ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ HLCAର ୪୬ତମ ବୈଠକରେ ୧୫ଟି ଜିଲ୍ଲାରେ ସମୁଦାୟ ୨,୪୭,୧୧୫.୭୦ କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ବନ୍ଧୀୟ ୨୭ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରାଯିବା ସହିତ ଓଡ଼ିଶାର ପୁଞ୍ଜିନିବେଶ ପାଇପଲାଇନରେ ଏକ ବଡ଼ ସମ୍ପ୍ରସାରଣ ଘଟିଛି।

ଏହି ପ୍ରକଳ୍ପଗୁଡ଼ିକରେ ୫୦,୧୬୨ଟି ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ଶିଳ୍ପ କ୍ଷେତ୍ରକୁ ଏହି ନିବେଶ ଆସିଛି । ଏଥିରେ ଡାଟା ସେଣ୍ଟର ଏବଂ ଏଆଇ, ଶକ୍ତି ଓ ଇସ୍ପାତ, ସେମିକଣ୍ଡକ୍ଟର, ସବୁଜ ଶକ୍ତି, ଲାବୋରେଟୋରୀରେ ପ୍ରସ୍ତୁତ ହୀରା (ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ), ସବୁଜ ହାଇଡ୍ରୋଜେନ୍, ସ୍ୱାସ୍ଥ୍ୟସେବା, ରାସାୟନିକ ପଦାର୍ଥ, ବୟନଶିଳ୍ପ, ଜାହାଜ ନିର୍ମାଣ ଏବଂ ଉନ୍ନତ ଉତ୍ପାଦନ ଭଳି କ୍ଷେତ୍ରରେ ପୁଞ୍ଜିନିବେଶ ସାମିଲ ରହିଛି। ଏହାଦ୍ୱାରା ଶିଳ୍ପାୟନ କ୍ଷେତ୍ରରେ ବିବିଧତାର ଲକ୍ଷ୍ୟ ପୂରଣ ହେବାର ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି ।

୪୬ତମ ଏଚ୍.ଏଲ୍.ସି.ଏ. ଅଧୀନରେ ଅନୁମୋଦିତ ୨୭ଟି ପ୍ରକଳ୍ପ ଅନୁଗୋଳ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ପୁରୀ, ରାୟଗଡ଼ା ଏବଂ ସୁନ୍ଦରଗଡ଼ ଭଳି ୧୫ଟି ଜିଲ୍ଲାରେ ସ୍ଥାପନ କରାଯିବ ।

୪୬ତମ ଏଚ୍.ଏଲ୍.ସି.ଏ. ଅନୁମୋଦନଗୁଡ଼ିକର ଏକ ମହତ୍ତ୍ୱପୂର୍ଣ୍ଣ ବିଶେଷତା ହେଉଛି ଆଇ.ଟି., ଆଇ.ଟି.ଇ.ଏସ୍. ଏବଂ ଡାଟା ସେଣ୍ଟରରେ ପ୍ରସ୍ତାବିତ ବ୍ୟାପକ ପରିମାଣର ପୁଞ୍ଜିନିବେଶ। କେବଳ ଏହି କ୍ଷେତ୍ରର ଚାରୋଟି ପ୍ରକଳ୍ପ ପ୍ରାୟ ୧,୪୨,୯୪୧ କୋଟି ଟଙ୍କାର ମିଳିତ ପୁଞ୍ଜିନିବେଶ ଅନୁମୋଦିତ ହୋଇଛି ।

ଡିଜିଟାଲ କ୍ଷେତ୍ରରେ ଅନୁମୋଦିତ ହୋଇଥିବା ନିବେଶ ମଧ୍ୟରୁ ହାଇ ଡେନ୍ସିଟି ଡାଟାସେଣ୍ଟର୍ ଲିମିଟେଡ୍ ଖୋର୍ଦ୍ଧାରେ ଏକ ସମନ୍ୱିତ ଡାଟାସେଣ୍ଟର୍ ପ୍ରତିଷ୍ଠା କରିବ, ଯେଉଁଥିରେ ୧,୦୪,୫୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୧,୦୦୦ ଜଣଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି ହେବ। ଏଚ୍.ସି.ଏଲ୍. ଟେକ୍ନୋଲୋଜିଜ୍ ଲିମିଟେଡ୍ ଖୋର୍ଦ୍ଧାରେ ୧୪,୨୫୭ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ଏକ ଏଆଇ-ଅପ୍ଟିମାଇଜ୍ଡ଼ ଡାଟା ସେଣ୍ଟର ପ୍ରତିଷ୍ଠା କରିବ, ଯାହା ୩୮୫ ଜଣଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି କରିବ। ପୁରୀରେ ସେଣ୍ଟ୍ରାଫର୍ଜ ଏଆଇ ଲିମିଟେଡ୍ ୨୨,୬୩୪ କୋଟି ଟଙ୍କା ପୁଞ୍ଜିନିବେଶ ଏବଂ ୨,୩୨୦ ଜଣଙ୍କ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି କ୍ଷମତା ସହିତ ଏକ ଏଆଇ ଡାଟା ସେଣ୍ଟର ଏବଂ ଏକ ଗ୍ଲୋବାଲ୍ କାପାବିଲିଟି ସେଣ୍ଟର ପ୍ରତିଷ୍ଠା କରିବ। ଆର୍.କେ.ଡି. କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ କଟକରେ ୧,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ ଏବଂ ୨୨୦ ଜଣଙ୍କ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି କ୍ଷମତା ସହିତ ଏକ ଡାଟା ସେଣ୍ଟର ପ୍ରତିଷ୍ଠା କରିବ।