ଜେଲ ପ୍ରଶାସନ ପକ୍ଷରୁ ଅରବିନ୍ଦ କେଜରିୱାଲଙ୍କୁ ଝଟକା, ଭେଟିପାରିବେନି ପତ୍ନୀଙ୍କୁ

Published By : Prameya-News7 Bureau | April 28, 2024 IST

ନୂଆଦିଲ୍ଲୀ ୨୮।୪: ଆମ ଆଦମୀ ପାର୍ଟି (ଆପ) ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜୋରଦାର ଝଟକା ଲାଗିଛି। ତିହାର ଜେଲ ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ପତ୍ନୀ ସୁନିତା କେଜରିୱାଲଙ୍କ ସାକ୍ଷାତକୁ ରଦ୍ଦ କରିଦେଇଛନ୍ତି। ସୂତ୍ର ଅନୁସାରେ ସୁନିତା କେଜରିୱାଲ ୨୯ ଏପ୍ରିଲ ସୋମବାର ଅରବିନ୍ଦ କେଜରିୱାଲଙ୍କୁ ତିହାର ଜେଲରେ ଭେଟିବାର ଥିଲା। ତେବେ ରବିବାର ରାତିରେ ଜେଲ ପ୍ରଶାସନ ଏକ ଆଦେଶ ଜାରି କରି ସୁନିତା ଜେଲ ଆସିବେନି କି କେଜରିୱାଲଙ୍କ ସହ ତାଙ୍କର ସାକ୍ଷାତ ହେବନି ବୋଲି କହିଛନ୍ତି।  

ଉଲ୍ଲେଖଯୋଗ୍ୟ ଯେ ଜେଲ ନିୟମ ଅନୁସାରେ ଥରକେ ଦୁଇ ଜଣ ଜେଲରେ ବନ୍ଦୀଙ୍କୁ ଭେଟିପାରିବେ। ତେବେ ସୂଚନା ଅନୁସାରେ ଆପ ନେତ୍ରୀ ଆତିଶ ସୋମବାର ଜେଲରେ କେଜରିୱାଲଙ୍କୁ ଭେଟିବାର ଅଛି। ସେହିପରି ଏପ୍ରିଲ ୩୦ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଜେଲରେ କେଜରିୱାଲଙ୍କୁ ଭେଟିବେ। ଏଣୁ ଜେଲ ପ୍ରଶାସନ କେଜରିୱାଲଙ୍କ ପତ୍ନୀଙ୍କ ସୋମବାର ସାକ୍ଷାତକୁ ରଦ୍ଦ କରିଦେଇଛି। ତେବେ ତିହାର ପ୍ରଶାସନ କହିଛି ଯେ ଏହି ଦୁଇ ସାକ୍ଷାତ ପରେ ସୁନିତାଙ୍କୁ ସାକ୍ଷାତ ଅନୁମତି ମିଳିପାରିବ। 

ଅରବିନ୍ଦ କେଜରିୱାଲଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ ସୁନିତା କେଜରିୱାଲ ଦିଲ୍ଲୀରେ ଲୋକସଭା ନିର୍ବାଚନ ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି। ସେ ଶନିବାର ଉତ୍ତର-ପୂର୍ବ ଦିଲ୍ଲୀରେ ଆପ୍ ଲୋକସଭା ପ୍ରାର୍ଥୀ କୂଲଦୀପ କୁମାରଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିବା ବେଳେ ରବିବାର ପଶ୍ଚିମ ଦିଲ୍ଲୀରେ ମେଣ୍ଟ ପ୍ରାର୍ଥୀ ମହାବଳ ମିଶ୍ରଙ୍କ ନିମନ୍ତେ ପ୍ରଚାର କରିଛନ୍ତି, ଏହି ପ୍ରଚାର କାର୍ଯ୍ୟକ୍ରମରେ ପଶ୍ଚିମ ଦିଲ୍ଲୀର କୋଣ କୋଣରୁ ଲୋକେ ସୁନିତାଙ୍କ ରୋଡ ସୋରେ ସାମିଲ ହୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.