ନୂଆଦିଲ୍ଲୀ: ରାସ୍ତା ଉପରେ ନମାଜ ପାଠକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ରାସ୍ତା ଚାଲିବା ପାଇଁ ହୋଇଛି, ନାଟକ ପାଇଁ ନୁହେଁ । ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି, ଭଲରେ ଭଲରେ ମାନିଗଲେ ଠିକ୍ ଅଛି, ନଚେତ ଅନ୍ୟ ବାଟ ଗ୍ରହଣ କରିବୁ । ସେ କହିଛନ୍ତି, ଯଦି ଜାଗା ଛୋଟ ହେଉଛି ତେବେ ଶିଫ୍ଟରେ ନମାଜ ପଢ଼ିବା ଦରକାର । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ଯେ ଆଇନ ସମସ୍ତଙ୍କ ସମାନ ଏବଂ ସାର୍ବଜାନୀନ ରାସ୍ତା ଉପରେ ଅରାଜକତା ସୃଷ୍ଟି କରୁଥିବା ଲୋକଙ୍କ ବିରୁଦ୍ଧରେ ସରକାର ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିବେ ।

ମୁଖ୍ୟମନ୍ତ୍ରୀ ନିଜ ସମ୍ୱୋଧନରେ ସ୍ପଷ୍ଟ କରିଛନ୍ତି, ସରକାର ପ୍ରଥମେ ଲୋକଙ୍କୁ ବୁଝାଇବାକୁ ପ୍ରୟାସ କରିବେ । କିନ୍ତୁ ଯଦି କିଏ ଆଇନର ଭାଷା ନ ବୁଝେ ତେବେ ତାଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନିଆଯିବ । ସିଏମ୍ ଯୋଗୀ କହିଛନ୍ତି, ଯେତେବେଳେ ଲୋକ ପଚାରନ୍ତି ସତରେ କଣ ୟୁପି ରାସ୍ତାରେ ନମାଜ ପାଠ ହେଉନି, ସେତେବେଳେ ଆଦୌ ନୁହଁ ବୋଲି କୁହେ । ରାସ୍ତା ଜନତାଙ୍କ ପାଇଁ ଅଟେ । କାହାକୁ ବି ସାଧାରଣ ନାଗରିକଙ୍କ ରାସ୍ତାରେ ବାଧା ଦେବାର କୌଣସି ବୈଧାନିକ ଅଧିକାର ନାହିଁ ।

ମୁଖ୍ୟମନ୍ତ୍ରୀ ଚେତାଇ କହିଛନ୍ତି, ରାସ୍ତାରେ ବାଧା ସୃଷ୍ଟି କରିବାକୁ ଦିଆଯିବ ନାହିଁ । ରାସ୍ତାରେ ଅରାଜକତା ସୃଷ୍ଟି କରିବାକୁ ଦିଆଯିବ ନାହିଁ । ଆମ କାମ ହେଉଛି ସମ୍ୱାଦ ସ୍ଥାପନ କରିବା । ଆପଣ ସମ୍ୱାଦରେ ନ ମାନିଲେ ସଂଘର୍ଷରେ ଦେଖାଯିବ । ଏହି ସମୟରେ ମୁଖ୍ୟମନ୍ତ୍ରୀ ବରେଲି କଥା ଉଲ୍ଲେଖ କରିଥିଲେ । ବରେଲିରେ ଲୋକମାନେ ସଂଘର୍ଷକୁ ବାଛିଥିଲେ । ସେମାନେ ଶକ୍ତି ଦେଖିଲେ ।