LIVE TV

ଅମିତ ଶାହଙ୍କୁ ମୀର ଜାଫର ସହ ତୁଳନା କଲେ ମମତା ବାନାର୍ଜୀ, ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ କ’ଣ?

NEWS7
Mamata Banarjee

କୋଲକାତା ୮।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ‘କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ’ଙ୍କ ଭଳି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଉପରେ ସବୁବେଳେ ଭରସା ନ କରିବାକୁ ପରାମର୍ଶ ଦେଇଛନ୍ତି। ମମତା ଶାହଙ୍କ ତୁଳନା ଅଷ୍ଟାଦଶ ଶତାବ୍ଦୀର ମୋଗଲ ସେନାପତି ମୀର ଜାଫର ସହ କରିଛନ୍ତି, ଯିଏ ପଲାସୀ ଯୁଦ୍ଧରେ ସିରାଜୁଦୌଲାଙ୍କୁ ଧୋକା ଦେଇଥିଲା।

ମମତା କହିଛନ୍ତି ଦିନେ ନା ଦିନେ ଶାହ ମୋଦିଙ୍କ ଲାଗି ନିଶ୍ଚିତ ମୀର ଜାଫର ହୋଇ ପାରନ୍ତି। ଦେଶରେ ଭୋଟରଲିଷ୍ଟ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ଶାହଙ୍କ ଇସାରାରେ ହେଉଥିବା ମମତା କହିଛନ୍ତି। ଏଣୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅମିତ ଶାହଙ୍କ ଉପରେ ଭରସା ନ କରିବାକୁ କହିପାରିବେ କି ବୋଲି କହିଛନ୍ତି। ଶାହ ଦିନେ ସବୁଠୁ ବଡ଼ ମୀରଜାଫର ସାବ୍ୟସ୍ତ ହେବେ ବୋଲି ମମତା ପ୍ରଧାନମନ୍ତ୍ରୀଙ୍କୁ ଆଗୁଆ ସତର୍କ କରିଛନ୍ତି। କହିଛନ୍ତି ଯେଉଁ ପର୍ଯ୍ୟନ୍ତ ସମୟ ଅଛି ସତର୍କ ହୁଅନ୍ତୁ, କାରଣ ସକାଳ ଜଣାଇ ଦିଏ ଦିନଟି କିପରି ହେବ। ମମତାଙ୍କ ଏହି ଟିପ୍ପଣୀ ସେତେବେଳେ ଆସିଛି ଯେତେବେଳେ ନିର୍ବାଚନ ଆୟୋଗ (ଇସି) ବିରୋଧୀ ଦଳଙ୍କ ଦ୍ୱାରା ଏସଆଇଆରକୁ ନେଇ ଦେଶରେ ତୀବ୍ର ସମାଲୋଚିତ ହେଉଛନ୍ତି।

ମମତା କହିଛନ୍ତି ଯେ ବିଜେପି ନେତା ବୈଠକ କରୁଛନ୍ତି ଓ ଏଠାକୁ ଆସି କହୁଛନ୍ତି ବେଙ୍ଗଲ ଭୋଟର ଲିଷ୍ଟରୁ ଲକ୍ଷଲକ୍ଷ ନାମ ହଟେଇ ଦେବେ। ତେବେ ମୋତେ ଆପଣ କୁହନ୍ତୁ ଏବେ ଆମେ ପ୍ରାକୃତିକ ବିପର୍ଯ୍ୟୟ,ଭୀଷଣ ବର୍ଷା ଓ ପର୍ବପର୍ବାଣୀରେ ଫଶିକି ଅଛୁ। ଏଭଳି ପରିସ୍ଥିତିରେ ଏସଆଇଆର ପ୍ରକ୍ରିୟା ରାଜ୍ୟରେ ଗୋଟିଏ ପକ୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଯିବକି? ଏହି ଅବଧିରେ ନୂଆ ଭୋଟରଙ୍କ ନାମ ମଧ୍ୟ ଅପଲୋଡ ହେବ, ଏହା ସମ୍ଭବକି ?

ଉଲ୍ଲେଖଯୋଗ୍ୟ ଯେ ଅମିତ ଶାହ ଗତ ଅଗଷ୍ଟ ମାସରେ କୋଲକାତା ଗସ୍ତ କରିଥିଲେ। ସେତେବେଳେ ସେ ପଶ୍ଚିମବଙ୍ଗ ବିଜେପି ନେତାଙ୍କ ସହ ବୈଠକ କରି ଏସଆଇଆର ଉପରେ ବିସ୍ତୃତ ଚର୍ଚ୍ଚା କରିଥିଲେ। ସେତେବେଳେ ରାଜ୍ୟ ବିଜେପି ଅଧ୍ୟକ୍ଷ ସମିକ ଭଟ୍ଟାଚାର୍ଯ୍ୟ କହିଥିଲେ ଯେ ଟିଏମସିର ଚିନ୍ତା ଯଦି ବେଙ୍ଗଲରେ ଏସଆଇଆର ଲାଗୁ ହେଲା ତେବେ ନିର୍ବାଚନ ଆୟୋଗ ନକଲୀ ଭୋଟରଙ୍କ ଉପରୁ ପର୍ଦ୍ଦା ହଟେଇ ଦେବେ। ପଶ୍ଚିମବଙ୍ଗରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବ। ତେବେ ତା ପୂର୍ବରୁ ରାଜ୍ୟରେ ରାଜନୈତିକ ଉତ୍ତେଜନା ବଢିବାରେ ଲାଗିଛି। ମମତା ଏହି ଟିପ୍ପଣୀ ଆଜି ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି କୋଲକାତା ଫେରିବା ପରେ ଦେଇଛନ୍ତି।