ଭୁବନେଶ୍ବର ୨୪।୯: ଗଭୀର ଅବପାତ ଜନିତ ଲଗାଣ ବର୍ଷା ୬ ଜିଲ୍ଲାରେ ପ୍ରଭାବ । ୮ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୫ ଜଣ ଅଫିସରକୁ ଫିଲ୍ଡକୁ ପଠାଇଲେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଲେ ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବୁଧବାର ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ମନ୍ତ୍ରୀଙ୍କୁ ପଠାଯାଇଥିଲା । ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଜପତି ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି । ଗଜପତିରେ ବର୍ଷା ଯୋଗୁଁ କେତେକ ସ୍ଥାନରେ ଯୋଗାଯୋଗ ସମସ୍ୟା ଦେଖାଦେଇଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପକ୍ଷରୁ ରାସ୍ତା ପାର୍ଶ୍ୱରେ ଥିବା ପାହାଡ଼ ଅଞ୍ଚଳ ଉପରେ ନଜର ରଖାଯାଇଛି । ସମ୍ଭାବ୍ୟ ଭୂସ୍ଖଳନକୁ ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ନିଆଯାଇଛି। ଆବଶ୍ୟକ ସ୍ଥାନରେ କର୍ମଚାରୀ ମୁତୟନ ସହ ବ୍ୟାରିକେଡ୍ କରାଯାଇଛି । ଭୂସ୍ଖଳନ ଘଟିଲେ ତୁରନ୍ତ ରାସ୍ତାରେ ଯାତାୟତ ବନ୍ଦ କରି ରାସ୍ତା ସଫା କରାଯିବ । ଏଭଳି ପରିସ୍ଥିତିରେ ସାଧାରଣ ଯାତାୟତ ରୋକାଯିବ ।

ମାଲକାନଗିରିର କିଛି ଅଞ୍ଚଳରେ ମଧ୍ୟ ରାସ୍ତା ଉପରେ ପାଣି ଚାଲୁଛି । ପୂର୍ବରୁ ଯେଉଁ ସ୍ଥାନରେ ରାସ୍ତା ଓ ପୋଲ ଉପରେ ପାଣି ଯାଉଥିଲା, ସେଠାରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅର୍ଥରେ ରାସ୍ତା ଓ ପୋଲ ଉଚ୍ଚା କରିବା କାମ ଚାଲିଛି । ଏବେ ମଧ୍ୟ କିଛି ସ୍ଥାନ ପ୍ରଭାବିତ ହୋଇଛି । ରାସ୍ତାରେ ଅଟକିଥିବା ଲୋକ, ରୋଗୀ ଓ ଗାଡ଼ିଚାଳକଙ୍କ ପାଇଁ ଖାଦ୍ୟ, ପାନୀୟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି ।

୬ଟି ଜିଲ୍ଲା କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ବିଶେଷ ଭାବରେ ପ୍ରଭାବିତ ହୋଇଛି । ଏହି ୬ ଜିଲ୍ଲାର ୩୭ଟି ବ୍ଲକ, ୧୬୦ଟି ଗ୍ରାମ ପଞ୍ଚାୟତ ଓ ୨୩୭ଟି ଗାଁ ପ୍ରଭାବିତ ହୋଇଛି । ଏହାସହ ୫ଟି ଅର୍ବାନ୍ ଲୋକାଲ ବଡିର ୨୧ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି । ମୋଟ ୮,୨୦୫ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୮,୦୮୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Also Read:- ମନ୍ତ୍ରୀଙ୍କ ବଡ଼ ବୟାନ, ଓରାଙ୍ଗଉଟାନ୍ ମାମଲାରେ ଖୋଲିବ କି ବଡ଼ ରାକେଟ୍ ?

ଜିଲ୍ଲାପାଳ ମାନଙ୍କୁ ମଧ୍ୟ ସମ୍ଭାବ୍ୟ ବିପଦପ୍ରବଣ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ହେଲେ ତୁରନ୍ତ ସ୍ଥାନାନ୍ତର କରିବା, ରିଲିଫ୍ ବ୍ୟବସ୍ଥା ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ସମ୍ପ୍ରତି ରାଜ୍ୟରେ ୩୩ଟି ODRAF ଟିମ୍ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ମୁତୟନ ହୋଇଥିବା ନେଇ ମଧ୍ୟ ରିପୋର୍ଟ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।