News7 Logo

ଦେଶ ଛାଡି ପଳାଇଗଲେ ନା ଅଣ୍ଡରଗ୍ରାଉଣ୍ଡ ହୋଇଗଲେ? ସରକାର ଭାଙ୍ଗିବା ପରେ ବି ନେପାଳ ଜଳୁଛି

NEWS7
oli

କାଠମାଣ୍ଡୁ ୧୦/୦୯: ଜଳୁଛି ନେପାଳ । ରାଜନୈତିକ ଅସ୍ଥିରତା ସହିତ ସଂଘର୍ଷ କରୁଛି ଦେଶ । ବିରୋଧ ଏବଂ ହିଂସା ମଧ୍ୟରେ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସଂସଦ ଭବନରୁ ପ୍ରଧାନମନ୍ତ୍ରୀ ବାସଭବନ ସବୁ ଧ୍ୱସ୍ତ ବିଧ୍ୱସ୍ତ । ପୋଡି ଜଳି ପାଉଁଶ ହୋଇଛି ଅନେକ ସରକାରୀ କୋଠା । କ୍ରୋଧିତ ଜନତାଙ୍କ ମନ୍ତ୍ରୀଙ୍କୁ ବି ମାରିବାକୁ ପଛାଇନାହାଁନ୍ତି । ମରାଯାଇଛି । କିନ୍ତୁ ଏସବୁ ମଧ୍ୟରେ ବଡ଼ ପ୍ରଶ୍ନ ହେଉଛି ଓଲି କେଉଁଠି?

ଦୁର୍ନୀତି ବିରୋଧୀ ପ୍ରତିବାଦ ଯୋଗୁଁ ସେପ୍ଟେମ୍ବର ୯ରେ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଏହା ପରେ, କୁହାଗଲା ଯେ ସେ କାଠମାଣ୍ଡୁର ଏକ ସୁରକ୍ଷିତ ଘରେ ଅଛନ୍ତି। ଭକ୍ତପୁରରେ ତାଙ୍କ ବାସଭବନ ବାଲାକୋଟକୁ ପ୍ରଦର୍ଶନକାରୀମାନେ ପୋଡ଼ି ଦେଇଛନ୍ତି। ଏହି ସମୟରେ, ଏପରି ମଧ୍ୟ ଅନୁମାନ କରାଯାଉଛି ଯେ ସେ ଦୁବାଇ ପଳାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ହେବା ଯୋଗୁଁ ତାହା କରିପାରି ନଥିଲେ। ବର୍ତ୍ତମାନ ସେ କାଠମାଣ୍ଡୁର ଏକ ସୁରକ୍ଷିତ ସ୍ଥାନରେ ଅଛନ୍ତି ବୋଲି କୁହାଯାଉଛି।

ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ବିରୋଧରେ ସେପ୍ଟେମ୍ବର ୮ରେ ଆରମ୍ଭ ହୋଇଥିବା ଜେନ-ଜେଡ୍ ପ୍ରତିବାଦ ଓଲିଙ୍କ ଇସ୍ତଫା ପରେ ମଧ୍ୟ ଥମିବାର ନାଁ ନେଉନାହିଁ। ଯୁବପିଢ଼ି ଦୁର୍ନୀତି, ପରିବାରବାଦ ଏବଂ ବେକାରୀ ବିରୋଧରେ ବିଗୁଲ୍ ବଜାଇଛନ୍ତି । ଏପର୍ଯ୍ୟନ୍ତ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।
ପ୍ରତିବାଦକାରୀମାନେ ସଂସଦ ଭବନ, ସିଂହ ଦରବାର, ଓଲିଙ୍କ ବାଲାକୋଟ ବାସଭବନ, ନେପାଳୀ କଂଗ୍ରେସ କାର୍ଯ୍ୟାଳୟ ଏବଂ ଅନେକ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। କିଛି ସ୍ଥାନରେ ଜେଲ ଭଙ୍ଗା ଘଟଣା ମଧ୍ୟ ଘଟିଥିଲା । ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ଅଛି। ସମସ୍ତ ଉଡ଼ାଣ ବାତିଲ କରାଯାଇଛି। ପର୍ଯ୍ୟଟକମାନଙ୍କୁ ସଟଲ୍ ବସ୍ ମାଧ୍ୟମରେ ହୋଟେଲକୁ ନିଆଯାଇଛି।