ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ତାଙ୍କ ଟ୍ରୁଥ ସୋସାଲରେ ଏକ ପୋଷ୍ଟ କରିଥିଲେ। ଏଥିରେ ଚନ୍ଦ୍ର ଫଟୋ ସେୟାର କରି ଲେଖିଥିଲେ ‘ଦି ମୁନ ଇଜ୍ ଆୱାର’ ଅର୍ଥାତ ଚନ୍ଦ୍ର ଆମର। ଟ୍ରମ୍ପଙ୍କ ଏହି ପୋଷ୍ଟ ପରେ ଚନ୍ଦ୍ରକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ବିତର୍କ ଆରମ୍ଭ ହୋଇଯାଇଛି। ତେବେ ଚନ୍ଦ୍ର ଉପରେ କୌଣସି ଦେଶ ନିଜ ମାଲିକାନା ହକ୍ ଦାବି କରିପାରିବ କି? ଯଦି ଚନ୍ଦ୍ର କାହାର ନୁହେଁ ତେବେ ସେଠାରେ ଥିବା ଖଣିଜ ସମ୍ପଦ କାହାର ହେବ? ତେବେ ଏହାକୁ ନେଇ ଆଉଟର ସ୍ପେସ୍ ଟ୍ରିଟି ଆଇନ କ’ଣ କହୁଛି ଆସନ୍ତୁ ଜାଣିବା..

୧୯୬୭ ମସିହାର ଆଉଟର ସ୍ପେସ୍ ଟ୍ରିଟି ଅନୁସାରେ ଆମେରିକା ସମେତ ବିଶ୍ୱର କୌଣସି ଦେଶ ଚନ୍ଦ୍ରରେ ନିଜର ସାର୍ବଭୌମତା ଦାବି କରିପାରିବେ ନାହିଁ। ଏହି ଟ୍ରିଟି ଉପରେ ସେତେବେଳେ ବିଶ୍ୱର ଅନେକ ଦେଶ ନିଜର ସହମତି ଦେଇଥିଲେ। ଏହି ସନ୍ଧିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଚନ୍ଦ୍ର ଓ ଅନ୍ୟ ଖଗୋଳିୟ ପିଣ୍ଡ କୌଣସି ଗୋଟିଏ ଦେଶର ସମ୍ପତ୍ତି ହୋଇ ପାରିବ ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ ଆମେରିକା ଚନ୍ଦ୍ରରେ ପତାକା ଉଡାଉ କି ସେଠାରେ ବିଲ୍ଡିଂ ନିର୍ମାଣ କରୁ ଏହା ଦ୍ୱାରା ଚନ୍ଦ୍ରର ମାଟି ଆମେରିକାର ହୋଇ ପାରିବ ନାହିଁ।

ସେହିପରି ଭାରତ. ଚୀନ, ଋଷିଆ ଅଥବା ଅନ୍ୟ କୌଣସି ଦେଶ ଚନ୍ଦ୍ରର କୌଣସି ଅଂଶକୁ ନିଜର ଦାବି କରିପାରିବେନି। ମହାକାଶ ଆଇନ ଚନ୍ଦ୍ରପୃଷ୍ଠରେ ମହଜୁଦ ପ୍ରାକୃତିକ ସଂସାଧନ ଓ ସେଠାରୁ ଅଣାଯାଇଥିବା ପଦାର୍ଥ ମଧ୍ୟରେ ସ୍ପଷ୍ଟ ଅନ୍ତର କରେ। ଆଉଟର ସ୍ପେସ୍ ଟ୍ରିଟି କୌଣସି ଦେଶକୁ ଚନ୍ଦ୍ର କୌଣସି କ୍ଷେତ୍ର ଉପରେ ମାଲିକାନା ହକ ସାବ୍ୟସ୍ତ କରିବାକୁ ଅନୁମତି ଦିଏନି। ତେବେ ଗତ ସେପ୍ଟେମ୍ବର ୬ ତାରିଖରେ ଟ୍ରମ୍ପ ଟ୍ରୁଥ ସୋସାଲ ରେ ପୋଷ୍ଟ କରି ଘୋଷଣା କରିଥିଲେ ଯେ ‘ଚନ୍ଦ୍ର ଆମର’। ଏହି ପୋଷ୍ଟରେ ସେ ଆମେରିକା ପତାକା ଚନ୍ଦ୍ରପୃଷ୍ଠ ଓ ଆମେରିକୀୟ ସ୍ପେସ୍ ଫୋର୍ସର ଏଆଇ ଛବି ମଧ୍ୟ ସେୟାର କରିଥିଲେ।

ଯଦିଓ ଚନ୍ଦ୍ର ଅଭିଯାନରେ ଆମେରିକା ବିଶ୍ୱର ଅଗ୍ରଣୀ ଦେଶ ତଥାପି ଟ୍ରମ୍ପଙ୍କ ଏହି ଦାବି ଅନ୍ତର୍ଜାତୀୟ ଆଇନର ସମ୍ପୂର୍ଣ୍ଣ ବିପରୀତ। ଏହି ଆଇନ ସ୍ପଷ୍ଟ କରୁଛି ଯେ ଆମେରିକା ସମେତ ବିଶ୍ୱର କୌଣସି ଦେଶ ଚନ୍ଦ୍ର ଉପରେ ନିଜର ମାଲିକାନା ହକ୍ ଜାହିର କରିପାରିବେ ନାହିଁ। ଏଣୁ ଟ୍ରମ୍ପଙ୍କ ଏପରି ପୋଷ୍ଟକୁ ଏକ ସାଧାରଣ ପୋଷ୍ଟ ବୋଲି ଏବେ ମନେ କରାଯାଉଛି।