ଭୁବନେଶ୍ୱର: ସନାତନ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ପଞ୍ଚକ ସମୟକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ସମୟରେ କିଛି କାର୍ଯ୍ୟକୁ ଅଶୁଭ ବୋଲି ବିବେଚନା କରାଯାଏ। ପଞ୍ଚକ ସେତେବେଳେ ହୁଏ ଯେତେବେଳେ ଚନ୍ଦ୍ର କୁମ୍ଭ ଏବଂ ମୀନ ରାଶିରେ ଭ୍ରମଣ କରି ଧନିଷ୍ଠା, ଶତଭିଷା, ପୂର୍ବଭାଦ୍ରପଦ, ଉତ୍ତରଭାଦ୍ରପଦ ଏବଂ ରେବତୀ ନକ୍ଷତ୍ର ଦେଇ ଗତି କରେ। ୨୦୨୬ରେ ପଞ୍ଚକ ଜୁଲାଇ ୪ ତାରିଖ ରାତିରୁ ଆରମ୍ଭ ହେବାକୁ ଯାଉଛି। ଏହାକୁ ବିଶେଷ ଭାବରେ ମୃତ୍ୟୁ ପଞ୍ଚକ ବୋଲି କୁହାଯିବ। ଏହା ପଞ୍ଚକମାନଙ୍କ ମଧ୍ୟରେ ସବୁଠାରୁ ସମ୍ବେଦନଶୀଳ ଏବଂ ଅଶୁଭ ବୋଲି ବିବେଚନା କରାଯାଏ।

ବୈଦିକ ପଞ୍ଜିକା ଅନୁସାରେ, ଜୁଲାଇ ମାସର ପଞ୍ଚକ ୪ ଜୁଲାଇ ୨୦୨୬ ରାତି ୧୨ଟା ୪୮ ମିନିଟରୁ ଆରମ୍ଭ ହେବ। ଏହା ୮ ଜୁଲାଇ ୨୦୨୬ ସନ୍ଧ୍ୟା ୪ଟାରେ ଶେଷ ହେବ। ପଞ୍ଚକର ଆରମ୍ଭ ଶନିବାର ଦିନ ହେଉଥିବାରୁ ଏହାକୁ 'ମୃତ୍ୟୁ ପଞ୍ଚକ' ବୋଲି କୁହାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ସମୟରେ କେତେକ ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ ଏବଂ ସେଗୁଡ଼ିକୁ ସ୍ଥଗିତ ରଖିବା ଶୁଭ ବୋଲି ବିଶ୍ୱାସ କରାଯାଏ।

ମୃତ୍ୟୁ ପଞ୍ଚକରେ କେଉଁ କାମ କରିବେ ନାହିଁ ?

୧. ଜ୍ୟୋତିଷ ଶାସ୍ତ୍ରରେ ମୃତ୍ୟୁ ପଞ୍ଚକ ସମୟରେ କାଠ ସମ୍ବନ୍ଧୀୟ ଯେ କୌଣସି କାର୍ଯ୍ୟରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ, ଘରର ଛାତ ନିର୍ମାଣ କରିବା କିମ୍ବା ଏହାର ଢଳେଇ କରିବା ମଧ୍ୟ ଅଶୁଭ ବୋଲି ବିଶ୍ୱାସ କରାଯାଏ। ମୃତ୍ୟୁ ପଞ୍ଚକ ସମୟରେ ଏହିସବୁ କାମ କରିବା ଆର୍ଥିକ କ୍ଷତି ପହଞ୍ଚାଇଥାଏ ଓ ପାରିବାରିକ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ବିଶ୍ୱାସ ରହିଛି। କେବଳ ସେତିକି ନୁହେଁ ନୂଆ ପଲଙ୍କ କିମ୍ବା ଖଟ କିଣିବା ବା ଏସବୁ ତିଆରି କରିବାକୁ ମଧ୍ୟ ବାରଣ କରାଯାଇଛି।

୨. ଧାର୍ମିକ ମାନ୍ୟତା ଅନୁସାରେ, ମୃତ୍ୟୁ ପଞ୍ଚକ ସମୟରେ ଦକ୍ଷିଣ ଦିଗକୁ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। କାରଣ ଦକ୍ଷିଣ ଦିଗକୁ ଯମଙ୍କର ଦିଗ ବୋଲି କୁହାଯାଏ। ଏଥିପାଇଁ ଏହି ଦିଗରେ ଯାତ୍ରାକୁ ଅଶୁଭ ବୋଲି ବିବେଚନା କରାଯାଏ। ତେବେ ଅତ୍ୟାବଶ୍ୟକ ପରିସ୍ଥିତିରେ ଯାତ୍ରା କରିବାକୁ ହେଲେ ବିଦ୍ୱାନ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଇ ଉପାୟ କରାଯାଇପାରିବ।

୩. ପଞ୍ଚକ କାଳକୁ ନେଇ ଏକ ବିଶେଷ ମାନ୍ୟତା ମଣିଷର ଅନ୍ତିମ ସଂସ୍କାରକୁ ସହ ଜଡ଼ିତ। ଯଦି ପଞ୍ଚକ ସମୟରେ ଅନ୍ତିମ ସଂସ୍କାର କରିବାକୁ ପଡ଼େ ତେବେ ଏଥିପାଇଁ ଶାସ୍ତ୍ରରେ ବିଶେଷ ବିଧି ରହିଛି। ଏହି ବିଧି ଅନୁସାରେ ଅନ୍ତିମ ସଂସ୍କାର କଲେ ପଞ୍ଚକ ଦୋଷର ପ୍ରଭାବକୁ କମ କରାଯାଇ ପାରିବ ବୋଲି କୁହାଯାଏ।

ଧାର୍ମିକ ଦୃଷ୍ଟିରୁ ମୃତ୍ୟୁ ପଞ୍ଚକ କାଳକୁ ସାବଧାନ, ସଞ୍ଜମତା ଓ ଆଧ୍ୟାତ୍ମିକ ସାଧନାର ଏକ ସମୟ ବୋଲି ବିଶ୍ୱାସ କରାଯାଏ। ଏହି ସମୟରେ ଭଗବାନଙ୍କ ସ୍ମରଣ, ପୂଜାପାଠ ଓ ସକାରାତ୍ମକ କାର୍ଯ୍ୟରେ ମନ ନିବେଶ କରିବା ଶୁଭ ଓ ଫଳପ୍ରଦ ହୋଇଥାଏ।