ସାଉଦୀ କ୍ରାଉନ ପ୍ରିନ୍ସଙ୍କ ପାକିସ୍ତାନ ଗସ୍ତ ବାତିଲ, ପ୍ରଧାନମନ୍ତ୍ରୀ ସରିଫଙ୍କୁ ଝଟକା

Published By : Prameya-News7 Bureau | May 11, 2024 IST

ଇସ୍ଲାମାବାଦ ୧୧।୫: ସାଉଦୀ ଆରବ କ୍ରାଉନ ପ୍ରିନ୍ସ ମୁହମ୍ମଦ ବିନ ସଲମାନଙ୍କ ପାକିସ୍ତାନ ଯାତ୍ରା ଅଜ୍ଞାତ କାରଣରୁ ବାତିଲ ହୋଇଯାଇଛି। ଶନିବାର ଏହି ସୂଚନା ମିଳିଛି। ଆଶା କରାଯାଉଥିବା ସାଉଦୀ କ୍ରାଉନ ପ୍ରିନ୍ସ ମେ ୧୯ ତାରିଖରେ ଦୁଇ ଦିବସୀୟ ପାକିସ୍ତାନ ଯାତ୍ରାରେ ଇସ୍ଲାମାବାଦ ପହଞ୍ଚି ପାରନ୍ତି। ମାର୍ଚ୍ଚରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ସାଉଦୀ ଆରବ ଯାତ୍ରା କରିଥିଲେ। ସରିଫଙ୍କ ଏହି ଯାତ୍ରାରୁ ଆଶା କରାଯାଉଥିଲା ଯେ ପାକିସ୍ତାନ ଓ ସାଉଦୀ ଆରବ ମଧ୍ୟରେ କୂଟନୈତିକ ଓ ବ୍ୟାପାର ସମ୍ପର୍କିତ ବାର୍ତ୍ତା ପରେ ଏହି ଉଚ୍ଚସ୍ତରୀୟ ଯାତ୍ରା ହୋଇପାରେ।  

ସାଉଦୀଆରବ ଯୁବରାଜଙ୍କ ପାକିସ୍ତାନ ଗସ୍ତ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଛି। ତେବେ ତାଙ୍କର ଏହି ଯାତ୍ରୀ ନଗଦ ସଂକଟର ସମ୍ମୁଖୀନ ପାକିସ୍ତାନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଥିଲା। ପାକିସ୍ତାନ ବିଭିନ୍ନ କ୍ଷେତ୍ରରେ ସାଉଦୀ ଆରବରୁ ବଡ଼ଧରଣର ନିବେଶ ଆଶା ରଖିଛି। ପ୍ରାୟ ୫ ବର୍ଷ ପରେ ସାଉଦୀ କ୍ରାଉନ ପ୍ରିନ୍ସ ପାକିସ୍ତାନ ଗସ୍ତରେ ଆସିବାର ଥିଲା। ଗତ ଥର ସେ ଫେବୃଆରୀ ୨୦୧୯ରେ ପାକିସ୍ତାନ ଗସ୍ତରେ ଆସିଥିଲେ। ସେତେବେଳେ ପାକିସ୍ତାନରେ ଇମ୍ରାନ ଖାନଙ୍କ ପିଟିଆଇ ସରକାର ଥିଲା।  

ଏହା ପରେ ପାକିସ୍ତାନକୁ ତାଙ୍କ ଦ୍ୱିତୀୟ ଯାତ୍ରା ୨୦୨୨ ମସିହାରେ ସ୍ଥିରିକୃତ ହୋଇଥିଲା। ତେବେ ଚୂଡ଼ାନ୍ତ ପର୍ଯ୍ୟାୟରେ ତାଙ୍କର ଏହି ଯାତ୍ରା ବାତିଲ ହୋଇଥିଲା। ପାକିସ୍ତାନ ଓ ସାଉଦୀ ଆରବ ମଧ୍ୟରେ ପ୍ରତିରକ୍ଷା, ବ୍ୟବସାୟ ଓ ସାଂସ୍କୃତିକ ସମ୍ପର୍କ ମଜଭୁତ ରହିଛି। ସାଉଦୀ ଆରବରେ ୨୭ ଲକ୍ଷରୁ ଅଧିକ ପ୍ରବାସୀ ପାକିସ୍ତାନୀ ବସବାସ କରନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.