IPL 2026: ରବୀନ୍ଦ୍ର ଜାଡ଼େଜାଙ୍କ ଗୁରୁତ୍ଵପୂର୍ଣ୍ଣ ଇନିଂସ ପରେ ବୋଲରଙ୍କ ଘାତକ ବୋଲିଂ। ଆଇପିଏଲ୍ ୨୦୨୬ର ୩୨ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଲୋ ସ୍କୋରିଂ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ତାରି ଘରେ ୪୦ ରନରେ ମାତ୍ ଦେଇଛି। ଗୋଟିଏ ପ୍ରକାର କହିବାକୁ ଗଲେ ଲକ୍ଷ୍ନୌ ବ୍ୟାଟର ରାଜସ୍ଥାନ ବୋଲରଙ୍କ ସାମ୍ନାରେ ଆତ୍ମ ସମର୍ପଣ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ଜାଡ଼େଜାଙ୍କ ୬ ଓ୍ଵିକେଟ୍ ହରାଇ ୧୫୯ ରନ କରିଥିଲା। ଜବାବରେ ଲକ୍ଷ୍ନୌ ୧୮ ଓଭରରେ ୧୧୯ ରନରେ ଅଲଆଉଟ୍ ହୋଇଛି। ମିଚେଲ୍ ମାର୍ଶ(୫୫)ଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନାହାନ୍ତି। ପଞ୍ଚମ ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ଦ୍ଵିତୀୟକୁ ଉଠିଛି। ପଞ୍ଚମ ପରାଜୟ ସହ ଲକ୍ଷ୍ନୌ ନବମକୁ ଖସିଛି।

୧୬୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଲକ୍ଷ୍ନୌ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ମିଚେଲ୍ ମାର୍ଶଙ୍କୁ ବାଦ୍ ଦେଲେ ବାକି ବ୍ୟାଟର ରାଜସ୍ଥାନ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲେ। ବ୍ୟାଟର କେବଲ ହାଜିରା ପକାଇ ପାଭିଲିୟନ ଫେରୁଥିବା ଦେଖିବାକୁ ମିଳିଛି। ଏପରିକି ଆୟୁଷ ବାଦୋନି, ଅଧିନାୟକ ଋଷଭ ପନ୍ତ ଓ ଆଡନ ମାରକ୍ରମ ଖାତା ଖୋଲି ପାରି ନ ଥିଲେ। ନିକୋଲାସ ପୂରନ ୨୨ ତନ ଓ ହିମନ୍ତ ସିଂ ୧୫ ରନ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ। ମୁକୁଲ ଚୌଧୁରୀ(୭ ରନ) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ।

ଶେଷରେ ଲକ୍ଷ୍ନୌ ୧୮ ଓଭରରେ ୧୧୯ ରନରେ ଅଲଆଉଟ୍ ହୋଇଛି। ବୋଲିଂରେ  ଜୋଫ୍ରା ଆର୍ଚର ୪ ଓଭରରେ ୨୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ନାନ୍ଦ୍ରେ ବର୍ଗର ୨୭ ରନ ଦେଇ ୨ଟି ଓ ବ୍ରିଜେଶ ଶର୍ମା ୧୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ରାଜସ୍ଥାନ ନିଜର ଖ୍ୟାତି ଅନୁସାରେ ବ୍ୟାଟିଂ କରି ପାରି ନ ଥିଲା। ଜାଡ଼େଜା ୨୯ ବଲରୁ ୪୩ ରନ କରିବାରୁ ୬ ଓ୍ଵିକେଟ୍ ହରାଇ ୧୫୯ ରନ କରିଥିଲା। ଯଶସ୍ଵୀ ଜୟସ୍ଵାଲ ୨୨ ରନ କରିଥିବା ବେଳେ ବୈଭବ ୮ ରନ କରିଥିଲେ। ରିୟାନ ପରାଗ ୨୦ ରନ, ସିମରନ ହେଟମାୟର ୨୨ ରନ, ଡୋନୋଭାନ ଫେରେରା ୨୦ ରନ ଓ ଶିବମ ଦୁବେ ୧୯ ରନ କରିଥିଲେ।