ପ୍ରୟାଗରାଜ, ୨୯/୧୦ : ଜଣେ ଅଭିବକ୍ତାଙ୍କୁ ଅପମାନିତ ଅଭିଯୋଗରେ ଆହ୍ଲାବାଦ ହାଇକୋର୍ଟରେ ଓକିଲମାନେ ବୁଧବାର ସାଂଘାତିକ ହଟ୍ଟଗୋଳ କରିଛନ୍ତି। ଜଷ୍ଟିସ୍ ଅଜୟ ଭାନୋଟଙ୍କ ଅଦାଲତ ବର୍ଜନ କରିବାକୁ ଧମକ ଦିଆଯିବାର ଦିନକ ପରେ କୋର୍ଟ ରୁମ୍ରେ ବିଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇଥିଲା। ଓକିଲମାନଙ୍କ ବିରୋଧ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥିଲା ଏବଂ ସେମାନେ ବିଚାରପତିଙ୍କ ଆସନ ଆଡ଼କୁ ଚେୟାର ଫଙ୍ଗିଥିଲେ।

ବାର୍ ଆସୋସିଏସନ ପକ୍ଷରୁ ମଙ୍ଗଳବାର ଅଭିଯୋଗ କରାଯାଇଥିଲା ଯେ, ଓକିଲଙ୍କୁ ଜଷ୍ଟିସ ଭାନୋଟ ଜଣେ ପୋଲିସ ଅଧୀକ୍ଷକଙ୍କୁ କ୍ଷମା ମାଗିବା ପାଇଁ ବାଧ୍ୟ କରିଥିଲେ। ସାଧାରଣତଃ ଓକିଲମାନଙ୍କ ପାଇଁ ସଂରକ୍ଷିତ ଥିବା ଧାଡ଼ିରେ ଏସପି ବସିବା ଉପରେ ସମ୍ପୃକ୍ତ ଓକିଲ ଜଣକ ଆପତ୍ତି ଉଠାଇଥିଲେ। ଓକିଲ ଜଣକ ଏସପିଙ୍କୁ ପଛରେ ତାଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍ରେ ବସିବା ପାଇଁ କହିଥିଲେ । ଏ ନେଇ ଏସପି ଜଣକ ଜଷ୍ଟିସ୍ ଭନୋଟଙ୍କୁ ଜଣାଇଥିଲେ। ପରେ ଜଷ୍ଟିସ୍ ଭାନୋଟ ସମ୍ପୃକ୍ତ ଅଭିବକ୍ତାଙ୍କୁ ଜେଲ୍ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।

Also Read :- ଆସୁଛି ଆଉ ଏକ ବାତ୍ୟା ! ଏଥର ଓଡ଼ିଶା-ପଶ୍ଚିମବଙ୍ଗକୁ ବେଶି ବିପଦ

ଏହାକୁ ହାକୁ ବାର୍ ଆସୋସିଏସନ ପକ୍ଷରୁ ବିରୋଧ କରାଯାଇଥିଲା । ଆଇନଜୀବୀଙ୍କ ପ୍ରତି ଏହା ଅପମାନ ଏବଂ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଓକିଲମାନେ ଜଷ୍ଟିସ୍ ଭାନୋଟଙ୍କ ଅଦାଲତ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ।

ବୁଧବାର ଦିନ ଅଦାଲତ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅନେକ ଓକିଲ ଜଷ୍ଟିସ ଭାନୋଟଙ୍କ କୋର୍ଟ ରୁମ୍ ବାହାରେ ନାରାବାଜି କରିଥିଲେ ଏବଂ ବିଚାରପତିଙ୍କ ଆସନ ଆଡ଼କୁ ବିଭିନ୍ନ ସାମଗ୍ରୀ ଫିଙ୍ଗିଥିଲେ । ତେବେ ବିଚାରପତିମାନେ ସେହି ସମୟରେ ସେଠାରେ ନ ଥିଲେ ।

ଅନ୍ୟପକ୍ଷରେ ହାଇକୋର୍ଟ ପରିସରରେ ନାରାବାଜି କରି ଅଦାଲତଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଓକିଲଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଅବମାନନା ଏବଂ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜଷ୍ଟିସ୍ ଅରୁଣ କୁମାର ସିଂ ଦେଶଓ୍ବାଲ ଆଦେଶ ଦେଇଛନ୍ତି।