ନୂଆଦିଲ୍ଲୀ: ଲୋହିତ ସାଗରରେ ଅପ୍ଟିକ୍ ଫାଇବର କେବୁଲ କାଟିବା ଯୋଗୁ ବିଶ୍ୱର ୧୭% ଇଣ୍ଟରନେଟ୍ ଟ୍ରାଫିକ୍ ପ୍ରଭାବିତ ହୋଇଛି। ଏହି ଅପ୍ଟିକ୍ ଫାଇବର କେବୁଲଗୁଡ଼ିକ ମାଇକ୍ରୋସଫ୍ଟର କ୍ଲାଉଡ୍ ପ୍ଲାଟଫର୍ମ Azure ର ଥିଲା, ଯାହା ୟୁରୋପ ଏବଂ ଏସିଆକୁ ଇଣ୍ଟରନେଟ୍ ଯୋଗାଏ। ସେପ୍ଟେମ୍ବର ୬ ତାରିଖରେ ଏହି ଘଟଣା ଘଟିଛି। ଏଥିରେ SEACOM/TGN-EA, AAE-1 ଏବଂ EIG ଭଳି ଅନେକ ପ୍ରମୁଖ କେବୁଲ କାଟି ଦିଆଯାଇଥିଲା। ଏନେଇ ମାଇକ୍ରୋସଫ୍ଟ କମ୍ପାନୀ କହିଛି ଯେ କେବୁଲଗୁଡ଼ିକୁ ମରାମତି କରିବାକୁ ସମୟ ଲାଗିବ। ଏହି ସମୟରେ, ଉପଭୋକ୍ତାମାନେ ସ୍ଲୋ ଇଣ୍ଟରନେଟ୍‌ର ସମ୍ମୁଖୀନ ହେବେ।

ମାଇକ୍ରୋସଫ୍ଟ ଏହାର ଅଜୁର ଏହାର ସର୍ଭିସ ଅପଡେଟରେ କହିଛି ଯେ ମଧ୍ୟପ୍ରାଚ୍ୟ ଦେଇ ଯାଇଥିବା ଟ୍ରାଫିକ୍ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଯାହା ଯୋଗୁ ୟୁଜରମାନେ ଲେଟେନ୍ସି (ବିଳମ୍ବତା) ସମ୍ମୁଖୀନ ହେଉଛନ୍ତି। କମ୍ପାନୀ କହିଛି ଯେ ଏହା ରାଉଟିଂକୁ ଅପ୍ଟିମାଇଜ୍ କରୁଛି। ବିଶ୍ୱ ଇଣ୍ଟରନେଟ୍ ଟ୍ରାଫିକର ୧୭% ଲୋହିତ ସାଗର ଦେଇ ଗତି କରେ, ଯାହା ୟୁରୋପ ଏବଂ ଏସିଆକୁ ସଂଯୋଗ କରେ। ତେବେ ଏହି ବ୍ୟାଘାତ ଯୋଗୁ ବ୍ୟବସାୟ, ଅନଲାଇନ୍ କ୍ଲାସ ଏବଂ ଷ୍ଟ୍ରିମିଂ ଭଳି କାର୍ଯ୍ୟକଳାପକୁ ବାଧା ଦେଇଛି।

କେବୁଲ କଟିବା ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ଏହା ପୂର୍ବରୁ ଏଭଳି ଘଟଣା ଘଟିଛି। ହେଲେ ଏଥିରେ ଜାହାଜର ଲଙ୍ଗର ବାଜିବା ଦ୍ୱାରା କିମ୍ବା ଜାଣିଶୁଣି କାଟାଯାଇଥିବା ସନ୍ଦେହ କରାଯାଇଛି। ହେଲେ କାରଣ ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ ଲୋହିତ ସାଗରରେ ସଂଘର୍ଷ ଜାରି ରହିଥିବା ବେଳେ ଏଥିରେ ୟେମେନର ହୁତି ବିଦ୍ରୋହୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ହେଲେ ହୁତି ଗୋଷ୍ଠୀ କିନ୍ତୁ ଏହାକୁ ଅସ୍ୱୀକାର କରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଏହା ଏକ ଷଡ଼ଯନ୍ତ୍ର ଥିଲା, ତେବେ ଭବିଷ୍ୟତରେ ଡିଜିଟାଲ୍ ଭିତ୍ତିଭୂମିକୁ ଟାର୍ଗେଟ କରିବା ଏକ ବଡ଼ ବିପଦ ହୋଇପାରେ। ସରକାର ଏବଂ ଟେଲିକମ୍ କମ୍ପାନୀଗୁଡ଼ିକ ତଦନ୍ତ କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳିନାହିଁ।

ଘଟଣାକୁ ନେଇ ମାଇକ୍ରୋସଫ୍ଟ କହିଛି ଯେ ଏହା ନିରନ୍ତର ଭାବରେ ଟ୍ରାଫିକ୍ ଉପରେ ନଜର ରଖିଛି ଏବଂ ବିକଳ୍ପ ରାସ୍ତା ଦେଇ ଟ୍ରାଫିକ ଡାଇଭର୍ଟ କରୁଛି। କିନ୍ତୁ ବ୍ୟବହାରକାରୀମାନେ ଏବେ ବି  ସ୍ଲୋ ଇଣ୍ଟରନେଟ୍‌ ଏବଂ ଲେଟେନ୍ସିର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ୟୁରୋପ-ଏସିଆ ଟ୍ରାଫିକ୍ ପ୍ରଭାବିତ ହୋଇଛି। ତେବେ ଅନ୍ୟ ରୁଟ୍ ପ୍ରଭାବିତ ହୋଇନାହିଁ। ଏନେଇ କମ୍ପାନୀ ପ୍ରତିଦିନ ଅପଡେଟ୍ ପ୍ରଦାନ କରିବ, କିନ୍ତୁ ମରାମତି ପାଇଁ ସପ୍ତାହେ ଲାଗିପାରେ। ଏହା ଦ୍ୱାରା ବ୍ୟବସାୟିକ ବ୍ୟବହାରକାରୀ ଏବଂ ଅନଲାଇନ୍ ସେବା ପ୍ରଭାବିତ ହେଉଛି, ଯାହା ଅନେକ କମ୍ପାନୀକୁ କ୍ଷତି ପହଞ୍ଚାଇପାରେ।