ନୂଆଦିଲ୍ଲୀ: ନିଟ୍-ୟୁଜି ପରୀକ୍ଷା ଜୁନ୍ ୨୧ରେ ଅନୁଷ୍ଠିତ ହେବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଏ ପର୍ଯ୍ୟନ୍ତ ଫି ଫେରସ୍ତ ନେଇ ନଥିବା ଆବେଦନକାରୀଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି। ଏଥିରେ ଏପର୍ଯ୍ୟନ୍ତ ଫି ଫେରସ୍ତ ପାଇଁ ଆବେଦନ କରିନଥିବା ଅଥବା ଯେଉଁମାନେ ଆବେଦନ ପୁରା କରି ପାରିନଥିଲେ କିମ୍ବା ନୋ ରିଫଣ୍ଡ ବିକଳ୍ପ ଚୟନ କରିଥିଲେ ସେମାନଙ୍କୁ ପରୀକ୍ଷା ଫି ବାବଦ ଦେୟ ଫେରାଇ ଦିଆଯିବ। ଏମାନେ ଜୁନ ୩୦ ତାରିଖରେ ଫି ଫେରସ୍ତ ପାଇଁ ନୂଆ କରି ଆବେଦନ କରିପାରିବେ।

ଆବେଦନ ସହ ସମସ୍ତଙ୍କୁ ବ୍ୟାଙ୍କ ବିବରଣୀ ଉପଲବ୍ଧ କରିବାକୁ କୁହାଯାଇଛି। ଏନଟିଏ ଏହି ପଦକ୍ଷେପ ସେତେବେଳେ ନେଇଛନ୍ତି ଯେତେବେଳେ ଫି ଫେରସ୍ତ ୱିଣ୍ଡୋ ପୁଣି ଖୋଲିବା ଲାଗି ଛାତ୍ରଛାଛାତ୍ରୀମାନେ ଦାବି କଲେ। ତେବେ ଫି ଫେରସ୍ତ ପାଇଁ ଏ ପର୍ଯ୍ୟନ୍ତ ସାରା ଦେଶରୁ ୧୯ ଲକ୍ଷ ଛାତ୍ରଛାତ୍ରୀଙ୍କ ଆବେଦନ ମିଳିଛି। ପରୀକ୍ଷା ଦେବା ପାଇଁ ସାରା ଦେଶରେ ୨୨ଲକ୍ଷ ୭୯ ହଜାର ଛାତ୍ର ଛାତ୍ରୀ ଆବେଦନ କରିଥିଲେ। ଏଣୁ ଏପର୍ଯ୍ୟନ୍ତ ୩ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଫି ଫେରସ୍ତ ପାଇଁ ଆବେଦନ କରିନଥିବା ଜଣାପଡିଛି। ତେବେ ଛାତ୍ରଛାତ୍ରୀ ପରୀକ୍ଷା ପ୍ରସ୍ତୁତିରେ ବ୍ୟସ୍ତ ରହିବା ଯୋଗୁ ଫି ଫେରସ୍ତ ଆବେଦନ କରିପାରିନଥିବା ଏନଟିଏ କହିଛନ୍ତି। ଏଣୁ ଛାତ୍ରଛାତ୍ରୀଙ୍କୁ ଏଥି ପାଇଁ ଆଉ ଏକ ସୁଯୋଗ ଦିଆଯାଇଛି।

ଇତି ମଧ୍ୟରେ ଏନଟିଏ ଜାରି କରିଥିବା ନୋଟିଫିକେସନରେ ଛାତ୍ରା ଛାତ୍ରୀଙ୍କୁ ନିଜ ବ୍ୟାଙ୍କଖାତାର ବିବରଣୀ ଉପଲବ୍ଧ କରାଇବାକୁ କହିଛନ୍ତି। ଯଦି କାହାର ବ୍ୟାଙ୍କ ଖାତା ସୂଚନା ଅଧାଅଧୁର ଅଥବା ଭୁଲ ଥାଏ ତାହାକୁ ସେମାନେ ତୁରନ୍ତ ଠିକ୍ କରିପାରିବେ। ଏହାଛଡା ଯଦି ଛାତ୍ର ପୂର୍ବରୁ ନୋ ରିଫଣ୍ଡ ବିକଳ୍ପ ବାଛିଥାନ୍ତି ତେବେ ଏଥିରେ ପରିବର୍ତ୍ତନ କରି ନୂଆ ଆବେଦନ କରିପାରିବେ। ଉଲ୍ଲେଖଯୋଗ୍ଯ ଯେ ମେ ୩ ନିଟ-ୟୁଜି ପରୀକ୍ଷା ପେପର ଲିକ୍ ଯୋଗୁ ବାତିଲ ହେବା କାରଣରୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଓ ଏନଟିଏ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ଫି ଫେରାଇ ଦେବାକୁ ଘୋଷଣା କରିଥିଲେ।

ଏବେ ନିଟ୍-ୟୁଜୀ ପରୀକ୍ଷା ଦେଉଥିବା ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଠାରୁ ଏନଟିଏ ଫି ବାବଦକୁ ୧୭୦୦ ଟଙ୍କା ନେଉଥିବା ବେଳେ ଓବିସି ବର୍ଗଙ୍କଠାରୁ ୧୫ଶହ ଓ ଏସସି ଏସଟି ବର୍ଗର ଛାତ୍ରଛାତ୍ରୀଙ୍କ ଠାରୁ ୧ ହଜାର ଟଙ୍କା ନେଉଛନ୍ତି।