ଗୁଡୁର : ଚାଷୀଙ୍କ ପାଇଁ ଘରେ ଭୋଜି ଆୟୋଜନ ମହଙ୍ଗା ପଡିଲା। ତେଲେଙ୍ଗାନା ଗୁଡୁର ମଣ୍ଡଳସ୍ଥିତ ଜନୈକ ଗ୍ରାମୀଣଙ୍କ ଘରେ ଉତ୍ସବର ପରିବେଶ ସେତେବେଳେ ଫିକା ପଡିଯାଇଥିଲା ଯେତେବେଳେ ଭୋଜି ଖାଥିବା ବେଳେ ତାଙ୍କ ଗଳାରେ ମାଂସ ଖଣ୍ଡ ଅଟକି ଯାଇଥିଲା। ଏହି ଭୋଜନ ତାଙ୍କ ଲାଗି ଘାତକ ସାବ୍ୟସ୍ତ ହୋଇଛି। ରିପୋର୍ଟ ଅନୁସାରେ ମୃତକ ବନୋଥ ବିଚ୍ଛା ଘରେ ଦୁର୍ଗାମା ଉତ୍ସବ ଆୟୋଜନ କରିଥିଲେ। ଏଥି ପାଇଁ ସେ ଘରକୁ ବନ୍ଧୁ ବାନ୍ଧବ ମଧ୍ୟ ନିମନ୍ତ୍ରଣ କରିଥିଲେ। ତେବେ ଭୋଜି ଖାଇବା ବେଳେ ଅଘଟଣ ଘଟିଛି। ବିଛାଙ୍କୁ ପରସା ଯାଇଥିବା ମାଂସ ଭାତ ତାଙ୍କ ଗଳାରେ ଅଟକି ଯାଇଥିଲା।

ତାଙ୍କ ସହ ଏକାଠି ଭୋଜି ଖାଉଥିବା ଲୋକେ ଗଳାରେ ମାଂସ ଲାଗିଯାଇଥିବା ଜାଣିପାରି ତାଙ୍କୁ ସହାୟତା କରିବାକୁ ଚେଷ୍ଟା କରିଥିଲେ। ତେବେ ମାଂସ ଖଣ୍ଡ ନା ତଳକୁ ଯାଇଥିଲା ନା ବାହାରକୁ ବାହାରିଥିଲା। ଲୋକେ ତାଙ୍କୁ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅଚାନକ ହୋଇଥିବା ଏହି ଘଟଣା ଘରେ ଉତ୍ସବର ପରିବେଶକୁ ଫିକା କରିଦେଇଛି। ତାଙ୍କପତ୍ନୀ, ପିଲା ଓ ଘରକୁ ଆସିଥିବା ଅତିଥିମାନେ ତାଙ୍କ ପରଲୋକରେ ଶୋକ ପାଳନ କରୁଛନ୍ତି।

ବିଚ୍ଛା ପେଷାରେ ଜଣେ ଚାଷୀ ଓ ଚୈତ୍ରମାସ ମଙ୍ଗଳବାର ତାଙ୍କ ଘରେ ଦୁର୍ଗାମା ପୂଜା ଆୟୋଜନ ହୋଇଥିଲା। ଏହି ପୂଜାରେ ବଳିପଡିଥିବା ପଶୁ ମାଂସରେ ଭୋଜନ ପ୍ରସ୍ତୁତ ହୋଇଥିଲା ଓ ଭୋଜିକୁ ସାହି ପଡିଶାଙ୍କ ସହ ବନ୍ଧୁବାନ୍ଧବ ମଧ୍ୟ ଆମନ୍ତ୍ରିତ ହୋଇଥିଲେ। ପୂଜା ସରିବା ପରେ ସମସ୍ତେ ଏକତ୍ର ଭୋଜି ଖାଇବାକୁ ବସିଥିଲେ। ରୋଷେଇ ହୋଇଥିବା ସାମଗ୍ରୀ ସମସ୍ତଙ୍କୁ ପତ୍ରରେ ଦିଆଯାଇଥିଲା ଓ ସମସ୍ତେ ଖାଇବା ଆରମ୍ଭ କରିଥିଲେ। ଏଥିରେ ବିଚ୍ଛା ମଧ୍ୟ ଖାଇଥିଲେ। ତେବେ ଖାଇବା ଆରମ୍ଭ କରିବାର କିଛି ସମୟ ପରେ ବିଛା ମାଂସ ଢୋକି ଦେଇଥିଲେ ଯାହା ତାଙ୍କ ଗଳାରେ ଲାଗିଯାଇଥିଲା। ସେ ନିଶ୍ୱାସ ପ୍ରଶ୍ୱାସ ନେଇ ପାରିନଥିଲେ। ଏଣୁ ଭୋଜି ଖାଉଥିବା ଲୋକେ ତାଙ୍କୁ ସହାୟତା କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ଗୁଡୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ତାଙ୍କର ମୃତ୍ୟୁ ହୋଇଛି।