LIVE TV

ବଡ଼ ସରକାରୀ ବ୍ୟାଙ୍କ ସହ କ୍ଷୁଦ୍ର ବ୍ୟାଙ୍କର ବିଲୟ କରିବେ ସରକାର !

NEWS7
bank

ନୂଆଦିଲ୍ଲୀ: ବଡ଼ ସରକାରୀ ବ୍ୟାଙ୍କ ସହ ଅନେକ କ୍ଷୁଦ୍ର ବ୍ୟାଙ୍କର ବିଲୟ ହେବ । ସରକାରୀ ବ୍ୟାଙ୍କରେ ବଡ଼ କନ୍ସୋଲିଡେସନ ହେବାକୁ ଯାଉଥିବା ସରକାରୀ ସୂତ୍ରକୁ ନେଇ ମନିକଣ୍ଟ୍ରୋଲ୍ ରିପୋର୍ଟ ପ୍ରକାଶ କରିଛି । ସରକାର ଛୋଟ-ଛୋଟ ଅନେକ ସରକାରୀ ବ୍ୟାଙ୍କ ବଦଳରେ କିଛି ବଡ଼ ସରକାରୀ ବ୍ୟାଙ୍କ ଚାହୁଁଛନ୍ତି । ଫାଇନାନସିଅଲ୍ ସେକ୍ଟରରେ ସଂସ୍କାର ଦୃଷ୍ଟିରୁ ଏହା ଜରୁରି ଅଟେ । ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତିର ଆବଶ୍ୟକତାକୁ ବଡ଼ ବ୍ୟାଙ୍କ ପୂରଣ କରିପାରିବେ ।

ସରକାରୀ ସୂତ୍ର ଅନୁସାରେ ଇଣ୍ଡିଅନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ପରି ଛୋଟ ବ୍ୟାଙ୍କର ବିଲୟ ପିଏନବି, ବ୍ୟାଙ୍କ୍ ଅଫ୍ ବରୋଦା ଓ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପରି ବଡ଼ ବ୍ୟାଙ୍କ ସହ ହୋଇପାରେ ।

ସୂତ୍ର ଅନୁସାରେ ଯୋଜନା ଉପରେ ପ୍ରଥମେ ବରିଷ୍ଠ ଅଧିକାରୀ କ୍ୟାବିନେଟ୍ ସ୍ତରରେ ଚର୍ଚ୍ଚା କରିବେ । ଏହାପରେ ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବ । ସେଠାରେ ଏହା ଉପରେ ବିସ୍ତୃତ ଭାବରେ ବିଚାର କରାଯିବ । ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ଉପରେ ଚର୍ଚ୍ଚା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ଆର୍ଥିକ ବର୍ଷ ୨୦୨୬-୨୭ରେ ଏହି ଯୋଜନା ଉପରେ ସମ୍ୱନ୍ଧିତ ବ୍ୟାଙ୍କଠାରୁ ମତାମତ ନିଆଯାଇପାରେ । ସୂତ୍ର ଅନୁସାରେ ସରକାର ପ୍ରଥମେ ସହମତି ସ୍ଥାପନ କରିବାକୁ ଚାହୁଁଛନ୍ତି । ଏହାପରେ ଆନୁଷ୍ଠାନିକ ଘୋଷଣା ହେବ ।

ସରକାର ୨୦୧୭ ଓ ୨୦୨୦ ମଧ୍ୟରେ ୧୦ କ୍ଷୁଦ୍ର ସରକାରୀ ବ୍ୟାଙ୍କକୁ ଚାରି ବଡ଼ ସରକାରୀ ବ୍ୟାଙ୍କରେ ବିଲୟ କରିଥିଲେ । ଏହାପରେ ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ରୁ ହ୍ରାସ ହୋଇ ୧୨ ହୋଇଥିଲା । ସେତେବେଳେ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ପିଏନବିରେ ବିଲୟ କରାଯାଇଥିଲା । କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କର ବିଲୟ ହୋଇଥିଲା । ତେବେ ସରକାର ନୀତି ଆୟୋଗଙ୍କ ସୁପାରିଶର ବିପରୀତରେ ଯାଉଥିବା ନଜର ଆସୁଛି । ନୀତି ଆୟୋଗ ଆଇଓବି ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପରି କ୍ଷୁଦ୍ର ବ୍ୟାଙ୍କ ଘରୋଇକରଣ କିମ୍ୱା ରିଷ୍ଟ୍ରକ୍ଚରିଂ ପାଇଁ ସୁପାରିଶ କରିଥିଲା ।

ଏହି ଖବର ପ୍ରଭାବ ଅକ୍ଟୋବର ୧୫ରେ ସରକାରୀ ବ୍ୟାଙ୍କର ସେୟାରରେ ଦେଖିବାକୁ ମିଳିଛି । ନିଫ୍ଟି ପିଏସୟୁ ବ୍ୟାଙ୍କ ଇଣ୍ଡେକ୍ସ ୧.୬୭ ପ୍ରତିଶତ ବଢି ବନ୍ଦ ହୋଇଛି । ସବୁଠୁ ଅଧିକ ୪.୨୨ ପ୍ରତିଶତ ବୃଦ୍ଧି ଆଇଓବି ବ୍ୟାଙ୍କ ସେୟାରରେ ଦେଖିବାକୁ ମିଳିଥିଲା । ଏହାପରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସେୟାରରେ ୧.୬୪ ପ୍ରତିଶତ, କାନାରା ବ୍ୟାଙ୍କ୍ ସେୟାର ୨.୫୫ ପ୍ରତିଶତ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସେୟାରରେ ୧.୭୮ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।