ରାଜ୍ୟରେ ଦାନା ବାନ୍ଧୁଛି କି ଆଉ ଏକ ଆଞ୍ଚଳିକ ଦଳ ? ୨୦୨୬ରେ ଜଟିଳ ମୋଡ଼ ନେବ ରାଜନୀତି

NEWS7
kohli lashed out at the broadcaster

ଭୁବନେଶ୍ଵର: ରାଜନୈତିକ ଦୃଷ୍ଟିକୋଣରୁ ୨୦୨୬ ବେଶ ଜଟିଳ ମୋଡ଼ ନେବାକୁ ଯାଉଛି। କାରଣ ଆଗକୁ ଅଛି ପଞ୍ଚାୟତ ପୌର ନିର୍ବାଚନ ତା ସହିତ ରାଜ୍ୟସଭା ନିର୍ବାଚନ। ଏହା ପୂର୍ବରୁ ରାଜ୍ୟରେ ଶାସକ ଓ ବିରୋଧୀ ଦଳରେ ଆଭ୍ୟନ୍ତରୀଣ ରାଜନୀତି ମଧ୍ୟ ବେଶ ହଟଚମଟ ସୃଷ୍ଟି କରିବାରେ ଲାଗିଛି। ଅସମ୍ଭବ ନୁହେଁ ଯେ ଆଗକୁ ଏକ ନୂଆ ରାଜନୀତିକ ଦଳ ମୁଣ୍ଡ ଟେକିପାରେ। ଏମିତି କିଛି ଆକଳନ କରୁଛନ୍ତି ବରିଷ୍ଠ ରାଜନୀତିଜ୍ଞ ବିଜୟ ମହାପାତ୍ର। ସେପଟେ କଂଗ୍ରେସର ରାଜନୀତିକୁ ନେଇ ଥମି ନାହିଁ ବୟାନବାଜୀ।

ରାଜ୍ୟରେ ଦାନା ବାନ୍ଧୁଛି କି ଆଉ ଏକ ଆଞ୍ଚଳିକ ଦଳ ? କୋଣଠେସା ଓ ଅଲୋଡା ହୋଇ ପଡିଥିବା ନେତାମାନେ ପରସ୍ପରର ହାତ ଧରିବେ କି ? ପୁଣି ମେଳି ବାନ୍ଧିବାକୁ ଯାଉଛନ୍ତି କି ? ବିଜେଡିରେ ଅସନ୍ତୋଷ ଓ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଏବେ ଏଭଳି କିଛି ନୂଆ ନୂଆ ସମ୍ଭାବନା ସୃଷ୍ଟି କରିବାରେ ଲାଗିଛି। ଏହାରି ଭିତରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ମଧ୍ୟ ସେମିତି କିଛି ବଡ ବୟାନ ଦେଇଛନ୍ତି। କେତେବେଳେ କଣ ହେବ ତାହା କହିବା ମୁସ୍କିଲ, ଏମିତି କିଛି କହି ନୂଆ ରାଜନୈତିକ ଦଳର ଚର୍ଚ୍ଚାକୁ ଖୋରାଖ ଯୋଗାଇଛନ୍ତି| ସେ କହିଛନ୍ତି୨୦୨୬ ରାଜ୍ୟ ରାଜନୀତି ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି। ତା ପୂର୍ବରୁ ସେଭଳି କିଛି ପରିସ୍ଥିତି ବି ସୃଷ୍ଟି ହେଲାଣି। ରାଜ୍ୟ ରାଜନୀତିରେ ଅସ୍ଥିରତା ଏବଂ ଅନିଶ୍ଚିତତା ଆରମ୍ଭ ହେଇ ଯାଇଛି ବୋଲି ବିଜୟ ମହାପାତ୍ର କହିଛନ୍ତି।

୨୫ ସରିବାକୁ ଆଉ ମାତ୍ର ୧୫ ଦିନ। ବର୍ଷ ଶେଷ ଶିତୁଆ ଦିନଗୁଡ଼ିକୁ ଉଷ୍ମ କରୁଛି ବିରୋଧୀ ଶିବିରର ଘଟଣାକ୍ରମ। ବିଶେଷ କରି ନୂଆପଡା ଉପନିର୍ବାଚନ ପରବର୍ତ୍ତୀ ସ୍ଥିତି ରାଜ୍ୟ ରାଜନୀତି ଗଣିତକୁ ବଦଳାଇବାରେ ଲାଗିଛି। ବିଜେଡିର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳର ବରିଷ୍ଠ ନେତାମାନେ ଦଳୀୟ ପରିଚାଳନାକୁ ନେଇ ଖୁଲମ ଖୁଲ୍ଲା ବିଷୋଦଗାର କରୁଛନ୍ତି | ତୃଣମୂଳ ସ୍ତରର ଅନେକ ନେତା ଦଳ ଛାଡୁଛନ୍ତି। ଯେଉଁମାନେ ବିଭିନ୍ନ କାରଣରୁ ବିଜେଡିଠୁ ଦୂରେଇଛନ୍ତି କିମ୍ବା ବିଜେଡିରୁ ବିଦା ହୋଇଛନ୍ତି, ଏହି ନେତାମାନେ ଅନ୍ୟ ଦଳକୁ ନ ଯାଇ ବିକଳ୍ପ ଆଞ୍ଚଳିକ ଦଳ ଗଢ଼ିବାକୁ ଉଦ୍ୟମ ଚଳାଇଛନ୍ତି | ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଓ ଅମର ଶତପଥି ଦିଲ୍ଲୀ ଗସ୍ତରୁ ଫେରିବା ପରେ ଆହୁରି ଚର୍ଚ୍ଚା ବଢିଛି ।

ସେପଟେ କଂଗ୍ରେସ ନୂଆପଡାରେ ଦ୍ଵିତୀୟ ସ୍ଥାନକୁ ଆସି ମଧ୍ୟ ଏହାର ଫାଇଦା ନେବାରେ ବିଫଳ ହୋଇଛି | ସେବେଠାରୁ ଚାଲିଛି ଛାୟା ଯୁଦ୍ଧ। ଭକ୍ତଙ୍କ ବିଭୀଷଣ ଉପାଖ୍ୟାନ ହେଉ କି ମୋକିମଙ୍କ ହାଇକମାଣ୍ଡକୁ ଚିଠି, ଚାଲିଛି ବୟାନବାଜୀ। ମୋକିମଙ୍କ ଚିଠି ପ୍ରସଙ୍ଗରେ କିଛି ଦିନ ନିରବ ରହିବା ପରେ ଭକ୍ତ ଦେଇଛନ୍ତି ଜବାବ। କହିଛନ୍ତି ବିଜେପି ଲିଙ୍କରେ ଯେଉଁମାନେ ଅଛନ୍ତି ସେମାନେ ଦଳ ଛାଡିଦିଅନ୍ତୁ। ମୋକିମ ବିଜେପି ଲିଙ୍କରେ ଅଛନ୍ତି କି ନାହିଁ ତାହା ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ମୋକିମ ନୂଆ ଦଳ ଗଠନ ନେଇ ଚର୍ଚ୍ଚା ଜୋର ଧରିଛି।

ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା ନୂଆ ନୁହେଁ। ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ କଥା ଖୁବ ଉଡ଼ିଥିଲା, ହେଲେ ଥମିଯାଇଥିଲା, । ଏବେ ପୁଣି ସେମିତି କିଛି ଘଟଣାକ୍ରମ ଜାରି ରହିଛି। ପ୍ରଶ୍ନ ଉଠୁଛି, ରାଜ୍ୟରେ ଏବେ ଆଉ ଏକ ଆଞ୍ଚଳିକ ଦଳର କେତେ ଆବଶ୍ୟକତା ଅଛି ? ନୂଆ ଆଞ୍ଚଳିକ ଦଳ ରାଜ୍ୟବାସୀଙ୍କ ଦ୍ୱାରା ଗ୍ରହଣୀୟ ହେବେ ତ ?