ନୂଆଦିଲ୍ଲୀ: ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ୫-ଦିନିଆ ବ୍ୟାଙ୍କିଙ୍ଗ୍ ସପ୍ତାହ, ସରକାରଙ୍କ ସଂଶୋଧିତ ପରଫୋର୍ମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍ (PLI) ସ୍କିମ୍ ଏବଂ ଅନ୍ୟାନ୍ୟ ବାକି ଥିବା ଦାବିଗୁଡ଼ିକୁ ନେଇ ପର୍ଯ୍ୟାୟକ୍ରମେ ଧର୍ମଘଟର ଘୋଷଣା କରିଛି।

ସମ୍ବାଦ ସଂସ୍ଥା ଏଏନଆଇ ଅନୁଯାୟୀ, ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସର ଆହ୍ୱାନ କ୍ରମେ ସେପ୍ଟେମ୍ବର ୧୧ରେ ଦିନିକିଆ ଧର୍ମଘଟ ହେବ । ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ଲଗାତାର ତିନିଦିନ ବ୍ୟାଙ୍କ କର୍ମଚାରୀମାନେ କାମବନ୍ଦ ରଖିବେ । ୟୁନିଅନ୍ ସୂଚନା ଦେଇଛି ଯେ ଯଦି ଦାବିଗୁଡ଼ିକର ସମାଧାନ ନହୁଏ, ତେବେ ଅକ୍ଟୋବର ୨୬ରୁ ସାରା ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଆରମ୍ଭ କରାଯିବ । ୟୁନିଅନ୍‌ର ପ୍ରେସ୍ ରିଲିଜ୍ ଅନୁଯାୟୀ, ଏହି ଫୋରମ୍‌ରେ ସାତୋଟି ୟୁନିଅନ୍ AIBEA, AIBOC, NCBE, AIBOA, BEFI, INBOC ଏବଂ INBEF ସାମିଲ ଅଛନ୍ତି । ଏହି ସମସ୍ତେ ପବ୍ଲିକ୍ ସେକ୍ଟର, ପ୍ରାଇଭେଟ୍, ବିଦେଶୀ, ଆଞ୍ଚଳିକ ଗ୍ରାମୀଣ  ଏବଂ କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକର କର୍ମଚାରୀମାନଙ୍କ ପ୍ରତିନିଧିତ୍ୱ କରନ୍ତି ।

ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ଚାରୋଟି ମୁଖ୍ୟ ଦାବି ଉଠାଇଛନ୍ତି:

୧. ୫ ଦିନିଆ ବ୍ୟାଙ୍କିଙ୍ଗ୍ ସପ୍ତାହ ଲାଗୁ କରିବା

୨. ସରକାରଙ୍କ ପରଫୋର୍ମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍ ସ୍କିମକୁ ପ୍ରତ୍ୟାହାର କରିବା

୩. ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରି ଇନସେଣ୍ଟିଭ୍ ସ୍କିମ୍‌ରେ ପରିବର୍ତ୍ତନ ଆଣିବା

୪. ବାକି ରହିଯାଇଥିବା ଅନ୍ୟାନ୍ୟ ଦାବିଗୁଡ଼ିକର ସମାଧାନ କରିବା

 

୫ ଦିନିଆ ବ୍ୟାଙ୍କିଙ୍ଗ୍ ସପ୍ତାହର ଦାବି ଅନେକ ବର୍ଷ ହେବ ବିଚାରଧୀନ ହୋଇ ପଡ଼ିଛି । ୟୁନିଅନଗୁଡ଼ିକ ଅନୁଯାୟୀ, ବ୍ୟାଙ୍କଗୁଡ଼ିକ ୨୦୧୫ ମସିହାରେ ୫ ଦିନିଆ କାର୍ଯ୍ୟ ସପ୍ତାହ ଦିଗରେ ଆଗେଇବା ପାଇଁ ସହମତ ହୋଇଥିଲେ । ସେହି ସମୟରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ଛୁଟି ଘୋଷଣା କରାଯାଇଥିଲା । ଏହି ପ୍ରସଙ୍ଗକୁ ୨୦୨୦ ମସିହାରେ ପୁନଃ ବିଚାର କରାଯାଇଥିଲା ଏବଂ ପରେ ୨୦୨୪ ମାର୍ଚ୍ଚ ୮ ରେ ସ୍ୱାକ୍ଷାର ହୋଇଥିଲା । ଏହି ବ୍ୟବସ୍ଥା ଅନୁଯାୟୀ, ବ୍ୟାଙ୍କ କର୍ମଚାରୀମାନେ ସମସ୍ତ ଶନିବାରକୁ ଛୁଟି ଘୋଷଣା କରିବା ବଦଳରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତିଦିନ ଅତିରିକ୍ତ ୪୦ ମିନିଟ୍ କାମ କରିବାକୁ ରାଜି ହୋଇଥିଲେ । ସଂଘଗୁଡ଼ିକ କହିଛନ୍ତି ଯେ ଏହି ଚୁକ୍ତିନାମା ଦୁଇ ବର୍ଷରୁ ଅଧିକ ସମୟ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟକୁ ସୁପାରିଶ କରାଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ଅନୁମୋଦନ ପାଇଁ ଅପେକ୍ଷା କରାଯାଇଛି । ସେମାନେ ଏହା ମଧ୍ୟ କହିଛନ୍ତି ଯେ RBI, LIC, GIC, ଏବଂ NABARD ପରି ପ୍ରତିଷ୍ଠାନଗୁଡ଼ିକ ସହିତ ଅନ୍ୟାନ୍ୟ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନଗୁଡ଼ିକ ପୂର୍ବରୁ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ପାଳନ କରନ୍ତି ।