LIVE TV

ମାଲେଗାଓଁ ବିସ୍ଫୋରଣ ମାମଲାରେ ନିର୍ଦ୍ଦୋଷ, ୧୭ ବର୍ଷ ପରେ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କୁ ମିଳିଲା ପଦୋନ୍ନତି

NEWS7
purohit

ନୂଆଦିଲ୍ଲୀ: ମାଲେଗାଓଁ ବିସ୍ଫୋରଣ ମାମଲାରେ କୋର୍ଟ ଦ୍ୱାରା ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କୁ ୧୭ ବର୍ଷ ପରେ ଦୀର୍ଘ ଅପେକ୍ଷା ପରେ ପଦୋନ୍ନତି ମିଳିଛି । ଏହି ପଦୋନ୍ନତି ସହିତ, ସେ ଏବେ ଫୁଲ୍ କର୍ଣ୍ଣେଲ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୩୧ରେ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ କର୍ଣ୍ଣେଲ ପୁରୋହିତ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦ରୁ ଅଧିକ ଆହତ ହୋଇଥିଲେ ।

କର୍ଣ୍ଣେଲ ପୁରୋହିତ ମାଲେଗାଓଁ ବିସ୍ଫୋରଣ ମାମଲାରେ ନଅ ବର୍ଷ ଜେଲରେ ବିତାଇଥିଲେ। ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଫସାଇ ଦିଆଯାଇଛି ବୋଲି ସୁପ୍ରିମକୋର୍ଟରେ କହିଥିଲେ । କର୍ଣ୍ଣେଲ ପୁରୋହିତଙ୍କୁ ୧୯୯୪ ମସିହାରେ ମରାଠା ଲାଇଟ୍ ଇନଫାଣ୍ଟ୍ରିରେ କମିଶନ କରାଯାଇଥିଲା । ବିଜେପି ସାଂସଦ ଗିରିରାଜ ସିଂହ କର୍ଣ୍ଣେଲ ପୁରୋହିତଙ୍କ ପଦୋନ୍ନତି ସହ ଜଡ଼ିତ ଏକ ଫଟୋ ଏକ୍ସରେ ପୋଷ୍ଟ କରିଛନ୍ତି ।

ମାଲେଗାଓଁ ବିସ୍ଫୋରଣ ମାମଲାରେ କୋର୍ଟଙ୍କ ରାୟରେ କର୍ଣ୍ଣେଲ ପୁରୋହିତ ନିର୍ଦ୍ଦୋଷ ହୋଇଥିଲେ । ଏହାପରେ ସେନା ଗତ ୧୬ ବର୍ଷ ଧରି ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ କ୍ୟାରିୟର ଉପରେ ଲାଗୁ ହୋଇଥିବା ଡିସିପ୍ଲିନ ଆଣ୍ଡ ଭିଜିଲାନ୍ସ (DV) ପ୍ରତିବନ୍ଧକକୁ ଉଠାଇ ଦେଇଛି । ସେନା ସୂତ୍ର ଅନୁଯାୟୀ, କଟକଣା ଉଠାଇବା ପାଇଁ ଫାଇଲକୁ ଦକ୍ଷିଣ କମାଣ୍ଡକୁ ପଠାଯାଇଥିଲା । ଯେଉଁଠି ତାଙ୍କ ପଦୋନ୍ନତି ଏବଂ ଅନ୍ୟାନ୍ୟ ସେବା ଅଧିକାରକୁ ପୁନଃସ୍ଥାପିତ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା । 

ସେନା ଆଇନ ଅନୁଯାୟୀ, ଡିଭି ବ୍ୟାନ୍ ଲାଗୁ ହେବା ପରେ ଜଣେ ଅଧିକାରୀଙ୍କ ନାମ ପଦୋନ୍ନତି ବୋର୍ଡରେ ଅନ୍ତର୍ଭୁକ୍ତ ହୁଏ ନାହିଁ । ଏହି କାରଣରୁ, କର୍ଣ୍ଣେଲ ପଦବୀ ପାଇଁ ଯୋଗ୍ୟ ହେବା ପରେ ବି ତାଙ୍କ ନାମ କେବେ ବୋର୍ଡରେ ନଥିଲା । ତା'ପରେ ଫାଇଲ୍ ଦକ୍ଷିଣ କମାଣ୍ଡରୁ ଦିଲ୍ଲୀ ସେନା ମୁଖ୍ୟାଳୟରେ ପହଞ୍ଚିଥିଲା । ସେଠାରେ ଶୀର୍ଷ ସ୍ତରରେ ଡିକ୍ଲାସିଫିକେସନ୍ ଏବଂ ଆଇନଗତ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ପରେ, ଏକ ସ୍ୱତନ୍ତ୍ର ବୋର୍ଡ ତାଙ୍କର ପୂର୍ବ ପଦୋନ୍ନତି ମୂଲ୍ୟାଙ୍କନ ସମୀକ୍ଷା କରି ତାଙ୍କୁ କର୍ଣ୍ଣେଲ ପଦବୀରେ ପଦୋନ୍ନତି ଦେବା ପାଇଁ ନିଷ୍ପତ୍ତି ନେଇଥିଲା ।