ଭୁବନେଶ୍ବର ୧୧୧:ଦିଲ୍ଲୀ ଲାଲ୍କିଲ୍ଲା ନିକଟରେ ବିସ୍ଫୋରଣ ପରେ ଓଡ଼ିଶାରେ ହାଇ ଆଲର୍ଟ । ପୋଲିସ ବିଭାଗ ସହ ଆଲୋଚନା କରି ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଭାବରେ ସୁରକ୍ଷାକୁ ଅଧିକ ମାତ୍ରାରେ ବୃଦ୍ଧି କରାଯାଇଛି । ରାଜ୍ୟର ସମସ୍ତ ରେଲୱେ ଷ୍ଟେସନ, ବିମାନବନ୍ଦରରେ ମଧ୍ୟ ସୁରକ୍ଷାକୁ ବୃଦ୍ଧି କରାଯାଇଛି । ସମସ୍ତ ପର୍ଯ୍ୟଟନସ୍ଥଳୀ ଏବଂ ସ୍ଥପତି ନିକଟରେ ମଧ୍ୟ ସୁରକ୍ଷାକୁ ବଢ଼ାଯିବ । ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଚେକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ଉପରେ ବିପଦ ନାହିଁ, ଆମେମାନେ ସୁରକ୍ଷିତ ଅଛୁ । ସମସ୍ତ ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଦିଲ୍ଲୀ ବିସ୍ଫୋରଣ ପରେ ଦେଶରେ ହାଇଆର୍ଲଟ । ଓଡ଼ିଶାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା । ଏନେଇ ପୋଲିସ ଡିଜି ଏବଂ ଏଡିଜିଙ୍କ ମଧ୍ୟରେ ଆଲୋଚନା ହୋଇଛି । ଭୁବନେଶ୍ୱର ବିମାନ ବନ୍ଦର ସହ ରାଜ୍ୟରେ ଥିବା ବିଭିନ୍ନ ଏୟାରଷ୍ଟ୍ରିପ ଏବଂ ରେଳ ଷ୍ଟେସନରେ ହାଇଆଲର୍ଟ । ଟର୍ମିନାଲ ଏବଂ ଷ୍ଟେସନର ଭିତରେ ଓ ବାହାରେ ସୁରକ୍ଷା କର୍ମୀ ଆଲର୍ଟ ଅଛନ୍ତି । ସନ୍ଧାନୀ କୁକୁର ଏବଂ ମେଟାଲ ଡିଟେକ୍ଟର ଦ୍ବାରା ସନ୍ଦିଗ୍ଧଙ୍କ ଉପରେ ନଜର ରହିଛି । ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ସିକ୍ୟୁରିଟି ଆରେଞ୍ଜମେଣ୍ଟକୁ ବଢାଇ ଦିଆଯାଇଛି । ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ ।

କଟକ ବାଲିଯାତ୍ରା ସମେତ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ରାତିରେ ବିଭିନ୍ନ ଜୋନ୍ ଏସିପି ଓ ଥାନା ଅଧିକାରୀଙ୍କୁ ନେଇ କଡାକଡି ଚାଲିଛି କନଭେ ପାଟ୍ରୋଲିଂ । ରାଜ୍ୟର ଜଳପଥ ଓ ସ୍ଥଳପଥ ସୀମାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ଜାରି ରହିଛି । ବିଶେଷ କରି ସବୁ ସହରର ଏଣ୍ଟ୍ରି ଏବଂ ଏଗଜିଟ୍ ପଏଣ୍ଟରେ ଚାଲିଛି ନାଇଟ୍ ବ୍ଲକିଂ ଚେକିଂ କରାଯାଉଛି । ବିଭିନ୍ନ ହୋଟେଲ ଗୁଡିକ ଯାଞ୍ଚ ପାଇଁ ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲରେ ରହୁଥିବା ସମସ୍ତ ଲୋକଙ୍କ ତଥ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷା ଦାୟିତ୍ୱରେ ଏସଟିଜି, ଏସଟିୟୁ, ଅର୍ଦ୍ଧସାମରିକ ବଳ ଏବଂ ପୋଲିସ ସମେତ ଗୁଇନ୍ଦା ବିଭାଗକୁ ସଜାଗ କରାଯାଇଛି ।

ସେପଟେ ଚିହ୍ନଟ କରାଯାଇଥିବା ସମ୍ବେଦନଶୀଳ ସ୍ଥାନ ଉପରେ ସମସ୍ତ ଜିଲ୍ଲାର ଏସ୍ପି ଏବଂ ଡିସିପି ମାନଙ୍କୁ ନଜର ରଖିବାକୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି । ଲୋକମାନେ କନ୍ଫିଡେଣ୍ଟଲି ପର୍ବ ପର୍ବାଣୀ ପାଳନ କରନ୍ତୁ ପୋଲିସ ଯେକୌଣସି ପରିସ୍ଥିତିକୁ ନ୍ୟୁଟ୍ରାଲାଇଜ୍ କରିବାକୁ ପ୍ରସ୍ତୁତ ରହିଥିବା ଜନ ସାଧାରଣଙ୍କୁ ଜଣାଇଛନ୍ତି ଏଡିଜି ଆଇନ ଶୃଙ୍ଖଳା ସଞ୍ଜୟ କୁମାର କହିଛନ୍ତି ।