ନିର୍ଣ୍ଣାୟକ ମୁକାବିଲା ଜିତି ପ୍ଲେ ଅଫ୍‌ରେ ବେଙ୍ଗାଲୁରୁ, ପରାଜୟ ସହ IPL 2024ରୁ ଚେନ୍ନାଇର ବିଦାୟ

Published By : Prameya-News7 Bureau | May 19, 2024 IST

espncricinfo

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ରେ  ସବୁଠୁ ବଡ଼ ରୋମାଞ୍ଚକର ଓ ନିର୍ଣ୍ଣାୟକ ମୁକାବିଲାରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। କର ବା ମର ମୁକାବିଲାରେ ଚେନ୍ନାଇକୁ ୨୭ ରନରେ ରନରେ ହରାଇ ଚଳିତ ଆଇପିଏଲ୍‌ରେ ଚତୁର୍ଥ ଦଳ ଭାବେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ଅନ୍ୟପଟେ ପରାଜୟ ସହ ଆଇପିଏଲ୍‌ ୨୦୨୪ରୁ ବିଦାୟ ନେଇଛି ୫ ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ। ଲଗାତାର ୬ଟି ମ୍ୟାଚ୍ ଜିତି ଚଳିତ ଆଇପିଏଲରେ ଅବିଶ୍ଵସନୀୟ ଭାବେ ଦମଦାର ପ୍ରତ୍ୟାବର୍ତ୍ତନ କରିଛି ବେଙ୍ଗାଲୁରୁ। ବେଙ୍ଗାଲୁରୁ ଦ୍ଵାରା ଧାର୍ଯ୍ୟ ୨୧୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୭ ଓ୍ଵିକେଟ୍ ହରାଇ ୧୯୧ ରନରେ ଅଟକି ଯାଇଛି। ଏପରିକି ଯୋଗ୍ୟତା ହାସଲ ପାଇଁ ଦରକାର ୨୦୧ ରନ କରିବାରେ ବିଫଳ ହୋଇଛି ଚେନ୍ନାଇ। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଫାଫ ଡୁପ୍ଲେସିସ୍‌ଙ୍କ ୫୪ ରନ ସହ ବିରାଟ କୋହଲି ୪୭ ରନ ଓ  କ୍ୟାମେରୁନ ଗ୍ରୀନ ୩୮ ରନର ବିସ୍ଫୋରକ ଇନିଂସ ବଳରେ ୫ ଓ୍ଵିକେଟ୍ ୨୧୮ ରନ କରିଥିଲା। ଜବାବରେ ଚେନ୍ନାଇ ରଚିନଙ୍କ ୬୧ ରନ ଓ ଜାଡେଜାଙ୍କ ୪୨ ରନ ବଳରେ ୧୯୧ ରନ କରି ପାରିଛି। ଧୋନୀ ୨୫ ରନ କରିଥିଲେ ହେଁ ଦଳ ପାଇଁ ଯଥେଷ୍ଟ ନ ଥିଲା। ଆରସିବି ପୂର୍ବରୁ କୋଲକାତା, ରାଜସ୍ଥାନ, ହାଇଦ୍ରାବାଦ ପ୍ଲେ ଅଫ୍‌କୁ ଉନ୍ନୀତ ହୋଇ ସାରିଛନ୍ତି।

Also read; ମୁମ୍ୱାଇ ଛାଡି କୁ୍ଆଡେ ଯିବେନି ରୋହିତ, ଭାଇରାଲ ହେଲା ନୀତା ଅମ୍ବାନୀଙ୍କ ସହ କଥାବାର୍ତ୍ତା ଭିଡିଓ..

ବେଙ୍ଗାଲୁରୁ ୭ ବିଜୟ ଏବଂ ୭ ପରାଜୟ ସହ ୧୪ ପଏଣ୍ଟ ହାସଲ କରିଛି। ଚେନ୍ନାଇ ମଧ୍ୟ ସମାନ ୧୪ ପଏଣ୍ଟ ପାଇଥିଲେ ହେଁ ଉନ୍ନତ ରନ ରେଟ୍ ଆଧାରରେ ବେଙ୍ଗାଲୁରୁକୁ ପ୍ଲେ ଅଫ୍ ଟିକେଟ୍ ମିଳିଛି। ୨୧୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଚେନ୍ନାଇର ଆରମ୍ଭ ଦୟନୀୟ ଥିଲା। ବିନା ସ୍କୋରରେ ଆଉଟ୍  ହୋଇଥିଲେ ଋତୁରାଜ ଗାଏକ୍ଵାଡ଼। ପୁଣି ଡାରିଲ ମିଚେଲ(୪) ନିରାଶ କରିଥିଲେ। ଏହା ପରେ ରଚିନ ରବୀନ୍ଦ୍ର ଓ ଆଜିଙ୍କ୍ୟ ରାହାଣେ ଧୈର୍ଯ୍ୟର ସହ ବ୍ୟାଟିଂ କରି ଇନିଂସକୁ ଆଗକୁ ବଢାଇଥିଲେ। ସେଟ୍ ହେବା ପରେ ଦ୍ରୁତ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୬୬ ରନ ଯୋଡ଼ିଥିଲେ। ରାହାଣେ ୩୩ ରନ କରି ପାଭିଲିୟନ ଫେରିଥିଲେ। 

ଅନ୍ୟପଟେ ଅର୍ଦ୍ଧଶତକ ହାସଲ କରି ବିଜୟ ଆଶା ଉଜ୍ଜିବୀତ ରଖିଥିବା ରଚିନ ୩୭ ବଲ୍‌ରୁ ୫ ଚୌକା ଓ ୩ ଛକା ସହ ୬୧ ରନ କରି ପାଭିଲିୟନ ଫେରିଥିଲେ। ଶିବମ ଦୁବେ(୭) ବିଫଳ ହୋଇଥିଲେ। ଏହା ପରେ ଚେନ୍ନାଇର ବିଜୟ ଆଶା ମଉଳିଥିଲେ ହେଁ ୨୦୧ ଲକ୍ଷ୍ୟରେ ପହଞ୍ଚି ପ୍ଲେ ଅଫ୍ ଆଶା ଉଜ୍ଜିବୀତ ରହିଥିଲା। ରବୀନ୍ଦ୍ର ଜାଡ଼େଜା ଓ ଧୋନୀ ଶେଷ ଆଡ଼କୁ ଦ୍ରୁତ ବ୍ୟାଟିଂ କରିଥିଲେ ହେଁ ଦଳ ଲକ୍ଷ୍ୟଠୁ ବହୁତ ପଛରେ ରହି ଯାଇଥିଲା। ଧୋନୀ ୧୩ ବଲରୁ ୨୫ ରନ କରି ଆଉଟ୍ ହୋଇଥିଲେ। ଜାଡ଼େଜା ୨୨ ବଲ୍‌ରୁ ୪୧ ରନର ଧୂଆଁଧାର ବ୍ୟାଟିଂ କରିଥିଲେ ହେଁ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା। ଶେଷରେ ଦଳ ୭ ଓ୍ଵିକେଟ୍ ହରାଇ ୧୯୧ ରନରେ ପହଞ୍ଚିଥିଲା। ବୋଲିଂରେ ୟଶ ଦୟାଲ ୪୨ ରନ ଦେଇଥିଲେ ହେଁ ୨ ଓ୍ଵିକେଟ୍ ନେଇ ବିଜୟରେ ବଡ଼ ଭୂମିକା ନିଭାଇଛନ୍ତି। ଗ୍ଲେନ ମ୍ୟାକ୍ସଓ୍ଵେଲ, ମହମ୍ମଦ ସିରାଜ ଓ କ୍ୟାମେରୁନ ଗ୍ରୀନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। 

RCB ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁର ଦୁଇ ଓପନର ବିରାଟ କୋହଲି ଓ ଡୁ ପ୍ଲେସିସ୍ ଦମଦାର ବ୍ୟାଟିଂ କରିଥିଲେ। ତେବେ ଚେନ୍ନାଇ ବୋଲରଙ୍କ ମାଚପୁପ ବୋଲିଂ ଯୋଗୁଁ ଉଭୟ   ୯.୪ ଓଭରରେ ୭୮ ରନ ଯୋଡ଼ିଥିଲେ। ଏହା ପରେ ଦୁଇ ବ୍ୟାଟର ଅଳ୍ପ ରନ ବ୍ୟବଧାନରେ ଆଉଟ୍ ହୋଇଥିଲେ। କୋହଲି ୨୯ ବଲ୍‌ରୁ ୩ ଚୌକା ଓ ୪ ଛକା ସହ ୪୭ ରନ କରିଥିଲେ। ପୁଣି ଡୁପ୍ଲେସିସ୍ ୩୯ ବଲ୍‌ରୁ ୩ ଚୌକା ଓ ୩ ଛକା ସହ ୫୪ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ। 

ଏହାପରେ ରଜତ ପାଟିଦାର ଓ କ୍ୟାମେରୁନ ଗ୍ରୀନ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ ପାଇଁ ୭୧ ରନ ଯୋଡ଼ିଥିଲେ। ରଜତ ପାଟିଦାର ୨୩ ବଲ୍‌ରୁ ୪୧ ରନ କରି ପାଭିଲିୟନ ଫେରିଥିଲେ। ଦିନେଶ କାର୍ତ୍ତିକ(୧୪) ଓ ମ୍ୟାକ୍ସଓ୍ଵେଲ(୧୬) କରିଥିଲେ। ତେବେ  ଗ୍ରୀନ ମାତ୍ର ୧୭ ବଲ୍‌ରୁ ୩୮ ରନର ଧୂଆଁଧାର ଅପରାଜିତ ବ୍ୟାଟିଂ କରିବାରୁ ଆରସିବି ୫ ଓ୍ଵିକେଟ୍ ହରାଇ ୨୧୮ ରନର ବିଶାଳ ସ୍କୋର କରି ପାରିଥିଲା।

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.