ନୂଆଦିଲ୍ଲୀ ୧୭।୦୪: ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଭୟଙ୍କର ବିସ୍ଫୋରଣ । ଗୁରୁବାର ସନ୍ଧ୍ୟାରେ ହରିପୁର ଜିଲ୍ଲାସ୍ଥିତ ହତ୍ତର ଇଣ୍ଡଷ୍ଟ୍ରିଆଲ୍ ଏଷ୍ଟେଟରେ ଏକ ବୃହତ ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ ଘଟିଛି । ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗ୍ରାଣ୍ଡ ଟ୍ରଙ୍କ ରୋଡ୍ ନିକଟରେ ଥିବା ଏକ କାରଖାନା ପାଖ ଦେଇ ଯାଇଥିବା ଏହି ପାଇପଲାଇନରେ ହଠାତ୍ ଜୋରଦାର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳ ଥରି ଉଠିଥିଲା । ବିସ୍ଫୋରଣ ପରେ ପରେ ସେଠାରେ ସଙ୍ଗେ ସଙ୍ଗେ ନିଆଁ ବ୍ୟାପିଯାଇଥିଲା । ଏହି ନିଆଁ ଆଖି ପିଛୁଳାକେ ନିକଟରେ ଥିବା ଏକ ଘରକୁ ବ୍ୟାପି ଯାଇଥିଲା ।

ସୂଚନା ମୁତାବକ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କ ମଧ୍ୟରେ ଜଣେ ପୁରୁଷଙ୍କ ସମେତ ମହିଳା ଓ ଶିଶୁ ରହିଛନ୍ତି । ସେହିପରି ଉଦ୍ଧାରକାରୀ ଦଳ ନିଆଁ ଘେରରୁ ୪ ଜଣ ମହିଳା ଓ ୬ ଜଣ ଶିଶୁଙ୍କୁ ଜୀବନ୍ତ ଉଦ୍ଧାର କରିବାରେ ସଫଳ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ହରିପୁର ଡେପୁଟି କମିଶନର ୱାସିମ ଅହମ୍ମଦ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଧିକାଂଶ ଲୋକଙ୍କର ମୃତ୍ୟୁ ନିଆଁରେ ପୋଡ଼ିବା ଅପେକ୍ଷା ବିଷାକ୍ତ ଧୂଆଁ ଯୋଗୁଁ ଅଣନିଶ୍ୱାସୀ ହୋଇ ହୋଇଛି । ଗୁରୁତରମାନଙ୍କୁ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏହି ବିସ୍ଫୋରଣ କିଭଳି ଘଟିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପାଇପଲାଇନରେ ବୈଷୟିକ ତ୍ରୁଟି ଥିଲା ନା କୌଣସି ଅବହେଳା କାରଣରୁ ଏହି ବିଭୀଷିକା ଘଟିଲା, ସେ ନେଇ ପୋଲିସ ଓ ସ୍ୱତନ୍ତ୍ର ଟିମ୍ ଏବେ ତଦନ୍ତ ଜାରି ରଖିଛନ୍ତି । ପାକିସ୍ତାନର ପୁରୁଣା ଗ୍ୟାସ୍ ପାଇପଲାଇନ୍ ଏବଂ ଦୁର୍ବଳ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ସବୁଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ଏବେ ଆତଙ୍କ ଖେଳିଯାଇଛି