ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୪ର ଲିଗ୍ ପର୍ଯ୍ୟାୟର ନିର୍ଣ୍ଣାୟକ ମୁକାବିଲାରେ ଚମକିଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ୟାଟର। ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୫ ଓ୍ଵିକେଟ୍ ହରାଇ ୨୧୮ ରନ କରିଛି। ମ୍ୟାଚ୍ ଜିତି ପ୍ଲେ ଅଫ୍ରେ ପ୍ରବେଶ ପାଇଁ ଚେନ୍ନାଇ ସାମ୍ନାରେ ୨୧୯ ରନର ବିଜୟ ଲକ୍ଷ୍ୟ ରହିଛି। ଯଦିଓ ଚେନ୍ନାଇ ମ୍ୟାଚ୍ ହାରେ ତେବେ ଦଳ ଯଦି ୨୦୧ ରନ କରି ଦିଏ ତେବେ ମଧ୍ୟ ଟପ୍-୪ରେ ପହଞ୍ଚିବ। ଅନ୍ୟପଟେ ବେଙ୍ଗାଲୁରୁକୁ ପ୍ଲେ ଅଫ୍କୁ ଯିବାକୁ ହେଲେ ମ୍ୟାଚ୍କୁ ୧୮ ରନରେ ଜିତିବାକୁ ପଡ଼ିବ। ବ୍ୟାଟିଂରେ ବେଙ୍ଗାଲୁରୁ ପକ୍ଷରୁ ଫାଫ ଡୁପ୍ଲେସିସ୍ ୫୪ ରନ କରିଥିବା ବେଳେ ବିରାଟ କୋହଲି ୪୭ ରନ ଓ କ୍ୟାମେରୁନ ଗ୍ରୀନ ୩୮ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି।
Also read: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶକ୍ତ ଝଟ୍କା: ୩୦ ଲକ୍ଷ ଫାଇନ୍ ସହ ଲାଗିଲା ବ୍ୟାନ୍
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁର ଦୁଇ ଓପନର ବିରାଟ କୋହଲି ଓ ଡୁ ପ୍ଲେସିସ୍ ଦମଦାର ବ୍ୟାଟିଂ କରିଥିଲେ। ତେବେ ଚେନ୍ନାଇ ବୋଲରଙ୍କ ମାଚପୁପ ବୋଲିଂ ଯୋଗୁଁ ଉଭୟ ୯.୪ ଓଭରରେ ୭୮ ରନ ଯୋଡ଼ିଥିଲେ। ଏହା ପରେ ଦୁଇ ବ୍ୟାଟର ଅଳ୍ପ ରନ ବ୍ୟବଧାନରେ ଆଉଟ୍ ହୋଇଥିଲେ। କୋହଲି ୨୯ ବଲ୍ରୁ ୩ ଚୌକା ଓ ୪ ଛକା ସହ ୪୭ ରନ କରିଥିଲେ। ପୁଣି ଡୁପ୍ଲେସିସ୍ ୩୯ ବଲ୍ରୁ ୩ ଚୌକା ଓ ୩ ଛକା ସହ ୫୪ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ।
ଏହାପରେ ରଜତ ପାଟିଦାର ଓ କ୍ୟାମେରୁନ ଗ୍ରୀନ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ ପାଇଁ ୭୧ ରନ ଯୋଡ଼ିଥିଲେ। ରଜତ ପାଟିଦାର ୨୩ ବଲ୍ରୁ ୪୧ ରନ କରି ପାଭିଲିୟନ ଫେରିଥିଲେ। ଦିନେଶ କାର୍ତ୍ତିକ(୧୪) ଓ ମ୍ୟାକ୍ସଓ୍ଵେଲ(୧୬) କରିଥିଲେ। ତେବେ ଗ୍ରୀନ ମାତ୍ର ୧୭ ବଲ୍ରୁ ୩୮ ରନର ଧୂଆଁଧାର ଅପରାଜିତ ବ୍ୟାଟିଂ କରିବାରୁ ଆରସିବି ୫ ଓ୍ଵିକେଟ୍ ହରାଇ ୨୧୮ ରନର ବିଶାଳ ସ୍କୋର କରି ପାରିଛି।