ନୂଆଦିଲ୍ଲୀ:ଭାରତର ରାଷ୍ଟ୍ରଗୀତ ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସଂସଦର ଶୀତକାଳୀନ ଅଧିବେଶନରେ ସ୍ୱତନ୍ତ୍ର ଚର୍ଚ୍ଚା କରାଯିବ । ଲୋକସଭାରେ ଚଳିତ ସପ୍ତାହ ଗୁରୁବାର କିମ୍ୱା ଶୁକ୍ରବାର ଏହି ଆଲୋଚନା ହୋଇପାରେ । ଏଥିପାଇଁ ୧୦ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସ୍ୱତନ୍ତ୍ର ଆଲୋଚନାରେ ଭାଗ ନେଇପାରନ୍ତି । ଏହି ଆଲୋଚନା ସ୍ୱାଧୀନତା ସଂଗ୍ରାମର ଏହି ପ୍ରେରଣାଦାୟୀ ଗୀତର ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱକୁ ରେଖାଙ୍କିତ କରିବ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ନଭେମ୍ୱର ୩୦ରେ ହୋଇଥିବା ସର୍ବଦଳୀୟ ବୈଠକ ଓ ଲୋକସଭା ଏବଂ ରାଜ୍ୟସଭାର ବିଜନେସ୍ ଆଡଭାଇଜରୀ କମିଟି (ବିଏସି)ର ବୈଠକରେ ଏହି ପ୍ରସ୍ତାବ ଉପରେ ସହମତି ହୋଇଛି । ରାଜ୍ୟସଭାରେ ଶାସକ ଦଳର ସଦସ୍ୟ ଏଥିପାଇଁ ଜୋରଦାର ଓକିଲାତି କରିଛନ୍ତି । ସରକାର ଏହାକୁ ରାଷ୍ଟ୍ରୀୟ ଏକତାର ପ୍ରତୀକ ଦର୍ଶାଇ ସବୁ ଦଳକୁ ଏଥିରେ ଭାଗ ନେବା ପାଇଁ ଆମନ୍ତ୍ରଣ କରିଛନ୍ତି ।

"ବନ୍ଦେ ମାତରମ୍"କୁ ୧୯୫୦ ମସିହାରେ ଭାରତର ଜାତୀୟ ଗୀତ ଭାବରେ ଗ୍ରହଣ କରାଯାଇଥିଲା ୧୮୭୦ ଦଶକରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ବଙ୍ଗଳାରେ ଲେଖାଯାଇଥିଲା । ଏହି ଗୀତଟି ୧୮୮୨ ମସିହାରେ ପ୍ରଥମ ଥର ପ୍ରକାଶିତ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ବଙ୍ଗଳା ଉପନ୍ୟାସ "ଆନନ୍ଦମଠ"ର ଅଂଶ । ଏହି ଗୀତଟି ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ପାଇଁ ପ୍ରେରଣାର ଏକ ପ୍ରମୁଖ ଉତ୍ସ ପାଲଟିଥିଲା। ଗୀତ ରଚନାର ୧୫୦ତମ ବାର୍ଷିକୀ ପାଳନ କରିବା ପାଇଁକେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଜାରି କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ "ବନ୍ଦେ ମାତରମ୍"କୁ ସ୍ୱାଧୀନତା ସଂଗ୍ରାମର ଏକ ଅମର ଐତିହ୍ୟ ବୋଲି କହିଥିଲେ