ନୂଆଦିଲ୍ଲୀ: ପିଲାଙ୍କ ଭବିଷ୍ୟତ ଚିନ୍ତାରେ ମାତାପିତା ଏବେ ସରକାରୀ ସ୍କୁଲ ବଦଳେ ପ୍ରାଇଭେଟ ସ୍କୁଲକୁ ଗୁରୁତ୍ୱ ଦେଉଛନ୍ତି। ନିକଟରେ ନୀତି ଆୟୋଗ ଦେଶର ବିଦ୍ୟାଳୟ ଶିକ୍ଷା ନେଇ ଦେଇଥିବା ରିପୋର୍ଟରୁ ଏପରି କଥା ସବୁ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ଗତ ଦୁଇ ଦଶନ୍ଧୀରେ ସରକାରୀ ସ୍କୁଲ ଆଡମିସନରେ ପାଖାପାଖି ୨୨% ହ୍ରାସ ରେକର୍ଡ ହୋଇଛି। ୨୦୦୫ ମସିହା ବେଳେ ଦେଶର ସରକାରୀ ସ୍କୁଲମାନଙ୍କରେ ଆଡମିସନ ହାର ୭୧% ଥିଲା। ତେବେ ୨୦୨୪-୨୫ରେ ଏହି ହାର ହ୍ରାସ ହୋଇ ୪୯.୨୪%ରେ ସୀମିତ ହୋଇଯାଇଛି। ଅନ୍ୟପଟେ ସବୁ ମାଧ୍ୟମିକ ସଂସ୍ଥାନରେ ପ୍ରାଇଭେଟ ସ୍କୁଲର ଭାଗିଦାରୀ ୪୪.୦୧%କୁ ପହଞ୍ଚିଛି। ଏହା ଘରୋଇ ଶିକ୍ଷା ପ୍ରତି ଅଭିଭାବକଙ୍କ ଆଗ୍ରହକୁ ଦର୍ଶାଉଛି।

ସମାନତାକୁ ନେଇ ନୀତି ଆୟୋଗଙ୍କ ଚିନ୍ତା
ରିପୋର୍ଟ ଅନୁସାରେ ଏହି ପରିବର୍ତ୍ତନ ସେହି ଧାରଣା ଦ୍ୱାରା ପ୍ରେରିତ ଯେଉଁଥିରେ ଘରୋଇ ସ୍କୁଲମାନଙ୍କରେ ଉନ୍ନତ ଇଂରାଜୀ ମାଧ୍ୟମ ଶିକ୍ଷା, କଡ଼ା ଅନୁଶାସନ ଓ ଭବିଷ୍ୟତରେ ରୋଜଗାରର ସୁ ଅବସର ମିଳୁଛି। ରିପୋର୍ଟରେ ଏ ନେଇ ମଧ୍ୟ ସତର୍କ କରାଯାଇଛି ଯେ ଏପରି ଆଶା ସର୍ବଦା ବାସ୍ତବତା ସହ ମେଳ ଖାଏନି। ନୀତି ଆୟୋଗ ରିପୋର୍ଟରେ କହିଛନ୍ତି ଯେ ଭାରତର ସ୍କୁଲ ଶିକ୍ଷା ପ୍ରଣାଳୀରେ ଖାସ କରି ମାଧ୍ୟମିକ ସ୍ତରରେ ପ୍ରାଇଭେଟ ସ୍କୁଲ ମାନଙ୍କରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହି ପରିବର୍ତ୍ତନ ଭଳ ଫଳାଫଳ ପାଇଁ ଅଭିଭାବକଙ୍କ ଆକାଙକ୍ଷାକୁ ଦର୍ଶାଉଛି। ହେଲେ ଶିକ୍ଷା କ୍ଷେତ୍ରରେ ଘରୋଇ କ୍ଷେତ୍ରର ଏପରି ଅଭିବୃଦ୍ଧି ଶିକ୍ଷାର ମାନ, ସମାନତା ଓ ନିୟମକୁ ନେଇ ଗୁରୁତ୍ତର ଚିନ୍ତାର କାରଣ ପାଲଟିଛି।

ଦେଶରେ ପ୍ରାଇଭେଟ ସ୍କୁଲଙ୍କ ହାଲ ଏପରି
ରିପୋର୍ଟ ଅନୁସାରେ ଦେଶରେ ସ୍ୱଳ୍ପ ଶୁଳ୍କରେ ପାଠ ପଢାଉଥିବା ପ୍ରାଇଭେଟ୍ ସ୍କୁଲ (ଏଲଏଫପି)ଙ୍କ ଅବସ୍ଥା ଚିନ୍ତାଜନକ। ଏପରି ସ୍କୁଲ ଶିକ୍ଷା ଅଧିକାର (ଆରଟିଇ) ଅଧିନିୟମର ମୌଳିକ ମାନକ ମଧ୍ୟପୂରଣ କରିବାକୁ ଅସମର୍ଥ। ଏହି ସ୍କୁଲମାନଙ୍କରେ ସ୍ୱଚ୍ଛ ପେୟଜଳ, ଶୌଚାଳୟ, ଖେଳ ପଡିଆ ଭଳି ମୌଳିକ ସୁବିଧା ମଧ୍ୟ ନାହିଁ। ଏପରି ସ୍କୁଲମାନଙ୍କରେ ଶିକ୍ଷକଙ୍କ ନିଯୁକ୍ତି ସାଧାରଣତଃ ଅନୌପଚାରିକ ହୋଇଥାଏ। ଏପରି ଶିକ୍ଷକ ସ୍ୱଳ୍ପ ବେତନ ଓ ବିନା ନିଯୁକ୍ତି ସୁରକ୍ଷାରେ ନିୟୋଜିତ ହୋଇଥାନ୍ତି। ଏହାର ପ୍ରଭାବ ପାଠପଢାର କ୍ୱାଲିଟି ଉପରେ ପଡିଥାଏ।

ଜଣେ ଶିକ୍ଷକଙ୍କ ଭରସାରେ ୧ଲକ୍ଷ ସ୍କୁଲ
ଏହି ରିପୋର୍ଟ ଦେଶରେ ଶିକ୍ଷା କାର୍ଯ୍ୟବଳରେ ବ୍ୟାପକ ଚ୍ୟାଲେଞ୍ଜକୁ ମଧ୍ୟ ଉଜାଗର କରିଛି। ସାରା ଦେଶରେ ଥିବା ପାଖାପାଖି ୧୪ଲକ୍ଷ ସ୍କୁଲରେ ୧.୦୧କୋଟି ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଛାତ୍ର-ଶିକ୍ଷକ ଅନୁପାତ ସୁଧାର ସତ୍ତ୍ୱେ ଅନେକ ଗ୍ରାମୀଣ ଓ ପଛୁଆ ଅଞ୍ଚଳରେ ଶିକ୍ଷକଙ୍କ ଅଭାବ ରହିଛି। ଦେଶରେ ୧ ଲକ୍ଷରୁ ଅଧିକ ଏପରି ସ୍କୁଲ ଅଛନ୍ତି ଯେଉଁ ସବୁ ସ୍କୁଲ କେବଳ ଜଣେ ଲେଖାଏଁ ଶିକ୍ଷକଙ୍କ ଭରସାରେ ଚାଲୁଛି।