ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶକ୍ତ ଝଟ୍‌କା: ୩୦ ଲକ୍ଷ ଫାଇନ୍ ସହ ଲାଗିଲା ବ୍ୟାନ୍

Published By : Prameya-News7 Bureau | May 18, 2024 IST

internet

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶକ୍ତ ଝଟକା ଲାଗିଛି। ତାଙ୍କ ଉପରେ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ ଲଗାଯାଇଛି। ତେଣୁ ସେ ଆଗାମୀ ସିଜନର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ। ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ହେଲେ ମୁମ୍ବାଇର ବୋଲରମାନେ ନିର୍ଦ୍ଧାରିତ ସମୟ ଅନୁସାରେ ବୋଲିଂ ସାରି ନପାରିବାରୁ ସ୍ଲୋ ଓଭର ରେଟିଂ ପାଇଁ ହାର୍ଦ୍ଦିକଙ୍କୁ ବ୍ୟାନ୍ କରାଯିବା ସହ ୩୦ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଥିଲା। 

ଶୁକ୍ରବାର ମ୍ୟାଚ୍‌ରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୧୪ ରନ୍ ସଂଗ୍ରହ କରି ୬ ୱିକେଟ୍ ହରାଇଥିଲା। ଦଳ ପକ୍ଷରୁ ନିକୋଲାସ ପୁରନ ସର୍ବାଧିକ ୭୫ ରନ୍‌ ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ସେ ୨୯ ବଲରେ ୮ ଟି ଛକା ଓ ୫ ଚୌକା ମାରିଥିଲେ। ସେହିପରି କ୍ୟାପ୍ଟେନ୍ କେଏଲ ରାହୁଲ ୫୫ ରନର ଇନିଂସ ଖେଳିଥିଲେ। ଏହି ମ୍ୟାଚରେ ସ୍ଲୋ ଓଭର ରେଟିଂ ଯୋଗୁ ପାଣ୍ଡ୍ୟାଙ୍କୁ ଫାଇନ୍ କରାଯାଇଥିଲା। ତେବେ ସବୁଠାରୁ ରୋଚକ କଥା ହେଲା ଗତକାଲିର ମ୍ୟାଚ୍‌ ମୁମ୍ବାଇ ପାଇଁ ଚଳିତ ସିଜନର ଶେଷ ମ୍ୟାଚ୍ ଥିଲା। ହେଲେ ଯେହେତୁ ପାଣ୍ଡ୍ୟାଙ୍କ ଉପରେ ଗୋଟିଏ ମ୍ୟାଚ୍‌ ପାଇଁ ବ୍ୟାନ ଲଗାଯାଇଛି ତେଣୁ ସେ ଆଗାମୀ ସଜିନ ମାନେ ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ।

ଗତକାଲିର ମ୍ୟାଚ୍‌ରେ ଲକ୍ଷ୍ନୌ ଦେଇଥିବା ଟାର୍ଗେଟକୁ ପିଛା କରି ମୁମ୍ବାଇ ଦଳ ୨୦ ଓଭରରେ ମାତ୍ର ୧୯୬ ରନ୍ କରିପାରିଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ୩୮ ବଲରେ ୬୮ ରନ୍ କରିଥିଲେ। ସେହିପରି ନମନ ଧୀର ୬୨ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ୨୮ ବଲରେ ୪ ଟି ଚୌକା ଓ ୫ଟି ଛକା ମାରିଥିଲେ। ଡିୱାଲ୍ଡ ବ୍ରେଭିସ୍ ମଧ୍ୟ ଦଳ ପାଇଁ  ୨୩ ରନର ଯୋଗଦାନ ଦେଇଥିଲେ। ଫଳରେ ମୁମ୍ବାଇକୁ ୧୮ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

ଚଳିତ ସିଜନରେ ମୁମ୍ବାଇର ପ୍ରଦର୍ଶନ ଖୁବ୍ ନୈରାଶ୍ୟଜନକ ଥିଲା। ଦଳ ପଏଣ୍ଟ ଟେବୁଲରେ ସବୁଠାରୁ ତଳେ ରହିଥିଲା। ଆଇପିଏଲ୍ ୨୦୨୪ର ମୁମ୍ବାଇ ଇଣ୍ଡିଆନ୍ସ ୧୪ ଟି ମ୍ୟାଚ୍ ଖେଳି ମାତ୍ର ୪ ଟି ମ୍ୟାଚ୍ ଜିତି ଥିବା ବେଳେ ୧୦ ଟି ରେ ପରାଜୟ ହୋଇଥିଲା। ବହୁ ଆଡ଼ମ୍ବରରେ ଲଘୁ କ୍ରିୟା ଭଳି ମୁମ୍ବାଇର ପରିସ୍ଥିତି ହୋଇଛି। ଆଇପିଏଲ୍ ୨୦୨୪ ପାଇଁ ଦଳରେ ଅନେକ ପରିବର୍ତ୍ତନ କରାଯାଇଥିଲା। ରୋହିତ ଶର୍ମାଙ୍କୁ କ୍ୟାପ୍ଟେନ୍‌ ଦାୟିତ୍ୱରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ୍ କରାଯାଇଥିଲା। ଯାହାକୁ ନେଇ ଉଭୟ ପାଣ୍ଡ୍ୟା ଓ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜକୁ ଫ୍ୟାନ୍‌ ସମାଲୋଚନା ମଧ୍ୟ କରିଥିଲେ। ହେଲେ ଏସବୁ ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ଏଥର କିଛି ଲାଭ ମିଳିପାରି ନାହିଁ। 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.