ନୂଆଦିଲ୍ଲୀ: ନେପାଳରେ ବନ୍ୟା ଅନେକ ପରିବାରକୁ ଉଜାଡ଼ି ଦେଇଛି । ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଶବ ଭିତରେ ଆତ୍ମୀୟଙ୍କ ଖୋଜା ବି ଚାଲିଛି । ଅନେକ ବିସ୍ମୟ ଘଟଣା ବି ଘଟିଛି । ମୃତ୍ୟୁ ମୁଖରୁ ଅନେକ ଜୀବନ ଧରି ଫେରିଛନ୍ତି । କୋଠାର ଭଗ୍ନାବଶେଷ ତଳେ ୬୦ ଘଣ୍ଟା ଧରି ମୃତ୍ୟୁ ଲଢି ଫେରିଛି ୫ ବର୍ଷର ଝିଅ ମନୀଷା । ନେପାଳ ବନ୍ୟାରେ ଭାସିଯିବାର ଦୁଇ ଦିନ ପରେ ଜଣେ ୫ ବର୍ଷର ଶିଶୁ କନ୍ୟା ନିଜ ବାପା-ମା'ଙ୍କୁ ପୁନର୍ବାର ଭେଟିଛି । ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଓ ଭୂସ୍କଳନ ପରେ ମନୀଷାଙ୍କୁ ଭଗ୍ନ କୋଠା ତଳୁ ଉଦ୍ଧାର କରାଯାଇଥିଲା ।

ମନୀଷାଙ୍କ ବାପା କହିଛନ୍ତି, ପରିବାର ଲୋକେ ଭାବିଥିଲେ ଝିଅ ମୃତ୍ୟୁବରଣ କରିସାରିଛି । କିନ୍ତୁ ପରେ ସେମାନେ ତାଙ୍କର ଉଦ୍ଧାର କାର୍ଯ୍ୟର ଭିଡିଓ ଫୁଟେଜ୍ ଦେଖିବାକୁ ପାଇଥିଲେ । ସିଏନଏନକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ସେ ମୋର ସନ୍ତାନ । ମୁଁ ଏତିକି ହିଁ କହିପାରିବି ।"

ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳେ ଜୀବିତ ଲୋକଙ୍କୁ ଖୋଜୁଥିବା ବେଳେ ଏକ କ୍ଷୀଣ ଶବ୍ଦ ଶୁଣିବାକୁ ପାଇଥିଲେ । ପ୍ରଥମେ ସେମାନେ ଏହା କୌଣସି ବିଲେଇର ଶବ୍ଦ ବୋଲି ଭାବିଥିଲେ । ଶବ୍ଦ ଆସୁଥିବା ସ୍ଥାନକୁ ସେମାନେ ନିଜ ହାତରେ ଖୋଳିବା ଆରମ୍ଭ କରିଥିଲେ ଏବଂ ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ ମନୀଷାଙ୍କୁ ଜୀବନ୍ତ ଅବସ୍ଥାରେ ପାଇଥିଲେ । ଉଦ୍ଧାର ସମୟରେ ମନୀଷା ପ୍ରାୟ ଅଚେତ ଅବସ୍ଥାରେ ଥିଲେ । ତେବେ ଖରାପ ପାଗ ଯୋଗୁଁ ତାଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ସ୍ଥାନାନ୍ତର କରାଯାଇପାରି ନ ଥିଲା । ତାଙ୍କୁ ଏକ ଉଦ୍ଧାର ଶିବିରକୁ ନିଆଯାଇଥିଲା । ସେଠାରେ ଚେତା ଫେରାଇ ଆଣିବା ପାଇଁ ତାଙ୍କୁ ପାଣି ଏବଂ ପେଜ ଦିଆଯାଇଥିଲା । ପରେ ମନୀଷାଙ୍କୁ ଆକାଶମାର୍ଗରୁ କାଠମାଣ୍ଡୁର ଟିଚିଂ ହସ୍ପିଟାଲର ଶିଶୁ ଜରୁରୀକାଳୀନ ବିଭାଗକୁ ନିଆଯାଇଥିଲା । ଅଗଷ୍ଟ ୩୦ରେ ସେ ନିଜ ବାପା-ମା'ଙ୍କୁ ଭେଟିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଏକ ବିବୃତ୍ତିରେ ଜଣାଇଛନ୍ତି ।

ମନୀଷାଙ୍କ ମାଆ' ସିଏନଏନକୁ କହିଛନ୍ତି, ଝିଅ ତାଙ୍କୁ କହିଥିଲା ଯେ ବନ୍ୟା ଆସି ତାଙ୍କୁ ଭସାଇ ନେଇଯାଇଥିଲା ଏବଂ ସେ "ମମ୍ମି ଓ ବାବା"ଙ୍କୁ ଖୋଜୁଥିଲେ । ସେ ସେମାନଙ୍କୁ ପଚାରିଥିଲେ, "ତୁମେମାନେ କାହିଁକି ଆସି ମୋତେ ବଞ୍ଚାଇଲନି ?"

ଛାରଖାର, ହାହାକାର, ମୃତ୍ୟୁର ତାଣ୍ଡବ... ସବୁ ବିନାଶ ଘଟିଛି ୨୬ ତାରିଖରେ !

ତାଙ୍କ ବାପା କହିଛନ୍ତି, ସେ ଝିଅକୁ ଜଳଖିଆ ଦେଇ ବିଲକୁ ଯାଇଥିଲେ । ମାତ୍ର ୫ ସେକେଣ୍ଡ ମଧ୍ୟରେ ଏସବୁ ଘଟିଗଲା । ସେ ତାଙ୍କୁ ବଞ୍ଚାଇବା ପାଇଁ ଦୌଡ଼ି ଆସିଥିଲେ, କିନ୍ତୁ ସେତେବେଳକୁ ଘର ଆଉ ନ ଥିଲା । କିଛି ଘଣ୍ଟା ପରେ ଯେତେବେଳେ ସେ ନିଜ ସ୍ତ୍ରୀଙ୍କୁ ଭେଟିଲେ, ଦୁହେଁ କାନ୍ଦି କାନ୍ଦି ଅଚେତ ହୋଇପଡ଼ିଥିଲେ । ସେହି ସମୟରେ ତାଙ୍କ ଝିଅ ଜୀବିତ ଥିବ ବୋଲି ସେ ଆଦୌ ଭାବି ନଥିଲେ । ମନୀଷା ନିଜ ଘର ତଳୁ ନୁହେଁ, ବରଂ ଅନ୍ୟ ଦୁଇଟି କୋଠାର ଭଗ୍ନାବଶେଷ ତଳୁ ମିଳିଥିଲେ । ସେ କୌଣସି ପ୍ରକାରେ ଏକ ଏୟାର ପକେଟରେ ଫସି ରହିଥିଲେ, ଯେଉଁଠାରେ ସେ ୬୦ ଘଣ୍ଟା ଧରି ଜୀବିତ ରହିପାରିଥିଲେ । ତାଙ୍କ ବାପା କହିଛନ୍ତି ଯେ, ସାରା ଶରୀରରେ ଆଘାତ ଲାଗିଥିବାରୁ ମନୀଷାଙ୍କ ମୁହଁ ଚିହ୍ନି ହେଉ ନଥିଲା । ତାଙ୍କ ଅବସ୍ଥା ଗୁରୁତର ଥିଲା ଏବଂ ଚାରିଆଡ଼େ ରକ୍ତ ଜମାଟ ବାନ୍ଧିଥିଲା ।