ବିଶ୍ୱରେ ଭୋକରେ ଶୋଉଛନ୍ତି ୮୦ କୋଟିରୁ ଅଧିକ ଲୋକ, ନଷ୍ଟ ହେଉଛି ୮୪ କୋଟି ଲୋକଙ୍କ ଖାଦ୍ୟ

Published By : Prameya-News7 Bureau | March 28, 2024 IST

ନୂଆଦିଲ୍ଲୀ ୨୮।୩: ଲୋକଙ୍କୁ ଯେଉଁଠି ପେଟପୁରା ଖାଇବାକୁ ମିଳୁନି ସେଠି ପ୍ରତି ବର୍ଷ ହଜାର ହଜାର ଟନ ଖାଦ୍ୟ ନଷ୍ଟ ହେଉଛି। ଜାତିସଂଘଙ୍କ ‘ଫୁଡ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟ-୨୦୨୪’ରୁ ଏହା ଜଣାପଡିଛି। ଏଥି ଲାଗି ୨୦୨୨ର ତଥ୍ୟ ନିଆଯାଇଛି। ଯେଉଁଥିରେ ସାରା ବିଶ୍ୱରେ ୧.୦୫ ବିଲିୟନ ଟନ ଖାଦ୍ୟ ଶସ୍ୟ ନଷ୍ଟ ହୋଇଥିବାର ରିପୋର୍ଟ ଥିଲା। ଏପରି ଖାଦ୍ୟ ନଷ୍ଟ କେବଳ ଧନୀ ଅଥବା ବଡ଼ ବଡ଼ ଦେଶଙ୍କ ମଧ୍ୟରେ ସୀମିତ ନାହିଁ। ଛୋଟ ଓ ଗରିବ ଦେଶମାନଙ୍କରେ ମଧ୍ୟ ପାଖାପାଖି ସେତିକି ଖାଦ୍ୟ ନଷ୍ଟ ହେଉଥିବାର ରିପୋର୍ଟରେ କୁହାଯାଇଛି। 

୨୦୨୨ ବର୍ଷରେ ୧.୦୫ ବିଲିୟନ ଟନ ଖାଦ୍ୟ ନଷ୍ଟ ହୋଇଥିଲା। ଅର୍ଥାତ ଲୋକଙ୍କ ନିମନ୍ତେ ଯେତିକି ଖାଦ୍ୟ ଉପଲବ୍ଧ ଥିଲା ଏହାର ୧୯ ପ୍ରତିଶତ ନଷ୍ଟ ହୋଇଥିଲା। ଏହି ହିସାବରେ ସାରା ବର୍ଷରେ ୧ ଟ୍ରିଲିୟନ ଡଲାର ଅର୍ଥାତ ୮୪ ଲକ୍ଷ କୋଟି ଟଙ୍କାର ଖାଦ୍ୟ ନଷ୍ଟ ହୋଇଥିଲା। ଖାଦ୍ୟର ସବୁଠୁ ଅଧିକ ବରବାଦି ପରିବାରରେ ହେଉଛି। ୬୩.୧କୋଟି ଟନ ଅର୍ଥାତ ୬୦ ପ୍ରତିଶତ ଖାଦ୍ୟ ପରିବାରରେ ନଷ୍ଟ ହେଉଛି। ସେହିପରି ୨୯ କୋଟି ଟନ ଖାଦ୍ୟ ଫୁଡ ସର୍ଭିସ ସେକ୍ଟର ଓ ୧୩ କୋଟି ଟନ ରିଟେଲ ସେକ୍ଟରରେ ନଷ୍ଟ ହୋଇଥିଲା। 

୨୦୨୨ରେ ସାରା ବିଶ୍ୱରେ ପ୍ରତି ବ୍ୟକ୍ତି ୭୯ କେଜି ଖାଦ୍ୟ ନଷ୍ଟ ହୋଇଥିଲା। ତେବେ ଧନୀ ଦେଶଙ୍କ ତୁଳନାରେ ଗରିବ ଦେଶମାନଙ୍କରେ ୭ କେଜି ଖାଦ୍ୟ କମ ବରବାଦ ହୋଇଛି। ଏପରି ଖାଦ୍ୟ ନଷ୍ଟ ସେପରି ସମୟରେ ହେଉଛି, ଯେତେବେଳେ ସାରା ବିଶ୍ୱରେ ୭୮.୩ କୋଟିରୁ ଅଧିକ ଲୋକେ ଭୋକରେ ଶୋଉଛନ୍ତି। ତେବେ କଥା କେବଳ ଏତିକିରେ ନାହିଁ ଏପରି ଖାଦ୍ୟ ନଷ୍ଟ ବିଶ୍ୱର ଏକ ତୃତୀୟାଂଶ  ଜନସଂଖ୍ୟା ଲାଗି ଖାଦ୍ୟ ସଂକଟ ସୃଷ୍ଟି କରିଛି। 

ଏପରି ଖାଦ୍ୟ ନଷ୍ଟ ଯୋଗୁ ଗ୍ରିନ ହାଉସ୍ ଗ୍ୟାସ୍‌ ଉତ୍ସର୍ଜନ ୮ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇଛି। ରିପୋର୍ଟ ଅନୁସାରେ ଯେଉଁ ଦେଶର ଜଳବାୟୁ ଉଷ୍ମ ସେଠାରେ ଖାଦ୍ୟ ନଷ୍ଟ ଥଣ୍ଡା ଦେଶ ତୁଳନାରେ ଅଧିକ ବୋଲି ଜଣାପଡିଛି। ଏହି ହିସାବ ଅନୁସାରେ ପ୍ରତି ବର୍ଷ ଜଣେ ଭାରତୀୟ ୫୫ କେଜି ଖାଦ୍ୟ ନଷ୍ଟ କରୁଛନ୍ତି ଅର୍ଥାତ ଭାରତୀୟ ପରିବାରମାନଙ୍କରେ ବାର୍ଷିକ ୭.୮୧ କୋଟି ଟନରୁ ଅଧିକ ଖାଦ୍ୟ ଶସ୍ୟ ନଷ୍ଟ ହେଉଛି। ଭାରତ ଅପେକ୍ଷା ଏହାର ପଡୋଶୀ ଦେଶ ଚୀନ୍‌ରେ ସବୁଠୁ ଅଧିକ ଖାଦ୍ୟ ନଷ୍ଟ ହେଉଛି। ଚୀନ୍‌ରେ ଜଣେ ବ୍ୟକ୍ତି ବାର୍ଷିକ ୭୬ କେଜି ଖାଦ୍ୟ ନଷ୍ଟ କରୁଥିବା ରିପୋର୍ଟରୁ ଜଣାପଡିଛି।  ଏହି ହିସାବରେ ସେଠାରେ ବର୍ଷକରେ ୧୦.୮୬ କୋଟି ଟନ ଖାଦ୍ୟ ନଷ୍ଟ ହେଉଛି। 


ସେହିପରି ପାକିସ୍ତାନରେ ପ୍ରତି ବ୍ୟକ୍ତି ବାର୍ଷିକ ହାରାହାରି ୧୩୦ କେଜି ଖାଦ୍ୟ ନଷ୍ଟ କରିଥାଏ। ସେହି ହିସାହରେ ଦେଶରେ ବର୍ଷକରେ ୩.୦୭ କୋଟି ଟନ ଖାଦ୍ୟ ନଷ୍ଟ ହୋଇଥାଏ। ସାରା ବିଶ୍ୱରେ ପ୍ରତି ବ୍ୟକ୍ତି ୭୯ କେଜି ଖାଦ୍ୟ ନଷ୍ଟ କରିଥାଏ। ଯଦି ଏହି ଖାଦ୍ୟ ନଷ୍ଟ ନ ହେଉ ଥାନ୍ତା ତେବେ  ଆବଶ୍ୟକ କରୁଥିବା ଲୋକଙ୍କ ପେଟ ପୁରାଯାଇ ପାରନ୍ତା। ଏଥି ପାଇଁ ବ୍ରିଟେନ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ମେକ୍ସିକୋ ଓ ସାଉଥ ଆଫ୍ରିକା ଭଳି ଦେଶମାନେ ଖାଦ୍ୟ ନଷ୍ଟ ରୋକିବାକୁ ଉପାୟ କରିଛନ୍ତି। ଏଣୁ ଏହି ସବୁ ଦେଶମାନଙ୍କରେ ଖାଦ୍ୟ ନଷ୍ଟ ସାମାନ୍ୟ ହ୍ରାସ କରାଯାଇ ପାରିଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.