ଯେକୌଣସି ସମୟରେ ICUକୁ ଯାଇପାରେ ଇଣ୍ଡି ମେଣ୍ଟ, ଓମାର ଅବଦୁଲ୍ଲାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

NEWS7
know-your-daily-horoscope-rashiphala-for-wednessday-forteenth-september-2022

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଶନିବାର (ଡିସେମ୍ବର ୬) ଇଣ୍ଡି ମେଣ୍ଟକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି । ବିରୋଧୀ ଇଣ୍ଡି ମେଣ୍ଟ ବର୍ତ୍ତମାନ ଲାଇଫ୍ ସପୋର୍ଟରେ ଅଛି ଏବଂ ଆଭ୍ୟନ୍ତରୀଣ କଳହ ଓ ବିଜେପିର ୨୪ ଘଣ୍ଟିଆ ନିର୍ବାଚନୀ ମେସିନର ମୁକାବିଲା କରିବାରେ ଅସମର୍ଥ । ଯେକୌଣସି ସମୟରେ ଇଣ୍ଡି ମେଣ୍ଟ ICUକୁ ଯାଇପାରେ ବୋଲି କହିଛନ୍ତି ଓମାର ଅବଦୁଲ୍ଲା ।

ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଇଣ୍ଡି ମେଣ୍ଟର ସାଂଗଠନିକ ଏବଂ ରଣନୈତିକ ବିଫଳତା ବିଷୟରେ ବିସ୍ତୃତ ଭାବରେ କହିଛନ୍ତି । ବିହାର ନିର୍ବାଚନ ପରେ ଇଣ୍ଡିଆ ବ୍ଲକର ବର୍ତ୍ତମାନର ସ୍ଥିତି ବିଷୟରେ ଅବଦୁଲ୍ଲା କହିଛନ୍ତି, ‘ଆମେ ଲାଇଫ୍ ସପୋର୍ଟରେ ଅଛୁ, କିନ୍ତୁ କେତେବେଳେ କେହି ଜଣେ ଆଗକୁ ବାହାରି ଆମକୁ ଟିକେ ଝଟକା ଦିଅନ୍ତି ଏବଂ ଆମେ ପୁଣି ଉଠିପଡ଼ୁ । କିନ୍ତୁ ଦୁର୍ଭାଗ୍ୟବଶତଃ, ପୁଣି ବିହାର ଭଳି ଫଳାଫଳ ଆସେ ଏବଂ ଆମେ ପୁଣି ତଳେ ପଡ଼ିଯାଉ । ତା'ପରେ କାହାକୁ ICUକୁ ନେବାକୁ ପଡେ ।’

ନୀତୀଶ କୁମାର ବିଜେପି ନେତୃତ୍ୱାଧୀନ ଏନଡିଏକୁ ଫେରିବା ପାଇଁ ଇଣ୍ଡି ମେଣ୍ଟକୁ ଦାୟୀ କରିଛନ୍ତି ସିଏମ ଓମାର । ସେ କହିଛନ୍ତି, ମୁଁ ବିଶ୍ବାସ କରେ ଆମେ ହିଁ ନୀତୀଶ କୁମାରଙ୍କୁ ଏନଡିଏ କୋଳରେ ବସାଇ ଦେଇଛୁ । ମିଳିତ ଭାବରେ କାମ କରିବାରେ ମେଣ୍ଟର ଅକ୍ଷମତା ସଂପର୍କରେ ସେ କହିଛନ୍ତି । ରାଜ୍ୟରେ ଦଳର ଉପସ୍ଥିତି ସତ୍ତ୍ୱେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ ) କୁ ବିହାରରୁ ଜାଣିଶୁଣି ଦୂରେଇ ରଖାଯାଇଥିଲା ବୋଲି ଓମାର ଅବଦୁଲ୍ଲା ଦାବି କରିଛନ୍ତି ।

ଓମାର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଦଳ ଦ୍ୱାରା ଗ୍ରହଣ କରାଯାଇଥିବା 24x7 ରାଜନୀତି ମଡେଲ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, ଗୋଟିଏ ନିର୍ବାଚନ ସମାପ୍ତ ହେବା ମାତ୍ରେ ସେମାନେ (ବିଜେପି ନେତା) ପରବର୍ତ୍ତୀ କ୍ଷେତ୍ରରେ ପହଞ୍ଚିଯାଆନ୍ତି ।