ନୂଆଦିଲ୍ଲୀ: ଲେ-ଓଭର ସମୟରେ ଏୟାର ଇଣ୍ଡିଆର ଜଣେ ବରିଷ୍ଠ ପାଇଲଟଙ୍କ ମୃତ୍ୟୁ ହୋଇଛି । ନୂଆଦିଲ୍ଲୀର ଏକ ହୋଟେଲରେ ଥିବା ସମୟରେ ସେ ଅଚେତ ହୋଇପଡ଼ିଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମୁମ୍ବାଇର ଏହି ପାଇଲଟ୍‌ ଦିଲ୍ଲୀ-ସିଓଲ୍ (Seoul) ବିମାନ ଉଡ଼ାଣ କରିବାର କିଛି ଘଣ୍ଟା ପୂର୍ବରୁ ଏହି ଦୁଃଖଦ ଘଟଣା ଘଟିଛି।

ଦିଲ୍ଲୀର ବସନ୍ତ କୁଞ୍ଜସ୍ଥିତ ଏକ ହୋଟେଲରେ ରହୁଥିବା ସମୟରେ ପାଇଲଟଙ୍କ ଭାଇ ତାଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହୋଇ ହୋଟେଲ ମ୍ୟାନେଜରଙ୍କୁ ଜଣାଇଥିଲେ। କୋଠରୀ ଭିତରୁ ବନ୍ଦ ଥିବାରୁ ହୋଟେଲ କର୍ତ୍ତୃପକ୍ଷ ମାଷ୍ଟର କି’ ବ୍ୟବହାର କରି କବାଟ ଖୋଲିବା ପରେ ପାଇଲଟ୍‌ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରାଥମିକ ତଥ୍ୟ ଅନୁଯାୟୀ, ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତଦେହର ବ୍ୟବଚ୍ଛେଦ ସଫଦରଜଙ୍ଗ ହସ୍ପିଟାଲରେ କରାଯାଇଛି ଏବଂ ପୋଷ୍ଟମୋର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ।
ସେ ଦୀର୍ଘ ଦିନ ଧରି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ସହ ଜଡ଼ିତ ଥିଲେ ଏବଂ ନିକଟରେଏୟାର ଇଣ୍ଡିଆକୁ ବଦଳି ହୋଇ ବୋଇଂ ୭୮୭ (Boeing 787) ବିମାନ ଉଡ଼ାଇବା ପାଇଁ ତାଲିମ ନେଉଥିଲେ।

ଦିଲ୍ଲୀରୁ ସିଓଲ୍ ଅଭିମୁଖେ ବିମାନ ଉଡ଼ାଣ କରିବା ତାଙ୍କର ଏୟାର ଇଣ୍ଡିଆରେ ଦ୍ୱିତୀୟ ଫ୍ଲାଇଟ୍ ଥିଲା। ଏୟାର ଇଣ୍ଡିଆ ନିଜର ଜଣେ ଦକ୍ଷ ପାଇଲଟଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛି । କମ୍ପାନୀ କହିଛି ଯେ, ଶୋକସନ୍ତପ୍ତ ପରିବାର ସହ ସେମାନେ ନିରନ୍ତର ସମ୍ପର୍କରେ ଅଛନ୍ତି ଏବଂ ଏହି କଠିନ ସମୟରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି।