ଯୌନ ନିର୍ଯାତନା ମାମଲାରେ କର୍ଣ୍ଣାଟକ ସାଂସଦ ଓ ତାଙ୍କ ବାପାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

Published By : Prameya-News7 Bureau | April 28, 2024 IST

indiatodday

ନୂଆଦିଲ୍ଲୀ: କର୍ଣ୍ଣାଟକ ହସନ ଲୋକସଭା ଆସନରୁ ଏନ୍‌ଡିଏ ପ୍ରାର୍ଥୀ ତଥା ବର୍ତ୍ତମାନର ସାଂସଦ ଥିବା ପ୍ରଜ୍ଜ୍ୱଳ ରେବନ୍ନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପ୍ରଜ୍ଜ୍ୱଳଙ୍କ ସମ୍ପର୍କିତ ଏକ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବା ପରେ ସାଂସଦ ଓ ତାଙ୍କ ବାପା ଏଚ୍‌ଡି ରେବନ୍ନାଙ୍କ ବିରୋଧରେ ମାମଲା ହୋଇଛି। ହୋଲେରନସିପୁର ଥାନାରେ ଯୌନ ଉତ୍ପୀଡ଼ନ ଓ ପିଛା କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।

ସମାଚାର ଏଜେନ୍ସି ପିଟିଆଇର ଖବର ଅନୁସାରେ, ସାଂସଦଙ୍କ ରୋଷେଇୟା ଏହି ଅଭିଯୋଗ କରିଛନ୍ତି। ବାପ-ପୁଅ ଦୁହିଁଙ୍କୁ ମାମଲାଭୁକ୍ତ କରାଯାଇଥିବା ବେଳେ ପ୍ରଜ୍ଜ୍ୱଳ ରେବନ୍ନା ବିଦେଶ ଚାଲିଯାଇଥିବା ଖବର ସାମ୍ନାକୁ ଆସୁଛି। 

ଜନତା ଦଳ (ସେକ୍ୟୁଲାର) ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ଜ୍ୱଳ ରେବନ୍ନାଙ୍କ ସେକ୍ସ ସ୍କାଣ୍ଡାଲ୍‌ରେ ସମ୍ପୃକ୍ତି ନେଇ ଅଭିଯୋଗ ଆସିବା ପରେ ଯାଞ୍ଚ ପାଇଁ କର୍ଣ୍ଣାଟକ ସରକାର ରବିବାର ଦିନ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିଛନ୍ତି। ଏହା ପୂର୍ବରୁ କର୍ଣ୍ଣାଟକ ମହିଳା ଆୟୋଗ ଅଧ୍ୟକ୍ଷା ଡ. ନାଗଲକ୍ଷ୍ମୀ ଚୌଧୁରୀ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏସ୍ଆଇଟି ଗଠନ କରି ତଦନ୍ତ କରିବାକୁ ଦାବି କରିଥିଲେ। ନାଗଲକ୍ଷ୍ମୀଙ୍କ ଚିଠି ପରେ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ପଢ଼ନ୍ତୁ-ବିଜେପି ସରକାରଙ୍କୁ ତାଲିବାନ ସହ ତୁଳନା କରିବାରୁ ବିଏସ୍‌ପି ନେତା ଆକାଶ ଆନନ୍ଦଙ୍କ ବିରୋଧରେ ମାମଲା ରୁଜୁ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପ୍ରଜ୍ଜ୍ୱଳ ଦେଶ ଛାଡ଼ି ଚାଲିଯାଇଛନ୍ତି। ତେବେ ସେ ତାଙ୍କର ନିର୍ବାଚନ ଏଜେଣ୍ଟ ଦ୍ୱାରା ଏହାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ପ୍ରଜ୍ଜ୍ୱଳଙ୍କ କହିବା କଥା ହେଲା ନିର୍ବାଚନ ସମୟରେ ତାଙ୍କ ଛବି ମଳିନ କରିବାକୁ ଏହି ଷଡ଼ଯନ୍ତ୍ର କରାଯାଇଛି। ଭିଡିଓକୁ କଟାକଟି କରି ଏହାକୁ ନକଲି କରାଯାଇଛି। ପ୍ରଜ୍ଜ୍ୱଳ ରେଭାନ୍ନା ନିଜ ନିର୍ବାଚନ ଏଜେଣ୍ଟଙ୍କ ଦ୍ୱାରା ଏହି ସୂଚନା ଦେଇଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.