କଂଗ୍ରେସ ନେତାଙ୍କ ଅପିଲ୍ ବୃଥା, ଅମେଠିରୁ ନିର୍ବାଚନ ଲଢିବେନି ରାହୁଲ ଗାନ୍ଧୀ !

Published By : Prameya-News7 Bureau | May 01, 2024 IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ପାରମ୍ପାରିକ ଲୋକସଭା ଆସନ ଅମେଠିରୁ ନିର୍ବାଚନ ଲଢିବାକୁ ମନା କରିଛନ୍ତି । କଂଗ୍ରେସ ସୂତ୍ର ଅନୁସାରେ ରାହୁଲ ଗାନ୍ଧୀ ଅମେଠି କିମ୍ୱା ରାୟବରେଲି ଆସନରୁ ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ରାହୁଲ ଗାନ୍ଧୀ ମେ ୩ରେ ପୁଣେ ଏକ ରାଲି କରିବେ । ଏହି ଦିନ ଅମେଠିରେ ନାମାଙ୍କନର ଶେଷ ଦିନ । ରାୟବରେଲି ଏବଂ ଅମେଠି ଉଭୟରେ ପଞ୍ଚମ ପର୍ଯ୍ୟାୟରେ ମେ ୨୦ରେ ମତଦାନ ହେବ । ଏହି ଦୁଇ ଆସନ ପାଇଁ ଏବେ ସୁଦ୍ଧା କଂଗ୍ରେସ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ । ପାର୍ଟିର ଜଣେ ନେତା ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ରାଜି କରାଇବା ପାଇଁ ଏବେ ବି ମଲ୍ଲିକାର୍ଜୁନ ଖଡଗେ ଉଦ୍ୟମ କରୁଛନ୍ତି ।

କଂଗ୍ରେସ ନେତା କହିଛନ୍ତି ଯେ ଯଦିଓ ଖଡଗେ ତାଙ୍କୁ ରାଜି କରାଇବା ପାଇଁ ଉଦ୍ୟମ କରୁଛନ୍ତି, କିନ୍ତ ଏପରି ମନେ ହେଉଛି ରାହୁଲ ନିର୍ବାଚନ ନଲଢିବା ପାଇଁ ସ୍ଥିର କରିସାରିଛନ୍ତି । ଅନ୍ୟ ଜଣେ ନେତା କହିଛନ୍ତି ଯେ ସେ ଗତକାଲି ସୁଦ୍ଧା ରାୟବରେଲିରୁ ଲଢିବା ପାଇଁ ପ୍ରସ୍ତୁତ ଥିଲେ, କିନ୍ତୁ ଶେଷରେ ନିଷ୍ପତ୍ତିକୁ ବଦଳାଇ ଦେଲେ । କଂଗ୍ରେସ ନେତାଙ୍କ ଅନୁସାରେ ରାହୁଲ ଗାନ୍ଧୀ ଏହା ମଧ୍ୟ କହୁଛନ୍ତି ଯେ ପରିବାରର କୌଣସି ନେତା ଉତ୍ତର ପ୍ରଦେଶରୁ ନିର୍ବାଚନ ନଲଢନ୍ତୁ । ସମାଜବାଦୀ ପାର୍ଟିର ମୁଖପାତ୍ର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲା ଉପରେ ଅଖିଳେଶ ଯାଦବଙ୍କ ମଧ୍ୟ ନଜର ରହିଛି । ସେ ଚାହୁଁଛନ୍ତି ଯେ ରାହୁଲ ଗାନ୍ଧୀ ନିର୍ବାଚନରେ ଓହ୍ଲାନ୍ତୁ ।

ପଢନ୍ତୁ: ରାୟବରେଲିରୁ ପ୍ରିୟଙ୍କା ଓହ୍ଲାଇଲେ ତାଙ୍କ ବିରୋଧରେ ଲଢିବେ ବରୁଣ ?

ଏପରିକି ଅଖିଳେଶ ଯାଦବ, ରାହୁଲ ଗାନ୍ଧୀଙ୍କୁ ଭରସା ମଧ୍ୟ ଦେଇଛନ୍ତି ଯେ ଅମେଠିରେ ତାଙ୍କୁ ଭଲ ସମର୍ଥନ ରହିଛି । କୁହାଯାଉଛି ଯେ ଅଖିଳେଶ ଯାଦବଙ୍କ ସହ ଭେଟ ବେଳ ରାହୁଲ ଗାନ୍ଧୀ ନିର୍ବାଚନ ଲଢିବେନି ବୋଲି କହିଥିଲେ । ଏହା ମଧ୍ୟ କହିଥିଲେ ଯେ ଯଦି ମନ ପରିବର୍ତ୍ତନ ହୁଏ ତେବେ ଜଣାଇବେ । କିନ୍ତୁ ଏବେ ରାହୁଲ ଗାନ୍ଧୀ ବାଇନାଡରେ ହିଁ ରହିବାକୁ ଚାହୁଁଛନ୍ତି ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.