ସୂର୍ଯ୍ୟଙ୍କ ବିସ୍ଫୋରକ ଶତକରେ ଧରାଶାୟୀ ହାଇଦ୍ରାବାଦ, ୭ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ

Published By : Prameya-News7 Bureau | May 06, 2024 IST

ମୁମ୍ବାଇ: ଓ୍ଵାଙ୍ଖେଡ଼େରେ ସୂର୍ଯ୍ୟ ଚମକ। ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଅପରାଜିତ ଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ମାଟିରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। କ୍ରମାଗତ ୪ଟି ମ୍ୟାଚ୍ ହାରିବା ପରେ ବିଜୟର ସ୍ଵାଦ ଚାଖିଛି ମୁମ୍ବାଇ। ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୧୭୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ୧୭.୨ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ସୂର୍ଯ୍ୟକୁମାର ଯାଦବ ୫୧ ବଲ୍‌ରୁ ୧୦୨ ରନର ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିବା ବେଳେ ତିଳକ ବର୍ମା ୩୭ ରନ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା କରି ହାଇଦ୍ରାବାଦ ୮ ଓ୍ଵିକେଟ୍ ହରାଇ ୧୭୩ ରନ କରିଥିଲା। ଦଳ ପକ୍ଷରୁ ଟ୍ରେଭିସ୍ ହେଡ୍ ସର୍ବାଧିକ ୪୮ ରନ କରିଥିବା ବେଳେ ପାଟ୍ କମିନ୍ସ ୧୭ ବଲରୁ ୩୫ ରନ କରିବାରୁ ହାଇଦ୍ରାବାଦ ଏହି ସ୍କୋରରେ ପହଞ୍ଚି ପାରିଥିଲା। ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ପୀୟୂଷ ଚାଓ୍ଵଲା ଶାଣିତ ବୋଲିଂ କରି ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ମୁମ୍ବାଇ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍ ପଡ଼ିଥିଲେ ହେଁ ଏହି ବିଜୟ ହାଇଦ୍ରାବାଦର ମୁସ୍କିଲକୁ ବଢାଇ ଦେଇଛି। ହାଇଦ୍ରାବାଦ ୧୧ମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ଭୋଗି ଚତୁର୍ଥ ସ୍ଥାନକୁ ଖସି ଆସିଛି।

Also read: ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳର ଜର୍ସି ଲଞ୍ଚ୍, ଦେଖନ୍ତୁ Video

୧୭୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ୩୧ ରନରେ ୩ ଓ୍ଵିକେଟ୍   ହରାଇ ସଙ୍କଟରେ ପଡ଼ିଥିଲା। ଇଶାନ କିଶନ(୯), ରୋହିତ ଶର୍ମା(୪) ଓ ନମନ ଧୀର(୦) ନିରାଶ କରିଥିଲେ। ତେବେ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା କ୍ରିଜରେ ଜମି ରହି ଇନିଂସକୁ ଆଗକୁ ବଢାଇଥିଲେ। କ୍ରିଜରେ ଜମିବା ପରେ ସୂର୍ଯ୍ୟକୁମାର ଯାଦବ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ଅନାୟସରେ ପ୍ରହାର କରି ହାଇଦ୍ରାବାଦ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ତିଳକ ବର୍ମା ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ। ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ଅବିଭାଜିତ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୪୩ ରନ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ଯାଦବ ଛକା ମାରି ନିଜର ଶତକ ପୂରଣ କରିବା ସହ ମୁମ୍ବାଇକୁ ୭ ଓ୍ଵିକେଟ୍‌ରେ ଜିତାଇଛନ୍ତି। ସେ ୫୧ ବଲ୍‌ରୁ ୧୨ ଚୌକା ଓ ୬ ଛକା ସହ ୧୦୨ ରନରେ ଅପରାଜିତ ଥିଲେ। ତିଳକ ବର୍ମା ୩୭ ରନ କରି କ୍ରିଜରେ ଥିଲେ। 

 

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.