଷ୍ଟ ପରମାଣୁ ବିଦ୍ୟୁତ୍ କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କମ୍ପାନି ଗୁଜରାଟ, ମଧ୍ୟପ୍ରଦେଶ, ବିହାର ଏବଂ ଆନ୍ଧ୍ରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ପ୍ଲାଣ୍ଟ ସ୍ଥାପନ ପାଇଁ ଯୋଜନା କରୁଛି। ଏହି ପ୍ଲାଣ୍ଟଦ୍ବାରା କମ୍ପାନି ୨୦୪୭ ସୁଦ୍ଧା ଦେଶର ପ୍ରସ୍ତାବିତ ୧୦୦ ଗିଗାଓ୍ବାଟ ପରମାଣୁ କ୍ଷମତାର ପ୍ରାୟ ୩୦%, ଅର୍ଥାତ୍ ପ୍ରାୟ ୩୦ ଗିଗାଓ୍ବାଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ଆକଳନ ଅନୁସାରେ ଗୋଟିଏ ୧ ଗିଗାଓ୍ବାଟ ପରମାଣୁ କେନ୍ଦ୍ର ପାଇଁ ପ୍ରାୟ ୧୫-୨୦ ହଜାର କୋଟି ଟଙ୍କା ନିବେଶର ଆବଶ୍ୟକ ହୋଇପାରେ ଏବଂ ପ୍ରକଳ୍ପ ପାଇଁ ଅତି କମରେ ତିନି ବର୍ଷ ସମୟ ଲାଗିପାରେ। ଏନଟିପିସି ପକ୍ଷରୁ କୁହାଯାଇଛି ଯେ, ଏହା ୭୦୦ ମେଗାଓ୍ବାଟ ଏବଂ ୧ ହଜାର ମେଗାଓ୍ବାଟ ରିଆକ୍ଟର ପାଇଁ ସ୍ୱଦେଶୀ ଭାବରେ ବିକଶିତ PHWR (ପ୍ରେସରାଇଜଡ୍ ହେଭି-ୱାଟର ରିଆକ୍ଟର) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବ। ୧,୬୦୦ ମେଗାଓ୍ବାଟ ପ୍ରକଳ୍ପ ପାଇଁ ଆବଶ୍ୟକ ହେଲେ କମ୍ପାନି ବୈଷୟିକ ସହଭାଗିତା ମଧ୍ୟ ଲୋଡ଼ିପାରେ।

ତେବେ ସ୍ଥାନ ଅନୁମୋଦନ ପାଇଁ ପରମାଣୁ ଶକ୍ତି ନିୟାମକ ସଂସ୍ଥା (AERB) ଠାରୁ ଅନୁମୋଦନ ଆବଶ୍ୟକ ହେବ । NTPC କେବଳ AERB ଦ୍ୱାରା ଅନୁମୋଦିତ ସ୍ଥାନଗୁଡ଼ିକରେ ପରବର୍ତ୍ତୀ କାର୍ଯ୍ୟ କରିବ। ୟୁରାନିୟମ କଞ୍ଚାମାଲ ଆପୂର୍ତ୍ତି ସୁରକ୍ଷିତ କରିବା ପାଇଁ, କମ୍ପାନି ବିଦେଶରେ ମଧ୍ୟ ୟୁରାନିୟମ ଅନୁସନ୍ଧାନ ଜାରି ରଖିଛି। ଏଥିପାଇଁ NTPC, ୟୁରାନିୟମ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ (UCIL) ସହିତ ଏକ ଡ୍ରାଫ୍ଟ ଚୁକ୍ତିନାମା ସ୍ୱାକ୍ଷର କରିଛି।

ବର୍ତ୍ତମାନ, NTPC ଗ୍ରୁପ୍ର ମୋଟ କ୍ଷମତା ପ୍ରାୟ ୮୪, ୮୪୮ ମେଗାଓ୍ବାଟ ରହିଛି। ଯେଉଁଥିରେ କୋଇଲା, ଗ୍ୟାସ୍/ତରଳ ଇନ୍ଧନ, ଜଳ ଏବଂ ସୌର ଶକ୍ତି ଅନ୍ତର୍ଭୁକ୍ତ। NTPC ପୂର୍ବରୁ NPCIL ସହିତ ମିଳିତ ଉଦ୍ୟମରେ ରାଜସ୍ଥାନରେ ଏକ ପରମାଣୁ ପ୍ରକଳ୍ପ ବିକଶିତ କରୁଛି। ଏହି ନିବେଶ ପ୍ରାୟ ୪୨ ହଜାର କୋଟି ଟଙ୍କାର ହେବ ବୋଲି ଆକଳନ କରାଯାଉଛି। ଏହି ଜଏଣ୍ଟ ଭେଞ୍ଚରରେ NPCILର ୫୧% ଅଂଶଧନ ରହିଥିବାବେଳେ NTPCର ୪୯% ଅଂଶଧନ ରହିଛି।