ୱାସିଂଟନ: ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମୀର ଜେଲେନସ୍କି ପୁଣି ଥରେ ଋଷିଆରୁ ଅଶୋଧିତ ତୈଳ କ୍ରୟ ପାଇଁ ଭାରତ ଓ ଚୀନ୍ ଭଳି ଦେଶଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଋଷିଆର ପୁରା ଅର୍ଥ ବ୍ୟବସ୍ଥା ଏହି ଦୁଇ ଦେଶଙ୍କ ତୈଳ କିଣା ଉପରେ ନିର୍ଭର କରୁଛି। ଏଥିରେ ଯଦି ଭାରତ ଓ ଚୀନ୍ ତୈଳ କ୍ରୟ ବନ୍ଦ କରିଦିଅନ୍ତି ତେବେ ଯୁଦ୍ଧ ରୋକିବାକୁ ଋଷିଆ ବାଧ୍ୟ ହେବ। ମିଳିତ ଜାତିସଂଘ ସାଧାରଣ ସଭାରେ ଯୋଗ ଦେବାକୁ ଆମେରିକା ପହଞ୍ଚିଥିବା ଜେଲେନସ୍କି ୱାସିଂଟନ ଜର୍ଣ୍ଣାଲକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି।

ସେ କହିଛନ୍ତି ଯେ ଗତ କିଛି ବର୍ଷ ହେଲା ଚାଲିଥିବା ଯୁଦ୍ଧ ଏବେ ବନ୍ଦ ହେବା ଆବଶ୍ୟକ। ଋଷିଆର ଅର୍ଥନୀତି ଭାରତ, ଚୀନ୍ ଓ କେତେକାଂଶରେ ତୁର୍କିଏ ଉପରେ ନିର୍ଭର କରେ। ଯଦି ଏହି ଦେଶମାନେ ଋଷିଆରୁ ସେମାନଙ୍କ ଇନ୍ଧନ ଆମଦାନୀ ବନ୍ଦ କରିଦିଅନ୍ତି ତେବେ ଯୁଦ୍ଧ ଆପେ ଆପେ ସମାପ୍ତ ହୋଇଯିବ। ତୁର୍କିଏ ମଧ୍ୟ ଋଷିଆ ତୈଳର ଏକ ବଡ଼ କ୍ରେତା। ହେଲେ ବ୍ଲାକ୍ ସି ଉପରେ ଆକ୍ରମଣ ଯୋଗୁ ତାର ଯୋଗାଣ ରେଖା ଉପରେ ପ୍ରଭାବ ପଡିଛି। ଏହା ସହିତ ଜେଲେନସ୍କି ଆମେରିକାର ନୂଆ ଆଇନକୁ ସ୍ୱାଗତ କରିଛନ୍ତି। ଆମେରିକାରେ ଲିଣ୍ଡସେ ଗ୍ରାହାମ ବିଲ୍ ଗୃହୀତ ହୋଇଯାଇଛି। ଏହି ବିଲରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱାକ୍ଷର କରିଛନ୍ତି।

ଏହି ଆଇନ ଅନୁସାରେ ଋଷିଆ ଏବଂ ଇରାନରୁ ତୈଳ ଓ ଗ୍ୟାସ୍ ଆମଦାନୀ କରୁଥିବା ଦେଶଙ୍କ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ ଅଧିକାର ମିଳିବ । ଏଥିପାଇଁ ଜେଲେନସ୍କି ଆମେରିକା ସଂସଦ ଓ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସୋସିଆଲ ମିଡିଆରେ ଏହା ଉପଯୁକ୍ତ ପଦକ୍ଷେପ ଓ ଏହା ଦ୍ୱାରା ଶାନ୍ତି ପାଖେଇ ଆସିବ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଭାରତ, ଚୀନ୍, ସ୍ଲୋଭାକିଆ,ହଙ୍ଗେରୀ ଓ ଆଜାରବାଇଜାନ ଭଳି ଦେଶ ଏବେବି ଋଷିଆରୁ ତୈଳ କ୍ରୟ କରୁଛନ୍ତି।

ତେବେ ଭାରତ ଋଷିଆ ତୈଳ କ୍ରୟ ବନ୍ଦ କରିବନି ବୋଲି ପ୍ରଥମରୁ ସ୍ପଷ୍ଟ କରିସାରିଛି। ଭାରତ ସରକାର କହିଛନ୍ତି ଯେ ଆମେ ନାଗରିକଙ୍କ ହୀତ ପାଇଁ ତୈଳ କ୍ରୟ କରିବୁ ଓ ବଜାର ଦର ଉପରେ ନିଷ୍ପତ୍ତି ନେବୁ। କୁହାଯାଉଛି ଜେଲେନସ୍କି ଏପରି ସମୟରେ ଆମେରିକା ପହଞ୍ଚିଛନ୍ତି ଯେତେବେଳେ ମାତ୍ର କିଛି ଦିନ ପୂର୍ବରୁ ୟୁକ୍ରେନ ଋଷିଆର ରିଫାଇନାରୀ ଓ ରାଜଧାନୀ ମସ୍କୋ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲା। ଏହାକୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି।