ନୂଆଦିଲ୍ଲୀ: ବ୍ରାଜିଲରେ କୋପ ଦେଖାଉଛି ପ୍ରକୃତି। ଭୂକମ୍ପ ପରେ ଏବେ ଭୟଙ୍କର ବନ୍ୟା। ୧୨୬ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୭୫୬ ଜଣ ଆହତ। ବନ୍ୟା ଯୋଗୁଁ ୨୦ ଲକ୍ଷ ଲୋକ ପ୍ରଭାବିତ। ପରିସ୍ଥିତିକୁ ଦୃଷ୍ଟିରେ ରଖି ରେସ୍କ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ। ବ୍ରାଜିଲରେ ପ୍ରବଳ ବର୍ଷା ଯୋଗୁଁ ଚାରିଆଡେ ଜଳବନ୍ଦୀ, ଯୋଗାଯୋଗ ବିଛିନ୍ନ। ୨୪ ଘଣ୍ଟା ମଧ୍ୟରେ ଘର ଖାଲି କରିବାକୁ ଦିଆଯାଇଛି ପରାମର୍ଶ।
ବିଶେଷଜ୍ଞଙ୍କ କହିବାନୁସାରେ ଏଲ୍ ନିନୋ ପ୍ରଭାବ ଯୋଗୁଁ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଇଛି। ଉତ୍ତର ଆମେରିକା ସମେତ ବ୍ରାଜିଲରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଅନେକ ସହରରେ ବନ୍ୟା ଜଳ ପ୍ରବେଶ କରିବାରୁ ଭୂସ୍ଖଳନ ଆରମ୍ଭ ହୋଇଛି। କୁହାଯାଉଛି ଏହି ବନ୍ୟାରେ ୧୪୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସିଭିଲ ଡିଫେନ୍ସ ଏଜେନ୍ସି କହିଛି ଯେ ବର୍ଷା ଯୋଗୁଁ ୭୫୬ ଜଣ ଆହତ ହୋଇଛନ୍ତି।
ଏଥି ସହିତ ରିଓ ଗ୍ରାଣ୍ଡେ ଡୋ ସୁଲରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ସହରର ଡ୍ୟାମ ଏବଂ ଡ୍ରେନେଜ ସିଷ୍ଟମ ଉପରେ ବିପଦ ଘନାଉଛି। ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପୋର୍ଟୋ ଆଲେଗ୍ରେ ସହରରେ ବର୍ଷା ଓ ବନ୍ୟା ଯୋଗୁଁ ବ୍ୟବସାୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ରିଓ ଗ୍ରାଣ୍ଡେ ଡୋ ସୁଲ୍ ରାଜ୍ୟର ରାଜଧାନୀ ପୋର୍ଟୋ ଆଲେଗ୍ରେ କିଛି ମାତ୍ରାରେ ସ୍ୱାଭାବିକ ହୋଇଥିଲା। ୧.୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ସହରରେ ମାତ୍ର କେଇଟା ଦୋକାନ ଅସ୍ଥାୟୀ ଭାବେ ଖୋଲାଯାଇଥିଲା। କିନ୍ତୁ ପୁଣି ଥରେ ପ୍ରବଳ ବର୍ଷା ଯୋଗୁଁ ଏବେ ବଢିଛି ଟେନସନ୍।
ଜାତୀୟ ପାଣିପାଗ ବିଜ୍ଞାନ ପ୍ରତିଷ୍ଠାନ ଅନୁଯାୟୀ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ତାଛଡ଼ା ଏଠାରେ ୨୦୦ ମିଲିମିଟର ବର୍ଷା ହୋଇଥିବା କହିଛି ସ୍ଥାନୀୟ ପାଣିପାଗ ବିଭାଗ। ସେପଟେ ରାଜ୍ୟର ଗୁଏବା ନଦୀର ଜଳ ସ୍ତର ବଢିବା ସହ ସବୁ ରେକର୍ଡକୁ ଭାଙ୍ଗିଦେଇଛି।
ନାଗରିକ ସୁରକ୍ଷା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଘରୁ ପଳାଇବାକୁ ଲୋକେ ବାଧ୍ୟ ହେଉଛନ୍ତି। ଏହି ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇ ପ୍ରାୟ 4,11,000ରେ ପହଞ୍ଚିଛି। ହେଲେ ଆଶ୍ରୟସ୍ଥଳୀରେ ଜଳ ଯୋଗାଣ ଏବେ ମୁଖ୍ୟ ସମସ୍ୟା ପାଲଟିଛି। କ୍ୟାମ୍ପ ଏବଂ ଡାକ୍ତରଖାନାଗୁଡ଼ିକରେ ଟ୍ୟାଙ୍କରୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ତେବେ ଲୁଟ୍ପାଟ୍ ଭୟରେ ଅନେକ ଲୋକମାନେ ନିଜ ଘର ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ବନ୍ୟା ଜଳରେ ରାସ୍ତା ଜଳମଗ୍ନ ହୋଇଥିବାରୁ ଏଠାରେ ଡଙ୍ଗା ସାହାଯ୍ୟରେ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ସେପଟେ ହେକ୍ଟର ହେକ୍ଟର ଜମି ଜଳମଗ୍ନ ହେତୁ କୃଷିକ୍ଷେତ୍ରର ଅର୍ଥନୀତି ପ୍ରଭାବିତ ହେବା ଆଶଙ୍କା କରାଯାଉଛି।