ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲମ ଗିରଫ, ଇଡି ଚଢଉରେ ସଚିବଙ୍କ ଚାକର ଘରୁ ମିଳିଥିଲା ୩୭ କୋଟି ଟଙ୍କା

Published By : Prameya-News7 Bureau | May 15, 2024 IST

ରାଞ୍ଚୀ ୧୫।୫: ଝାଡ଼ଖଣ୍ଡ ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଗିରଫ କରିଛି। ପଚରା ଉଚରା ପରେ ତାଙ୍କୁ ଇଡି ଗିରଫ କରିଛି। ଆଲମଗିର ଆଲମଙ୍କ ସଚିବଙ୍କ ଚାକର ଘରୁ ନଗଦ ୩୭ କୋଟିରୁ ବି ଅଧିକ ଟଙ୍କା ମିଳିଥିଲା। ଏ ସମ୍ପର୍କରେ ତାଙ୍କୁ ପ୍ରଥମେ ପଚରା ଉଚରା କରାଯିବା ପରେ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆଲମଗିର ଆଲମଙ୍କୁ ଇଡି ମଙ୍ଗଳବାର ପାଖାପାଖି ୧୦ ଘଣ୍ଟା ପଚରା ଉଚରା କରିଥିଲା। 

କାଲିର ପଚରାଉଚରା ଅଧା ଥିବା ବେଳେ ତାଙ୍କୁ ବୁଧବାର ପୂର୍ବାହ୍ନରେ ପୁଣି ଥରେ ଡକାଯାଇଥିଲା ଓ ପଚରା ଉଚରା କରାଯାଇଥିଲା। ଏହା ପରେ ଇଡି ତାଙ୍କ ଗିରଫ ପୁଷ୍ଟି କରିଛି। ରବିବାର ଇଡି ଆଲମଗିର ଆଲମଙ୍କୁ ତଲବ କରିଥିଲା। ତାଙ୍କୁ ମେ ୧୪ ତାରିଖରେ ରାଞ୍ଚୀସ୍ଥିତ ଜୋନାଲ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ଇଡି ମେ ୬ ତାରିଖ ଦିନ ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ଚାକର ଜାହାଙ୍ଗୀର ଆଲମଙ୍କ ଆପାର୍ଟମେଣ୍ଟ ଉପରେ ଚଢଉ କରିଥିଲା। 

ଏହି ଚଢଉ କାଳରେ ନଗଦ ୩୭ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା। ଚଢଉ ପରେ ଇଡି  ଜାହାଙ୍ଗୀର ଓ ସଞ୍ଜୀବ ଉଭୟଙ୍କୁ ଗିରଫ କରିଥିଲା। ଗତ ଦିନରେ ଇଡି ରାଞ୍ଚୀର ଅନେକ ସ୍ଥାନରେ ଚଢଉ କରିଥିଲା। ଏହି ଚଢଉରେ ଜାହାଙ୍ଗୀର ଆଲମଙ୍କ ଘରର ମଧ୍ୟ ତଲାସୀ ନିଆଯାଇଥିଲା। କେବଳ ଟଙ୍କା ନୁହେଁ ଏଜେନ୍ସୀ ଜାହାଙ୍ଗୀରଙ୍କ ଘରୁ କିଛି ସ୍ୱର୍ଣ୍ଣଳଙ୍କାର ମଧ୍ୟ ଜବତ କରିଥିଲା। ଝାଡଖଣ୍ଡ କଂଗ୍ରେସରେ ଆଲମଗିର ଆଲମ କେତେ ପ୍ରଭାବଶାଳୀ ଏଥିରୁ ଅନୁମାନ କରାଯାଇ ପାରେ ଯେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। 

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରୂପେ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଚମ୍ପେଇ ସୋରେନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ମନ୍ତ୍ରୀମଣ୍ଡଳରେ ଆଲମଗିର ଆଲମଙ୍କୁ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ଚମ୍ପେଇ ସୋରେନଙ୍କ ମନ୍ତ୍ରୀମଣ୍ଡଳରେ କଂଗ୍ରେସ କୋଟାର ପୁରୁଣା ଚେହେରାଙ୍କୁ ଦୋହରା ଯାଇଛି। ଏଣୁ ପାର୍ଟି ନେତୃତ୍ୱ ପ୍ରତି ବିଧାୟକ ଅସନ୍ତୁଷ୍ଟ ଅଛନ୍ତି। ଏଣୁ ବିଧାୟକମାନେ ହେମନ୍ତ ସୋରେନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କଂଗ୍ରେସ କୋଟାର ସବୁ ମନ୍ତ୍ରୀଙ୍କୁ ବଦଳାଇବାକୁ ଦାବି କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.