LIVE TV

ନିର୍ମଳା ସୀତାରମଣଙ୍କ ବଡ଼ ବୟାନ, GST ସଂଶୋଧନ କାରଣରୁ ରାଜସ୍ୱହାନୀ ଲାଗି ମିଳିବନି କ୍ଷତିପୂରଣ

NEWS7
Nirmala Sitaraman

ନୂଆଦିଲ୍ଲୀ ୧୮।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସ୍ପଷ୍ଟ ରୂପେ କହିଛନ୍ତି ଯେ ଜିଏସଟି ସଂଶୋଧନ କାରଣରୁ ସମ୍ଭାବିତ ରାଜସ୍ୱ ହାନୀ ଭରଣା ନିମନ୍ତେ କେନ୍ଦ୍ର ସରକାର କୌଣସି କ୍ଷତିପୂରଣ ଦେବେ ନାହିଁ। ଏ ନେଇ ସରକାରଙ୍କ କୌଣସି ବିଚାର ନଥିବା ମଧ୍ୟ ସେ କହିଛନ୍ତି। ସେ କହିଛନ୍ତି ଯେ ଏହି ରାଜସ୍ୱ ହାନୀ ବୋଝ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ସମାନ ରୂପେ ବହନ କରିବେ। କାରଣ ଏହା କର ସଂରଚନାର ଭାଗିଦାରୀ ବ୍ୟବସ୍ଥା।

ଜିଏସଟି ପରିଷଦର ପିଛିଲା ବୈଠକରେ କେତେକ ରାଜ୍ୟ ରାଜସ୍ୱ କ୍ଷତିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ବିରୋଧୀ ଦଳଙ୍କ ଶାସିତ ରାଜ୍ୟମାନେ ବିଶେଷ କରି ଏ ନେଇ ପ୍ରଶ୍ନ ଉଠାଇଥିଲେ। ସେମାନେ କହିଥିଲେ ଯଦି କର କାଟ ଯୋଗୁ ଆୟ ହ୍ରାସ ହୁଏ ଏହାର ଭରଣା କିପରି ହେବ?ଏହା ଉପରେ ସୀତାରମଣ କହିଛନ୍ତି ଯେ ଜିଏସଟି ପରିଷଦ ମଞ୍ଚ ଦାତା ଓ ଗ୍ରହୀତାଙ୍କ ମଞ୍ଚ ନୁହେଁ। ବରଂ ଏହା ଏକ ମିଳିତ ଦାୟିତ୍ୱର ଏକ ଢାଞ୍ଚା।

ସୀତାରମଣ ବୁଝାଇବାକୁ ଯାଇ କହିଥିଲେ ଯେ ଜିଏସଟିରୁ ପ୍ରାପ୍ତ ରାଜସ୍ୱରେ କେନ୍ଦ୍ର ଓ ରାଜ୍ୟଙ୍କ ଭାଗିଦାରୀ ୫୦-୫୦%ର ରହିଛି। ଏଥିରୁ କେନ୍ଦ୍ରୀୟ ଭାଗର ୪୧% ରାଜ୍ୟଙ୍କୁ ଫେରସ୍ତ ଚାଲି ଯାଏ। ଏଣୁ କେନ୍ଦ୍ର ପାଖରେ ବାସ୍ତବରେ ୨୩% ରାଜସ୍ୱ ବଳକା ହୋଇଥାଏ। ଏଣୁ ଏ କ୍ଷେତ୍ରରେ ହାନୀର ପ୍ରଭାବ କେନ୍ଦ୍ର ଉପରେ ସେତିକି ପଡିବ ଯେତିକି ରାଜ୍ୟଙ୍କ ଉପରେ ପଡିବ।

ଚଳିତମାସ ପ୍ରାରମ୍ଭରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ କର ହାରକୁ ଶରଳ କରିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଏପର୍ଯ୍ୟନ୍ତ ୪ଟି ସ୍ଲାବରେ ଥିବା ଜିଏସଟିକୁ କେବଳ ୨ ପ୍ରମୁଖ ସ୍ଲାବ ୫ ଓ ୧୮%ରେ ସୀମିତ କରିଦିଆଯାଇଛି। ସେହିପରି ବିଳାଶିତା ଓ ଅସ୍ୱାସ୍ଥ୍ୟକର ପ୍ରଡକ୍ଟ ଉପରେ ବିଶେଷ କର ହାର ୪୦% ରହିବ। ଏଣୁ ସୀତାରମଣ ସ୍ପଷ୍ଟ କରିଦେଇଛନ୍ତି ଯେ ରାଜ୍ୟଙ୍କୁ ଅତିରିକ୍ତ କ୍ଷତିପୂରଣ ଦେବା ଲାଗି କେନ୍ଦ୍ରର ବିଚାର ହିଁ ନାହିଁ। ଜିଏସଟି ବାବଦ କର ସଂଗ୍ରହ କେନ୍ଦ୍ର ଓ ରାଜ୍ୟର ସମାନ ଦାୟିତ୍ୱ ଏଣୁ ବୋଝକୁ ଉଭୟ ସମାନ ଭାବେ ଉଠାଇବେ।

ସୀତାରମଣଙ୍କ ଅନୁସାରେ ନୂଆ କରବ୍ୟବସ୍ଥା ଯୋଗୁ ୨ଲକ୍ଷ କୋଟି ଟଙ୍କାର ଅତିରିକ୍ତ ରାଶି ଅର୍ଥବ୍ୟବସ୍ଥାରେ ପ୍ରବାହୀତ ହେବ। ଏହାର ସିଧା ଲାଭ ସାଧାରଣ ଖାଉଟି ଓ ବ୍ୟବସାୟୀ ପାଇବେ। ସେ ଦାବି କରିଛନ୍ତି ଯେ ଏହା ଦ୍ୱାରା ୧୪୦ କୋଟି ଲୋକଙ୍କୁ ଲାଭ ହେବ ଓ ଲୋକଙ୍କ ଉପଭୋଗ କ୍ଷମତା ବୃଦ୍ଧି ହେବ। ଅର୍ଥମନ୍ତ୍ରାଳୟ ସୂଚନା ଦେଇଛନ୍ତି ଯେ ଜିଏସଟି ସଂଶୋଧନ ବ୍ୟବସ୍ଥା ଦେଶରେ ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବ। ଏହା ସହିତ ବ୍ୟବସାୟୀ ଓ ଉପଭୋକ୍ତ ଉଭୟ ଆଶ୍ୱସ୍ତ ହେବେ।