News7 Logo

୧୦ ଘଣ୍ଟାରେ ୨୧ ଅପରେସନ କଲେ ଡାକ୍ତର, ମାଆ-ପିଲା ପାଇଁ ବିପଦ ଦର୍ଶାଇ ନୋଟିସ୍ ପଠାଇଲା ବିଭାଗ

NEWS7
doctor

ନୂଆଦିଲ୍ଲୀ: ଆସାମର ଜଣେ ଡାକ୍ତର ୧୦ ଘଣ୍ଟାରେ ୨୧ ଅପରେସନ୍ କରି ସଭିଙ୍କୁ ଚକିତ କରାଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନଜରକୁ ଏହି ଖବର ଆସିବା ପରେ, ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଆସାମର ମୋରିଗାଓଁ ଜିଲ୍ଲାର ଏକ ସିଭିଲ୍ ହସ୍ପିଟାଲରେ ଘଟିଛି ଏହି ଘଟଣା । ଏଠାରେ ଜଣେ ବରିଷ୍ଠ ଗାୟନେକୋଲଜିଷ୍ଟ କେବଳ ୧୦ ଘଣ୍ଟାରେ ୨୧ ସି-ସେକ୍ସନ ଡେଲିଭରୀ (ସିଜେରିୟନ ସେକ୍ସନ) କରିଥିଲେ । ସୁରକ୍ଷା ନିୟମ ଅନୁପାଳନ ନକରିବା ଅଭିଯୋଗରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୃକ୍ତ ଡାକ୍ତରଙ୍କୁ ନୋଟିସ୍ ଜାରି କରାଯାଇଛି ।

ମୋରିଗାଓଁ ଅତିରିକ୍ତ ଜିଲ୍ଲା ଆୟୁକ୍ତ (ସ୍ୱାସ୍ଥ୍ୟ) ସେପ୍ଟେମ୍ୱର ୫ରେ ହସ୍ପିଟାଲର ମଖ୍ୟ ଅପରେସନ ଥିଏଟରରେ କରାଯାଇଥିବା ସିଜେରିୟନ ସେକ୍ସନ ପାଇଁ ଡାକ୍ତର କନ୍ଥେଶ୍ୱର ବୋରଦୋଲୋଇଙ୍କୁ ନୋଟିସ୍ ଜାରି କରିଛନ୍ତି । ଅନ୍ୟପଟେ ଡାକ୍ତର ବୋରଦୋଲୋଇ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇଥିବା କହିଛନ୍ତି । ପ୍ରୋଟୋକଲ୍ ଅନୁପାଳନ କରିନଥିବା ନେଇ ଯେଉଁ ଅଭିଯୋଗ କରାଯାଇଛି, ତାହା ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ସୀମିତ ସମୟରେ ଅନେକ ସର୍ଜରୀ କରିବା ପାଇଁ ସେ ସକ୍ଷମ ଅଟନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ମେରିଗାଓଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ଚିଠିରେ କୁହାଯାଇଛି, 'ଡା.ବୋରଦୋଲୋଇ ସେପ୍ଟେମ୍ୱର ୫ ଅପରାହ୍ଣ ୩.୪୦ ମିନିଟରୁ ୬ ସେପ୍ଟେମ୍ୱର ସକାଳ ୧.୫୦ ମଧ୍ୟରେ ଏସଟିଏଚ୍‌ଜି ସିଭିଲ୍ ହସ୍ପିଟାଲ, ମେରିଗାଓଁର ମୁଖ୍ୟ ଅପରେସନ ଥିଏଟରରେ ୨୧ ଏମର୍ଜେନ୍ସି ସି-ସେକ୍ସନ ଅପରେସନ କରିଥିଲେ । ଏହା ଅନେକ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି । ଏହା କରିବା ପ୍ରୋଟୋକଲ୍ ବିରୁଦ୍ଧ ଅଟେ । ଏଥିପାଇଁ ସମସ୍ତ ୨୧ ସର୍ଜରୀର ବିସ୍ତୃତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଉଛି ।'