News7 Logo

ଏବେ ଚୀନ୍ ଉପରେ ମଧ୍ୟ ଚିଡିଯାଇଛନ୍ତି ଟ୍ରମ୍ପ, ଜାଣନ୍ତୁ କହିଲେ କ’ଣ?

NEWS7
gfx

ନୂଆଦିଲ୍ଲୀ ୫।୯ : ଭାରତ ସହିତ ଟାରିଫ ୱାର ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଚୀନ୍ ଉପରେ ଗରଗର ହେଉଛନ୍ତି। ସେ କହିଛନ୍ତି ଆମକୁ ଦେଖେଇ ହେବାକୁ ଚୀନ୍‌ ଭବ୍ୟ ପରେଡର ଆୟୋଜନ କରିଥିଲା। ଚୀନ୍‌ ସୈନ୍ୟ ଶକ୍ତି ପ୍ରଦର୍ଶନ ପୂର୍ବକ ବୁଧବାର ବିଶାଳ ପରେଡରେ ପ୍ରଥମ ଥର ନୂଆ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଛି। ଏଥିରେ ଲେଜର ଅସ୍ତ୍ର, ପରମାଣୁ ବାଲିଷ୍ଟିକ୍ ମିଜାଇଲ ସମେତ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସାମିଲ ଥିଲା।

ମିଡିଆ ରିପୋର୍ଟ ଅନୁସାରେ ଟ୍ରମ୍ପ କହିଛନ୍ତି ଯେ ‘ମୋତେ ଲାଗୁଛି ଏହା ଏକ ଖୁବ ସୁନ୍ଦର କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଭଲ ଥିଲା। ହେଲେ ମୁଁ ଜାଣିଛି ସେ କେଉଁ କାରଣରୁ ଏପରି କରିଛନ୍ତି ଓ ଆଶା କରୁଥିଲେ ମୁଁ ଏହି କାର୍ଯ୍ୟକ୍ରମ ଦେଖେ। ମୁଁ ମଧ୍ୟ କାର୍ଯ୍ୟକ୍ରମ ଟିଭିରେ ଦେଖୁଥିଲି’। ସେ କହିଛନ୍ତି ‘ସି ଜଣେ ବନ୍ଧୁ, କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଉଛି ତାଙ୍କ କାର୍ଯ୍ୟକ୍ରମରେ ଆମେରିକାକୁ ମନେ ବି ପକାଇଲେନି’।

ସେ କହିଛନ୍ତି ଯେ ‘ଚୀନକୁ ସ୍ୱାଧୀନ କରିବାରେ ଆମେ ବହୁତ ସହଯୋଗ କରିଛୁ ଓ ଏଥି ପାଇଁ ଆମେ ଶ୍ରେୟ ନିମନ୍ତେ ହକଦାର’। ଏହାର ଦିନକ ପୂର୍ବରୁ ଟ୍ରମ୍ପ ଟ୍ରୁଥ ସୋସାଲରେ ଏକ ପୋଷ୍ଟ ମାଧ୍ୟମରେ ଆଶାପୋଷଣ କରିଥିଲେ ସି ତାଙ୍କ ଭାଷଣରେ ଆମେରିକାର ମଧ୍ୟ ଉଲ୍ଲେଖ କରିବେ, ହେଲେ କାର୍ଯ୍ୟକ୍ରମରେ କେଉଁଠି ହେଲେ ବି ସେ ଆମେରିକାର ନାମ ହିଁ ନେଇ ନାହାନ୍ତି।

ପରେଡ ପୂର୍ବରୁ ଟ୍ରମ୍ପ ଟ୍ରୁଥ ସୋସାଲରେ ଲେଖିଥିଲେ ‘ବଡ଼ ପ୍ରଶ୍ନର ଜବାବ ମିଳିବା ବାକି ଅଛି, କଣ ଚୀନ୍ ରାଷ୍ଟ୍ରପତି ସି ସେହି ସମର୍ଥନ ଓ ରକ୍ତର ଉଲ୍ଲେଖ କରିବେ, ଯାହା ଚୀନକୁ ବିଦେଶୀ ଶକ୍ତିଙ୍କଠାରୁ ସ୍ୱାଧୀନ କରିବାରେ ଆମେରିକା ଦେଇଥିଲା। ଚୀନର ବିଜୟ ଓ ଗୌରବ ଲାଗି ଅନେକ ଆମେରିକୀୟଙ୍କ ପ୍ରାଣ ବଳି ହୋଇଥିଲା। ମୁଁ ଆଶା କରୁଛି ସେମାନଙ୍କୁ ସେମାନଙ୍କ ବାହାଦୁରୀ ଓ ବଳିଦାନ ନିମନ୍ତେ ସମ୍ମାନୀତ କରାଯିବ ଓ ସ୍ମରଣ କରାଯିବ’।

ଏହି ବାର୍ତ୍ତାରେ ଟ୍ରମ୍ପ ଚୀନ୍‌ କୁ କଟାକ୍ଷ  କରିବାକୁ ମଧ୍ୟ  ଭୁଲି ନାହାନ୍ତି। ସେ ଲେଖିଛନ୍ତି ‘ରାଷ୍ଟ୍ରପତି ସି ଓ ଚୀନ୍‌ ର ଲୋକେ ଭଲରେ ଉତ୍ସବ ପାଳନ କରନ୍ତୁ। ତେବେ ଯେତେବେଳେ ଆମେରିକା ବିରୋଧରେ ଷଡ଼ଯନ୍ତ୍ର କରିବେ ସେତେବେଳେ ଭ୍ଲାଦିମୀର ପୁଟିନ ଓ କିମ୍ ଜୋଙ୍ଗ ଉନଙ୍କୁ ମୋ ପକ୍ଷରୁ ଶୁଭେଚ୍ଛା ଜଣାଇଦେବେ’।