:ହ୍ୟୁମାନଙ୍କୁ  ହରାଇ ଖାଁ ଖାଁ ଲାଗୁଛି ଷ୍ଟୁଡ଼ିଓ... ହାରମୋନିୟମ ଠୁ ତାବଲା, ଗୀଟାରଠୁ ନେଇ ପିଆନୋ ସମସ୍ତେ ଝୁରୁଛନ୍ତି ସେହି ସ୍ୱରକୁ। ମନ ମାରି ବସିଛି ମାଇକ୍ରୋଫୋନ୍। ସେ ଚାହିଁ ବସିଛନ୍ତି ତାଙ୍କ ପ୍ରିୟରର ସିଙ୍ଗର ହ୍ୟୁମାନଙ୍କୁ। ସେ ଆସିବେ ଆଉ ଗୀତ ଗାଇବେ। ମନେ ମନେ ଭାରି ଖୋଜୁଛନ୍ତି… ପ୍ରଶ୍ନ କରୁଛନ୍ତି କେଉଁଠି ଅଛ ତୁମେ ହ୍ୟୁମାନ…ମୁଁ ପରା ତୁମକୁ ଚାହିଁ ବସିଛି। ଦେଖ ତୁମ ବିନା ଏଠି ସବୁ ଶୂନଶାନ। ସେ ଧୁନ୍ ନାହିଁ କି ଆଉ ଶୁଭୁନି ତୁମ ମେଲୋଡିଅସ୍ ଭଏସ୍। ଏ ଶୂନ୍ୟତା ଓ ନୀରବତା କେବଳ ତୁମକୁ ହିଁ ଝୁରୁଛି...। ତୁମ ସ୍ୱର... ତୁମ ହସ ମଜାରେ ଫାଟି ପଡ଼ୁଥିବା ଷ୍ଟୁଡିଓର ଚାରିକାନ୍ଥ ଆଜି ନୀରବ ଓ ନିଃଶବ୍ଦ...

ଏ ହେଉଛି ସେହି ମାଇକ... ଯିଏ ସ୍ୱରର ବାଦସାହ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ୧୫ ବର୍ଷ କ୍ୟାରିଅରର ମୁକ ସାକ୍ଷୀ। କଟକର ପ୍ରତିଷ୍ଠିତ ମ୍ୟୁଜିକ ଷ୍ଟୁଡିଓ ମିଲନ ଷ୍ଟୁଡିଓରେ ୧୫ ବର୍ଷ ତଳେ ନିଜ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ ହ୍ୟୁମାନ। ପ୍ରଥମ ଦିନର ପ୍ରଥମ ଗୀତ ଯେଉଁ ମାଇକରେ ଗାଇଥିଲେ ଆଜି ବି ସେହି ମାଇକ ହ୍ୟୁମାନଙ୍କ କ୍ୟାରିଅର ଉନ୍ନତିର ମୁକସାଖି ହୋଇ ରହିଛି। ଖାଲି ସେତିକି ନୁହେଁ ହ୍ୟୁମାନ ମଧ୍ୟ ତାଙ୍କର ଶେଷ ଗୀତ ଏହି ମାଇକରେ ହିଁ ଗାଇ ଥିଲେ। ତେଣୁ ହ୍ୟୁମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ମିଲନ ଷ୍ଟୁଡିଓ ପକ୍ଷରୁ ଏହି ମାଇକକୁ ତାଙ୍କୁ ସମର୍ପି ଦିଆଯାଇଛି ।

ସେହିଭଳି ହ୍ୟୁମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ମଙ୍ଗଳବାର ଷ୍ଟୁଡିଓରେ କାମ ବନ୍ଦ ରଖାଯାଇଛି। ଏହାସହ ସ୍ମୃତି ସଭାରେ ହ୍ୟମାନଙ୍କୁ ମନେ ପକାଇଛନ୍ତି ସମସ୍ତେ। ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତେଣୁ ତାଙ୍କୁ ସମ୍ମାନ ଓ ସନ୍ତକ ରୂପେ ଷ୍ଟୁଡିଓରେ ମାଇକ ଟି ସବୁଦିନ ପାଇଁ ସଂରକ୍ଷିତ ହୋଇ ରହିବ ବୋଲି କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ। ଏହି ମାଇକରେ ନା ଆଉ କେହି ଗାଇବେ ନା କାହାକୁ ଗାଇବାକୁ ସୁଯୋଗ ଦିଆଯିବ। ଷ୍ଟୁଡିଓରେ ସେହି ମାଇକ ହ୍ୟୁମାନଙ୍କ ସ୍ମୃତିକୁ ସାଇତି ରଖିବ ।ଜଣେ କଣ୍ଠଶିଳ୍ପୀ ପାଇଁ ସବୁଠୁ ଉର୍ଦ୍ଧ୍ୱରେ ମାଇକ୍ ,ମଞ୍ଚ ଓ ବାଦ୍ୟଯନ୍ତ୍ର। ଖାସ୍ କରି ମାଇକ୍। ହ୍ୟୁମାନଙ୍କ ପାଇଁ ଏହାର ଗୁରୁତ୍ୱ ଯେ, କେତେ ଏକଥା ସମସ୍ତେ ଜାଣନ୍ତି। । ସେଥିପାଇଁ ଯେଉଁ ମାଇକରେ ଗୀତ ଗାଇ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଯେଉଁ ମାଇକ୍ ପାଇଁ ସାରା ଓଡ଼ିଶାରେ ସେ ଚହଳ ସୃଷ୍ଟି କରିଥିଲେ, ସେ ମାଇକ୍ ତାଙ୍କୁ ଦେଇଛି ଶ୍ରଦ୍ଧାଞ୍ଜଳି। ସବୁବେଳେ ସେ ରହିବ ହ୍ୟମାନଙ୍କ ସ୍ମୃତିରେ।