ନିଲାମ ହେଲା ଟାଇଟନିକ ଜାହାଜର ସବୁଠୁ ଧନୀ ଯାତ୍ରୀଙ୍କ ସୁନା ପକେଟ ଘଣ୍ଟା, ଜାଣନ୍ତୁ ମିଳିଲା କେତେ?

Published By : Prameya-News7 Bureau | April 28, 2024 IST

ୱିଲ୍ଟସାୟର ୨୮।୪: ପାଖାପାଖି ୧୧୨ ବର୍ଷ ପୂର୍ବେ ସମୁଦ୍ରରେ ବୁଡିଥିବା ସବୁଠୁ ବିଶାଳ ଜାହାଜ ଟାଇଟନିକର ଜନୈକ ଯାତ୍ରୀଙ୍କ ସୁନା ପକେଟ ଘଡ଼ିକୁ ନିଲାମ କରାଯାଇଛି। ଏହି ନିଲାମରୁ ରେକର୍ଡ ୧.୧ ମିଲିୟନ ଡଲାର ମିଳିଛି। ଏହି ଘଡ଼ିଟି ଟାଇଟନିକରେ ଯାତ୍ରା କରୁଥିବା ସେ ସମୟର ସବୁଠୁ ଧନୀ ଯାତ୍ରୀ ଜନ ଜ୍ୟାକବ ଏଷ୍ଟର ଚତୁର୍ଥଙ୍କର। ନିଲାମ କର୍ତ୍ତା ଆଣ୍ଡ୍ର୍ୟୁ ଏଲ୍ଡିଜ୍ ମୋଟ ବିକ୍ରିକୁ ବିଶ୍ୱ ରେକର୍ଡ ବୋଲି କହିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ଟାଇଟନିକରେ ଯାତ୍ରା କରୁଥିବା ସବୁଠୁ ଧନୀଯାତ୍ରୀଙ୍କ ସୁନା ପକେଟ ଘଡ଼ି ଟାଇଟନିକ ଯାତ୍ରା ସମ୍ପର୍କିତ ସବୁଠୁ ସ୍ମରଣୀୟ ବସ୍ତୁଥିଲା। ଏହାର ବିକ୍ରି ଏକ ନୂଆ ରେକର୍ଡ ସ୍ଥାପନା କରିଛି। ରିପୋର୍ଟ ଅନୁସାରେ ୧୪ କ୍ୟାରେଟ ସୁନାରେ ତିଆରି ୱାଲଥମ ପକେଟ୍ ଘଡ଼ିକୁ ଶନିବାର ଆମେରିକାର ୱିଲ୍ଟସାୟରସ୍ଥିତ ହେନରୀ ଏଲ୍ଡ୍ରିଜ୍ ଆଣ୍ଡ ସନସ୍‌ ଡିଭିଜେସ ନିଲାମ କରିଥିଲେ। ଜନୈକ ବ୍ୟକ୍ତିଗତ ସଂଗ୍ରାହକ ଏହି ଘଡ଼ିକୁ ନିଲାମରେ ନେଇଛନ୍ତି। 

ଏହି ଘଡ଼ିର ମାଲିକ ଜନ ଜ୍ୟାକବ ଏଷ୍ଟର ଚତୁର୍ଥ ୧୯୧୨ ମସିହାରେ ୪୭ ବର୍ଷ ବୟସରେ ଜାହାଜ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏଷ୍ଟୋର ଆର.ଏମ.ଏସ୍ ଟାଇଟନିକର ସବୁଠୁ ଧନୀ ଯାତ୍ରୀ ଥିଲେ ଓ ସେ ସମୟରେ ସେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ରୂପେ ପରିଗଣିତ ହେଉଥିଲେ। ସେ ସମୟରେ ସେ ୮୭ ମିଲିୟନ ଡଲାର ସମ୍ପତ୍ତିର ମାଲିକ ଥିଲେ।  ଟାଇଟନିକ ବୁଡିବାର ଅନେକ ଦିନ ପରେ ତାଙ୍କ ଶବ ମିଳିଥିଲା। ଏହି ଶବ ସହ ତାଙ୍କ ପକେଟ ଘଡ଼ି, ହୀରା ମୁଦ୍ରିକା ଓ ସୁନା ଏବଂ ହୀରାର କଫଲିଂକ ମଧ୍ୟ ମିଳିଥିଲା। 

ନିଲାମରେ ଏଷ୍ଟରଙ୍କ ଘଡ଼ି ସହିତ ତାଙ୍କ କଫଲିଙ୍କ ଓ ଟାଇଟନିକା ଯାତ୍ରାରେ ତାଙ୍କର ପ୍ରଥମ ଶ୍ରେଣୀ ହାଉସିଂ ସ୍କିମକୁ ବି ରଖାଯାଇଥିଲା। ଏଷ୍ଟର ସେହି ୧୫ଶହ ଲୋକଙ୍କ ମଧ୍ୟରେ ଜଣେ ଥିଲେ ଯାହାଙ୍କର ୧୫ ଏପ୍ରିଲ ୧୯୧୨ରେ ହୀମଖଣ୍ଡ ସହ ଧକ୍କା ଲାଗି ଟାଇଟନିକ ବୁଡିବା ଯୋଗୁ ମୃତ୍ୟୁ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ଏଷ୍ଟରଙ୍କ ଗର୍ଭବତୀ ପତ୍ନୀ ମେଡେଲିନ ଜୀବିତ ବର୍ତ୍ତିଯାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.