ନୂଆଦିଲ୍ଲୀ ୧୪।୧୧; ଇଣ୍ଡୋନେସିଆର ଜାଭା ଦ୍ୱୀପରେ ନିରନ୍ତର ପ୍ରବଳ ବର୍ଷା ଯୋଗୁଁ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଯାହା ସାଧାରଣ ଜନ ଜୀବନକୁ ବ୍ୟାହତ କରିଛି। ଭୂସ୍ଖଳନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ନିଖୋଜ ଅଛନ୍ତି। ସେପଟେ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଅଧିକାରୀଙ୍କ ଅନୁଯାୟୀ, କେନ୍ଦ୍ରୀୟ ଜାଭା ପ୍ରଦେଶର ତିନୋଟି ଗାଁରେ ଭୂସ୍ଖଳନ ଘଟିଛି। ଯେଉଁଠାରେ ଅନେକ ଦିନ ଧରି ମୁଷଳଧାରାରେ ବର୍ଷା ହେଉଛି। ଯାହାଫଳରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି।

ଇଣ୍ଡୋନେସିଆ ୧୭,୦୦୦ ଦ୍ୱୀପପୁଞ୍ଜ ବିଶିଷ୍ଟ ଏକ ଦେଶ। ଅକ୍ଟୋବର ଏବଂ ମାର୍ଚ୍ଚ ମଧ୍ୟରେ ହେଉଥିବା ପ୍ରବଳ ଋତୁକାଳୀନ ବର୍ଷା ସମୟରେ ପ୍ରାୟତଃ ବନ୍ୟା ଏବଂ ଭୂସ୍ଖଳନର ସମ୍ମୁଖୀନ ହୁଏ। ଲକ୍ଷ ଲକ୍ଷ ଲୋକ ପାର୍ବତ୍ୟ ଅଞ୍ଚଳ ନିକଟରେ ବାସ କରନ୍ତି, ଏବଂ ଭୂସ୍ଖଳନ ସେମାନଙ୍କ ଜୀବନକୁ ବାଧାପ୍ରାପ୍ତ କରେ ଏବଂ ସେମାନଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କରେ।

ଉଦ୍ଧାର ଦଳ କାର୍ଯ୍ୟ ଜାରି

ଭୂମିସ୍ଖଳନର ରିପୋର୍ଟ ପାଇବା ମାତ୍ରେ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚି ନିଖୋଜମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (NDMA) ମୁଖପାତ୍ର ଅବଦୁଲ ମୁହାରୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ସନ୍ଧାନ କରିବା ଚ୍ୟାଲେଞ୍ଜିଂ ଥିଲା। ଏହା ସତ୍ତ୍ୱେ, ମିଳିତ ଦଳ ଶୁକ୍ରବାର ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।