ମୁମ୍ବାଇ: ମହାରାଷ୍ଟ୍ର ସରକାର ସ୍କୁଲ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ ଏବେ ସ୍କୁଲ ପରିସର ଏବଂ ତାର ଆଖପାଖ ଅଞ୍ଚଳରେ ଲୋକପ୍ରିୟ ଏନର୍ଜି ଡ୍ରିଙ୍କ୍ 'ଷ୍ଟିଙ୍ଗ୍' ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସମସ୍ତ ସ୍କୁଲ ପରିସର ଭିତରେ 'ଷ୍ଟିଙ୍ଗ୍' ଏନର୍ଜି ଡ୍ରିଙ୍କ୍ ବିକ୍ରି ହୋଇପାରିବ ନାହିଁ। ଏହା ସହିତ ସ୍କୁଲର ୫୦୦ ମିଟର ପରିଧି ମଧ୍ୟରେ ଥିବା କୌଣସି ଦୋକାନ, କ୍ୟାଣ୍ଟିନ୍ କିମ୍ବା ଷ୍ଟଲରେ ମଧ୍ୟ ଏହି ପାନୀୟ ବିକ୍ରି କରିବା ଉପରେ କଡ଼ା ପ୍ରତିବନ୍ଧକ ଲଗାଯାଇଛି।

ରାଜ୍ୟର ଖାଦ୍ୟ ଏବଂ ଔଷଧ ପ୍ରଶାସନ ବିଭାଗ ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିସାରିଛି। ଛୋଟ ପିଲା ଏବଂ କିଶୋରମାନଙ୍କ ମଧ୍ୟରେ ଏହି ଏନର୍ଜି ଡ୍ରିଙ୍କ୍‌ର ଚାହିଦା ବା ଲୋକପ୍ରିୟତା ବହୁତ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଇଛନ୍ତି।

ଷ୍ଟିଙ୍ଗ୍ ଏନର୍ଜି ଡ୍ରିଙ୍କରେ ପ୍ରଚୁର ପରିମାଣରେ କ୍ୟାଫିନ୍ ରହିଥାଏ, ଯାହା ବଢୁଥିବା ପିଲାମାନଙ୍କ ମାନସିକ ଓ ଶାରୀରିକ ବିକାଶ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହା ଦ୍ୱାରା ପିଲାଙ୍କ ନିଦ୍ରାହୀନତା ଏବଂ ଚିଡ଼ିଚିଡ଼ାପଣ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏଥିରେ ବହୁତ ଅଧିକ ପରିମାଣରେ ଚିନି ବ୍ୟବହାର କରାଯାଏ। ଏହାକୁ ନିୟମିତ ପିଇବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ମେଦବହୁଳତା , ଦାନ୍ତ ନଷ୍ଟ ହେବା ଏବଂ ଅଳ୍ପ ବୟସରେ ମଧୁମେହ ଭଳି ସମସ୍ୟା ଦେଖାଦେବାର ବିପଦ ରହିଛି।

କ୍ୟାଫିନ୍ ଏବଂ ଅନ୍ୟାନ୍ୟ ଉତ୍ତେଜକ ଉପାଦାନ ଯୋଗୁଁ କୋମଳମତି ପିଲାଙ୍କ ହୃଦସ୍ପନ୍ଦନ ଏବଂ ରକ୍ତଚାପ ହଠାତ୍ ବଢ଼ିଯାଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ମହାରାଷ୍ଟ୍ର FDA ସମସ୍ତ ଜିଲ୍ଲା ଅଧିକାରୀ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ସ୍କୁଲ୍ ଆଖପାଖରେ ଥିବା ଦୋକାନଗୁଡ଼ିକ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି। ଯଦି କୌଣସି ଦୋକାନୀ ସ୍କୁଲର ୫୦୦ ମିଟର ଦୂରତା ମଧ୍ୟରେ 'ଷ୍ଟିଙ୍ଗ୍' ବିକ୍ରି କରୁଥିବା ନେଇ ଧରାପଡ଼ନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ ଏହି ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ପଦକ୍ଷେପକୁ ଅଭିଭାବକ ଏବଂ ଶିକ୍ଷାବିତମାନେ ବେଶ୍ ପ୍ରଶଂସା କରିଛନ୍ତି ।