କଟକ: ଅପେକ୍ଷାର ଘଟିଲା ଅନ୍ତ। ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଶୁକ୍ରବାର କଟକ ବୋର୍ଡ ଅଫିସ ଠାରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଚଳିତ ବର୍ଷ ପାସ୍ ହାର ୫.୩୩ ପ୍ରତିଶତ ରହିଛି। ଗଜପତି ଜିଲ୍ଲାରେ ପାସ୍ ହାର ସର୍ବାଧିକ ରହିଥିବା ବେଳେ, କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ରହିଛି। ଏ୧ ଗ୍ରେଡରେ ୨,୪୫୬ ପିଲା ପାସ୍ କରିଥିବା ବେଳେ, ଏ୨ ଗ୍ରେଡରେ ୧୫,୬୮୧, ବି୧ରେ ୪୩,୫୬୫, ବି୨ରେ ୮୬,୧୦୩, ସି ଗ୍ରେଡରେ ୧,୨୯,୮୧୩, ଡି ଗ୍ରେଡରେ ୧,୪୦,୧୫୨ ଏବଂ ଇ ଗ୍ରେଡରେ ୯୫,୪୮୧ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ୩,୩୧୦ ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି। 

ତେବେ ଏଥର ମାଟ୍ରିକ ପରୀକ୍ଷାରେ ଝିଅଙ୍କ ବାଜିମାତ ହୋଇଛି । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି । ୨, ୬୩, ୨୨୨ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ, ୨, ୫୬, ୦୨୯ ଛାତ୍ର ପାସ୍ କରିଛନ୍ତି । ଛାତ୍ରଛାତ୍ରୀ ବୋର୍ଡ ଓ୍ବେବସାଇଟ www.bseodisha.ac.in ଏବଂ www.bseodisha.nic.inରେ ଲଗଇନ୍ କରି ଜାଣିପାରିବେ। ଏହା ସହ ମୋବାଇଲ ଏସଏମଏସ ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀ ରେଜଲ୍ଟ ଜାଣିପାରିବେସେହିଭଳି ସୋମବାର ଠାରୁ ରିଚେକିଂ ପାଇଁ ଆବେଦନ ଆରମ୍ଭ ହେବ। ​​​​​​​

ମେ ୮ରୁ ସପ୍ଲିମେଣ୍ଟାରୀ ଆବେଦନ

ତେବେ ଫେଲ୍ ହୋଇଥିବା, ଫର୍ମ ପୂରଣ କରିପାରିନଥିବା ତଥା ଅନୁପସ୍ଥିତି କାରଣରୁ ପରୀକ୍ଷା ଦେଇପାରିନଥିବା ପିଲା ସପ୍ଲିମେଣ୍ଟାରୀ ଦେଇ ପାସ୍ କରିପାରିବେ। ଏଥିପାଇଁ ବ୍ୟବସ୍ଥା କରାଯିବ। ସପ୍ଲିମେଣ୍ଟାରୀ ୮ ତାରିଖରୁ ୧୮ ତାରିଖ ଭିତରେ ଫର୍ମ ପୂରଣ କରିପାରିବେ। ସେହିଭଳି ଜୁଲାଇ ମାସର ପ୍ରଥମ ସପ୍ତାହରେ କରିବା ନେଇ ଯୋଜନା ରଖାଯାଇ ଥିବା ବେଳେ ଅଗଷ୍ଟ ମାସରେ ରେଜଲ୍ଟ ବାହାର କରିବାକୁ ଯୋଜନା ରହିଛି। 

ଚଳିତ ବର୍ଷଠୁ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ମିଳିବ ମାଟ୍ରିକ ସାର୍ଟିଫିକେଟ

ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୯ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୨ ଯାଏ ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ମଧ୍ୟ ସେହି ସମୟ ମଧ୍ୟରେ ହୋଇଥିଲା । ଚଳିତ ବର୍ଷ ୫ ଲକ୍ଷ ୪୬ ହଜାର ୮୭୬ ଜଣ ପିଲା ଫର୍ମ ଫିଲ୍ଅପ୍ କରିଥିଲେ କିନ୍ତୁ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୩୬ହଜାର ୯୪୬ ଛାତ୍ରଛାତ୍ରୀ । ପରୀକ୍ଷା ଦେଇ ନ ଥିଲେ ୯ ହଜାର ୯୩୦ ଛାତ୍ରଛାତ୍ରୀ । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ହାର ରହିଥିଲା ୧. ୮୧ ପ୍ରତିଶତ।

ସେହିଭଳି ଚଳିତ ବର୍ଷଠୁ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ମିଳିବ ମାଟ୍ରିକ ସାର୍ଟିଫିକେଟ । ଚଳିତ ବର୍ଷ ପ୍ରଥମ କରି ଏହି ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ, ଓଡ଼ିଆ ସହ ଇଂରାଜୀ ଲେଖା ମଧ୍ୟ ପୂର୍ବ ଭଳି ରହିବ। ଅର୍ଥାତ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ମିଳିବ ମାଟ୍ରିକ ସାର୍ଟିଫିକେଟ ଓ ମାର୍କସିଟ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

୧୩୬୪ କେନ୍ଦ୍ରରୁ ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା

ପରୀକ୍ଷାକୁ ଶୃଙ୍ଖଳିତ ଭାବରେ ସାରିବା ଓ କପି ମୁକ୍ତ କରିବା ବଡ ଆହ୍ବାନ ଥିଲା । ସେଥିପାଇଁ ସ୍ପେଶାଲ ସ୍କ୍ବାଡ୍ ଗଠନ କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପରୀକ୍ଷା କେନ୍ଦ୍ର ଗୁଡିକୁ ସ୍କ୍ବାଡ୍ ସରପ୍ରାଇଜ ଭିଜିଟ କରିଥିଲେ । ନୋଡାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ର ଗୁଡିକ ସିସିଟିଭି ସର୍ଭେଲାନ୍ସରେ ରହିଥିଲା।କଣ୍ଟ୍ରୋଲ ରୁମରୁ ସ୍ବତନ୍ତ୍ର ଭାବରେ ମନିଟରିଂ କରାଯାଇଥିଲା । ୧୩୬୪ କେନ୍ଦ୍ରରୁ ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଥିଲା । ସେହିପରି ମାଓ ଅଧ୍ୟଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା।

ଗତ ବର୍ଷ ପାସ୍ ହାର ଥିଲା ୯୭.୦୭%

ତେବେ ଗତ ବର୍ଷ ମେ ମାସ ୨ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା ଏବଂ ପାସ ହାର ଥିଲା ୯୬. ୦୭ ପ୍ରତିଶତ। ଗତଥର ୨, ୬୪୪ଟି ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଥିଲେ ଏବଂ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କର ପାସ ହାର ଥିଲା ଅଧିକ। ସେହିଭଳି ଗତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ପାସ ହାର ସର୍ବାଧିକ ଥିଲା ଏବଂ ତାଲିକାର ସବା ତଳେ ଥିଲା ନୂଆପଡ଼ା ଜିଲ୍ଲା ।