News7 Logo

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଆଲୋଚନା

NEWS7
MC Meeting

ପୁରୀ ୦୩।୦୯ : ମଙ୍ଗଳବାର ବସି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ବସିବ ଏହି ବୈଠକ । ନୂଆ ପରିଚାଳନା କମିଟି ଗଠନ ହେବା ପରେ ଏହା ପ୍ରଥମ ବୈଠକ ହେବାକୁ ଯାଉଥିବାରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିବ ଏହି ବୈଠକ।

ଦିନ ସାଢେ଼ ଦଶଟା ବେଳେ ନିଳାଦ୍ରୀ ଭକ୍ତ ନିବାସ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବେ। ଏଥିସହ ନୂତନ ଭାବେ ମନୋନୀତ ହୋଇଥିବା ପରିଚାଳନା କମିଟିର ସେବାୟତ ସଦସ୍ୟଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷ ବୈଠକରେ ଭାଗ ନେବେ‌। ବୈଠକରେ ନୂତନ ସଦସ୍ୟଙ୍କୁ ସ୍ବାଗତ, ନୂତନ ସବ କମିଟି ଗଠନ, ଗତ ମେ ୨୬ ତାରିଖରେ ଅନୁଷ୍ଠିତ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକର ବିବରଣୀ ପଠନ ଓ ଦୂଢିକରଣ ନେଇ ଆଲୋଚନା ହେବ।

ସେପଟେ ଆସନ୍ତା ୧୫ ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନେଇ ଆଜିର ବୈଠକରେ ନିଷ୍ପତ୍ତି ନିଆଯିବ। ରତ୍ନ ଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି ନେଇ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯିବ। ୨୦୨୪ ଅଗଷ୍ଟରେ ପରିଚାଳନା କମିଟିର ଅବଧି ପୂରିଯିବା ପରେ ନୂଆ ପରିଚାଳନା କମିଟି ଗଠନ ହୋଇନଥିଲା। ବିନା ପରିଚାଳନା କମିଟିରେ ମହାପ୍ରଭୁଙ୍କ ଚଳିତ ବର୍ଷ ରଥଯାତ୍ରା ଆୟୋଜନ ହୋଇଥିବା ବେଳେ ଏଥିରେ ବ୍ୟାପକ ବିଭ୍ରାଟ ଦେଖାଯାଇଥିଲା।

ସେହିପରି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ନିମନ୍ତେ ପରିଚାଳନା କମିଟିର ଅନୁମୋଦନ ନଥିବାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିନାହିଁ। ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ମହାପ୍ରଭୁଙ୍କର ସମସ୍ତ ରତ୍ନ ଅଳଙ୍କାର ରହିଛି। ଏହାର ଗଣତି ମଣତି ପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବା ସହ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ।

ତେବେ ଶ୍ରୀମନ୍ଦିର ନୂଆ ପରିଚାଳନା କମିଟି ଗଠନ ହୋଇ ସାରିଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ଠାରୁ ଆରମ୍ଭ କରି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଠିକରେ କାର୍ଯ୍ୟକାରୀ ହୋଇପାରିବ ବୋଲି ଆଜିର ବୈଠକରେ ଆଶା କରାଯାଉଛି। ତେବେ ଆସନ୍ତା ୭ ତାରିଖରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଛତିଶା ନିଯୋଗ ବୈଠକରେ ଅନୁମୋଦିତ ହୋଇଥିବା ନୀତି ନିର୍ଘଣ୍ଟ କୁ ଆଜିର ବୈଠକରେ ପାରିତ କରାଯିବ।