କାଠମାଂଡୁ ୧୪।୯: ନେପାଳରେ ୮ ଓ ୯ ସେପ୍ଟେମ୍ବରରେ ହୋଇଥିବା ହିଂସାତ୍ମକ ଜେନ-ଜେଡ୍ ପ୍ରଦର୍ଶନ କାଳରେ ବିଭିନ୍ନ ଜେଲରୁ ଖସି ପଳାଇତିବା ୩ ହଜାର ୭୨୩ ବନ୍ଦୀଙ୍କୁ ପୋଲିସ ପୁଣି ଗିରଫ କରିଛି। ନେପାଳ ପୋଲିସ ମୁଖପାତ୍ର ବିନୋଦ ଘିମିରେ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ରବିବାର ମଧ୍ୟାହ୍ନ ସୁଧା ଏହି କୈଦୀମାନଙ୍କୁ ପୁଣି ଜେଲରେ ଛାଡି ଦିଆଯାଇଛି। ହେଲେ ଏବେବି ୧୦,୩୨୦ କୈଦୀ ଫେରାର ଅଛନ୍ତି। ଏଣୁ ଜନତାଙ୍କୁ ସତର୍କ ରହିବାକୁ ଡିଆଇଜି ଘିମିରେ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି କିଛି କୈଦୀ ନିଜେ ଜେଲକୁ ଫେରି ଆସିଥିଲେ। ତେବେ ଅନେକ କୈଦୀଙ୍କୁ ଧରିବାରେ ଭାରତୀୟ ପୋଲିସ ସହଯୋଗ କରିଛି। ଯେଉଁ କୈଦୀମାନେ ଭାରତକୁ ଖସି ପଳାଉଥିଲେ ସୀମାରେ ଭାରତୀୟ ପୋଲିସ ସେମାନଙ୍କୁ ଧରି ନେପାଳ ଜିମା ଦେଇଛି। ନେପାଳ-ଭାରତ ସୀମାରେ ମୁତୟନ ସଶସ୍ତ୍ର ସୀମା ବଳ (ଏସଏସବି) ଏହିପରି ୭୫ ଜଣ କୈଦୀଙ୍କୁ ଧରି ନେପାଳ ପୋଲିସକୁ ହସ୍ତାନ୍ତର କରିଛି। ଏମାନଙ୍କୁ ବିହାର ଓ ଉତ୍ତରପ୍ରଦେଶ ସୀମାରୁ ଧରାଯାଇଥିଲା। ଏମାନଙ୍କ ମଧ୍ୟରୁ କେତେକଙ୍କ ଉପରେ ଭାରତରେ ସଙ୍ଗଠିତ ଅପରାଧ ଅଭିଯୋଗ ମଧ୍ୟ ରହିଛି।

ଜେନ-ଜେଡ୍ ଆନ୍ଦୋଳନ ନେପାଳ ଇତିହାସର ସବୁଠୁ ବଡ଼ ଅନ୍ତରୀଣ ସୁରକ୍ଷା ସଂକଟର କାରଣ ପାଲଟିଥିଲା। ଏହା ୪ ସେପ୍ଟେମ୍ବରରୁ ଦେଶରେ ଆରମ୍ଭ ହୋଇଥିଲା। ଏହି ବିରୋଧ ପ୍ରଦର୍ଶନ ଖୁବ୍ ଶୀଘ୍ର ଦେଶରେ ଦୁର୍ନୀତି, କୁଶାସନ ଓ ଭାଇଭତିଜାବାଦ ବିରୋଧରେ ବ୍ୟାପକ ଆନ୍ଦୋଳନରେ ରୂପାନ୍ତରିତ ହୋଇଥିଲା। ସେପ୍ଟେମ୍ବର ୮ ତାରିଖ ଦିନ କାଠମାଂଡୁରେ ପୋଲିସ ଗୁଳିରେ ୧୯ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଫଳରେ ହିଂସା ତୀବ୍ର ରୂପ ଧାରଣ କରିଥିଲା ଓ ସେପ୍ଟେମ୍ବର ୯ ତାରିଖ ଦିନ ଚରମ ସୀମାକୁ ପହଞ୍ଚିଥିଲା।

ଏହି ଆନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କୁ ସେପ୍ଟେମ୍ବର ୧୦ ତାରିଖରେ ଇସ୍ତଫା ଦେବାକୁ ପଡିଥିଲା। ଏହା ପରେ ସେନା ସାରା ଦେଶରେ କର୍ଫ୍ୟୁ ଜାରି କରି ସୁଟ-ଆଟ-ସାଇଟ୍ ନିର୍ଦ୍ଦେଶ ଦେଇଥିଲା। ଏହି ହିଂସାକାଣ୍ଡ କାଳରେ ବିକ୍ଷୋଭକାରୀମାନେ ଜେଲ ଉପରେ ଆକ୍ରମଣ କରିଥିଲେ। ଫଳରୁ ଜେଲରୁ କୈଦୀ ସହଜରେ ଖସି ପଳାୟନ କରିଥିଲେ। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୯ ଓ ୧୦ ସେପ୍ଟେମ୍ବରରେ ୭୭ ଜିଲ୍ଲାର ଜେଲରୁ ୧୩ ହଜାରରୁ ୧୫ ହଜାର କୈଦୀ ଫେରାର ହୋଇଯାଇଥିଲେ।