ଲିୟୋନାର୍ଡୋଙ୍କ 'ମୋନା-ଲିସା' ଚିତ୍ରକଳାକୁ ମିଳିବ ସ୍ବତନ୍ତ୍ର ଘର; ସୂଚନା ଦେଲା ଲାର୍ଭର ସଂଗ୍ରହାଳୟ

Published By : Prameya-News7 Bureau | April 28, 2024 IST

ନୂଆଦିଲ୍ଲୀ: ଲିୟୋନାର୍ଡୋ ଦା ବିଞ୍ଚଙ୍କ ମୋନା-ଲିସା ଚିତ୍ରକଳା । ବିଶ୍ବର ଅନେକ ଚିତ୍ରକଳା ମଧ୍ୟରେ ଅନ୍ୟତମ । ଏହି ପୋର୍ଟ୍ରେଟ୍ ପେଣ୍ଟିଂ ଯେତିକି ସୁନ୍ଦର ସେତିକି ଆଶ୍ଚର୍ଯ୍ୟକର । ଏହାକୁ ଦେଖିବାକୁ ବହୁ ପର୍ଯ୍ୟଟକ ଓ ଚିତ୍ରଶିଳ୍ପୀ ଫ୍ରାନ୍ସକୁ ଧାଇଁ ଆସିଥାନ୍ତି । ମାତ୍ର ୨୦ ଫୁଟ୍ ଦୂରରୁ ମୋନା-ଲିସା ପେଣ୍ଟିଂକୁ ଦେଖିଥାନ୍ତି । ତେବେ ଫ୍ରାନ୍ସର ଲାର୍ଭର ସଂଗ୍ରହାଳୟରେ ଥିବା ଏହି ବିଶ୍ବପ୍ରସିଦ୍ଧ ଚିତ୍ରକଳାକୁ ନିଜସ୍ବ ଘର ମିଳିବ । ମୋନା-ଲିସା ପେଣ୍ଟିଂକୁ ସ୍ବତନ୍ତ୍ର ରୁମ୍ ଦିଆଯିବ । ଏନେଇ ଲାର୍ଭର ସଂଗ୍ରହାଳୟର ମୁଖ୍ୟ ସୂଚନା ଦେଇଛନ୍ତି ।

ଏଏଫପି ନ୍ୟୁଜ୍ ଏଜେନ୍ସି ମୁତାବକ, ଲାର୍ଭର ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି, ବିଶ୍ବପ୍ରସିଦ୍ଧ ମୋନା-ଲିସା ଚିତ୍ରକଳାକୁ ନିଜସ୍ବ ଘର ଦିଆଯିବାର କାରଣ ହେଉଛି, ଏହାକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସ୍ବତନ୍ତ୍ରତା ଦିଆଯିବ । ଅତି ନିକଟରୁ ଏହି ଚିତ୍ରକଳା ଠିକ୍ ଭାବେ ଚିତ୍ରଶିଳ୍ପୀ ଅନୁଭବ କରିପାରିବେ । ଏହି ମୋନା-ଲିସାକୁ ସଂଗ୍ରହାଳୟର ସବୁଠାରୁ ବଡ଼ ହଲ୍‌ରେ ରଖାଯାଇଛି । ସୈଲ-ଡେସ ଆର୍ଟ ବା ଷ୍ଟେଟ୍ ରୁମରେ ଏକ ବୁଲେଟ୍ ପ୍ରୁଫ୍ କାଚ ବାଇଣ୍ଡିଂ କେସ୍ ଭିତରେ ରଖାଯାଇଛି । ଏହି ଚିତ୍ରକଳା ହଜାର ହଜାର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ପେଣ୍ଟିଂରେ ମହିଳାଙ୍କ ପରିଚୟ ଏବଂ ତାଙ୍କ ରହସ୍ୟମୟ ହସ ଏବଂ ଚାହାଣୀ ପାଇଁ ପ୍ରସିଦ୍ଧି ଲାଭ କରିଛି ।

ପ୍ୟାରିସ୍ ସଂଗ୍ରହାଳୟର ଅଧ୍ୟକ୍ଷ ଲାରେନ୍ସ ଡେସ୍ କାର୍ସ ଫ୍ରାନ୍ସ ଇଣ୍ଟର ବ୍ରଡକାଷ୍ଟରକୁ ସୂଚନା ଦେଇ କହିଛନ୍ତି, ମୋନା-ଲିସା ଚିତ୍ରକଳାକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକ ଠିକ୍ ଭାବେ ଏହାକୁ ନଦେଖି ନିରାଶ ହେଉଥିଲେ । ସଂଗ୍ରହାଳୟ ପକ୍ଷରୁ ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇପାରୁନଥିଲା । ଏକସଙ୍ଗରେ ୨୦ ହଜାର ପର୍ଯ୍ୟଟକ ଠିକ୍ ଭାବେ ମୋନା-ଲିସା ସହିତ ସେଲଫି’ ନେଇ ପାରୁନଥିଲେ । ଚିତ୍ରକଳା ରହିଥିବା ହଲ୍‌ରେ ସବୁବେଳେ ଭିଡ଼ ରହୁଥିଲା । ଏହାର

 ସମାଧାନର ଆବଶ୍ୟକତା ଥିଲା । ତେଣୁ ବିଶ୍ବ ପ୍ରସିଦ୍ଧ ମୋନା-ଲିସା ଚିତ୍ରକଳାକୁ ସ୍ବତନ୍ତ୍ର ଘର ଦିଆଯିବ ବୋଲି  ସେ ସୂଚନା ଦେଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.